ବରଗଡ଼: ଟାଉନ ଥାନା ପୋଲିସର ବଡ଼ ସଫଳତା। ସୋମବାର ସନ୍ଧ୍ୟାରେ ବରଗଡ଼ ଜିରା ନଦୀ ପାଖରେ ଏକ ଡକାୟତ ଦଳ ଡକାୟତି ପାଇଁ ପ୍ଲାନ୍ କରୁଥିବା ବେଳେ ବରଗଡ ପୋଲିସକୁ ସୂଚନା ମିଳିଥିଲା। ବରଗଡ଼ ଏସପି ପ୍ରହଲ୍ଲାଦ ସହାଇ ମିନାଙ୍କ ନିର୍ଦ୍ଦେଶ କ୍ରମେ ଡକାୟତ ଦଳକୁ ଧରିବା ପାଇଁ ବରଗଡ଼ ଟାଉନ ଥାନାର ଏକ ଟିମ୍ ଏବଂ ସଦର ଥାନାର ଏକ ଟିମ୍ ଯାଇଥିବା ବେଳେ ଟାଉନ ଥାନା ଟିମ୍ ଡକାୟତ ଦଳ ଉପରେ ଚଢ଼ଉ କରିଥିଲା।
ଚଢ଼ଉ ବେଳେ ଦୁଇ ଜଣ ଡକାୟତ ଦୌଡ଼ି ଫେରାର ହୋଇଥିବା ବେଳେ ତିନିଜଣ ଡକାୟତଙ୍କୁ ପୋଲିସ କାବୁ କରି ନେଇଥିଲେ। ଯାହାଫଳରେ ଏକ ବଡ଼ ଧରଣର ଡକାୟତି ଉଦ୍ୟମ ଫେଲ୍ ମାରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା କମସରା ଗାଁର ରିଙ୍କୁ ନାଗ, ବରଗଡ ୱାର୍ଡ ନମ୍ବର ୧ ନଦିପଡ଼ାର ବନିଲ ଗଡତୀୟା ଏବଂ ବିରେନ୍ଦ୍ର ଭୁଏ। ପୋଲିସ ଏମାନଙ୍କଠାରୁ ଗୋଟିଏ ଦେଶୀ ପିସ୍ତଲ, ଗୋଟିଏ ଗୁଳି, ଗୋଟିଏ ଖୋଖା, ଗୋଟିଏ ଛୁରୀ, ଏକ ମୋଟର ସାଇକଲ ଓ ଦୁଇଟି ମୋବାଇଲ ଏବଂ ପାଞ୍ଚଟି କଳା ମୁଖା ଜବତ କରିଛି।
ଆଜି ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇ ତଦନ୍ତ କରୁଥିବା ବରଗଡ଼ ଅତିରିକ୍ତ ଏସପି ତପନ କୁମାର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
Comments are closed.