Latest Odisha News

BREAKING NEWS

ପୁଣି ବିବାଦରେ ନିମାପଡ଼ା ବିଧାୟକ, ବିଜେଡି ନେତ୍ରୀଙ୍କୁ ଗୁଣ୍ଡା ପଠାଇ ଜୀବନରେ ମାରିଦେବାକୁ ଧମକ ଅଭିଯୋଗ

ପୁରୀ: ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାସ ଏବେ ପୁଣି ବିବାଦରେ। ନିମାପଡ଼ାର ଜଣେ ବିଜେଡି ନେତ୍ରୀଙ୍କୁ ବିଧାୟକ ଗୁଣ୍ଡା ପଠାଇ ଜୀବନରେ ମାରି ଦେବାକୁ ଧମକ ଅଭିଯୋଗ। ତେବେ ଏହି ଘଟଣାରେ ପୋଲିସ ଚୁପ୍ ବସିବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବିଜେଡି ନେତ୍ରୀ ଜ୍ୟୋସ୍ନାରାଣୀ ନାୟକ। ବିଧାୟକ ସମୀର ଦାସଙ୍କ ଚାପରେ ଗୋପ ଓ ନିମାପଡ଼ା ପୋଲିସ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ କରିଛନ୍ତି ବିଜେଡି ନେତ୍ରୀ ଜ୍ୟୋସ୍ନାରାଣୀ ନାୟକ।

ପୁରୀରେ ଏକ ସାମ୍ୱାଦିକ ସମ୍ମିଳନୀ କରି ଏହି ସୂଚନା ସେ ଦେଇଥିବା ବେଳେ ଗୋପ ଓ ନିମାପଡ଼ା ପୋଲିସ ତାଙ୍କୁ ତୁରନ୍ତ ନ୍ୟାୟ ଦିଅନ୍ତୁ ବୋଲି ଜ୍ୟୋସ୍ନାରାଣୀ ନାୟକ ଦାବି କରିଛନ୍ତି। ନହେଲେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରସ୍ଥ ହେବେ ବୋଲି କହିଛନ୍ତି। ବିଜେଡି ମହିଳାଙ୍କୁ ସମ୍ମାନ ଦେବା ପାଇଁ ସବୁବେଳେ ଆହ୍ଵାନ ଦେଉଥିବା ବେଳେ ନିମାପଡ଼ା ବିଧାୟକ ଜଣେ ମହିଳାଙ୍କୁ ଗୁଣ୍ଡା ପଠାଇ ଅଶାଳୀନ ବ୍ୟବହାର କରିବା ସହ ଜୀବନରେ ମାରିଦେବାକୁ ଧମକ ଦେବା ଅତି ଦୁଃଖର ବିଷୟ ବୋଲି ଜ୍ୟୋସ୍ନାରାଣୀ ନାୟକ କହିଛନ୍ତି। ସେ କହିଛନ୍ତି ଗତ ଅକ୍ଟୋବର ୨ ତାରିଖରୁ ସେ ନିମାପଡା, ଗୋପ ଅଞ୍ଚଳରେ ଦଳର ସଙ୍ଗଠନକୁ ମଜବୁତ କରିବା ପାଇଁ ପଦଯାତ୍ରା କରିଥଲେ। ତେବେ ସେ କାହିଁକି ପଦଯାତ୍ରା କରୁଛନ୍ତି ଏବଂ କେବଳ ବିଧାୟକ ସମୀର ଦାଶ ହିଁ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡିର ନେତା ବୋଲି ତାଙ୍କ ଗୁଣ୍ଡାମାନେ କହିବା ସହ ଜୀବନରେ ମାରି ଦେବାକୁ ଧମକ ଦେଇଛନ୍ତି।

ଗତ ୯ତାରିଖରେ ଗୋପ କୁସୁପୁର ବଜାରରେ ଓ ଗତକାଲି ନିମାପଡ଼ାର ଦିଘାଳଠାରେ ଜୀବନରେ ମାରିଦେବାକୁ ଉଦ୍ୟମ କରାଯାଇଛି। ତେବେ ତାଙ୍କ ଡ୍ରାଇଭର ଓ କିଛି ସମର୍ଥକ ଥିବାରୁ ସେ ବଞ୍ଚି ଯାଇଥିବା କହିଛନ୍ତି। ଏନେଇ ସେ ଗୋପ ଓ ନିମାପଡ଼ା ଥାନାରେ ବିଧାୟକ ଓ ତାଙ୍କ ଗୁଣ୍ଡାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ବିଜେଡି ନେତ୍ରୀ ଜ୍ୟୋସ୍ନାରାଣୀ ନାୟକ ଅଭିଯୋଗ କରିଛନ୍ତି। ତେବେ ଜ୍ୟୋସ୍ନାରାଣୀ ନାୟକ ନିମାପଡ଼ା ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ପାଇଁ ନିଜେ ସଙ୍ଗଠନ କରୁଛନ୍ତି। ଯାହାକୁ ବିଧାୟକଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଚି। ବିଭିନ୍ନ ବିବାଦରେ ସମୀର ଫସିଥିବା ବେଳେ ନିଜ ନିର୍ବାଚନ ମଣ୍ଡଳୀରେ ତାଙ୍କ କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି।

ଏହି ମଉକାରେ ତାଙ୍କର ପ୍ରତିଦ୍ବନ୍ଦୀ ଭବେ ଉଭା ହୋଇଛନ୍ତି ବିଜେଡି ନେତ୍ରୀ ଜ୍ୟୋସ୍ନାରାଣୀ ନାୟକ। ଏଣୁ ଏହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ବିବାଦ ବଢୁଥିବା ବେଳେ ଏହି ଘଟଣାକୁ ନେଇ ସବୁ ଘଟଣା ଘଟିଥିବା କୁହାଯାଉଛି। ତାଙ୍କୁ ନ୍ୟାୟ ନମିଳିଲେ ଜ୍ୟୋସ୍ନାରାଣୀ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯିବା ପାଇଁ କହିଥିବା ବେଳେ ଆଗାମୀ ଦିନ ବିଧାୟକ ସମୀର ଦାସ ଏହାକୁ କିଭଳି ମୁକାବିଲା କରୁଛନ୍ତି ତାକୁ ଏବେ ଅପେକ୍ଷା।

Comments are closed.