Latest Odisha News

BREAKING NEWS

ଯୁଦ୍ଧ ସମୟରେ ଇରାନ ରାଷ୍ଟ୍ରଦୂତ ଦେଲେ ବଡ ବୟାନ: ହିଜବୁଲ୍ଲା ନାମ ନେଇ ଇସ୍ରାଏଲକୁ ଧମକାଇଲେ

ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ଯୁଦ୍ଧ ଭିତରେ ସାରା ବିଶ୍ୱ ଏବେ ଦୁଇ ଭାଗରେ ବିଭକ୍ତ ହୋଇଗଲାଣି । ଗୋଟିଏ ପଟେ ପଶ୍ଚିମ ଦେଶ ଇସ୍ରାଏଲକୁ ସମର୍ଥନ କରୁଥିବାବେଳେ ଇସଲାମିକ ଦେଶ ପାଲେଷ୍ଟାଇନକୁ ସମର୍ଥନ କରୁଛନ୍ତି । ହେଲେ ଏସବୁ ଭିତରେ ଯେଉଁ ଦେଶ ସବୁଠାରୁ ଚର୍ଚ୍ଚାରେ ଅଛି ତାହା ହେଉଛି ଇରାନ । ଏହି ଯୁଦ୍ଧ ଭିତରେ ଇରାନର ଭୂମିକାକୁ ନେଇ ପଶ୍ଚିମ ଦେଶ ଲଗାତାର ଏହା ଉପରକୁ ଅଙ୍ଗୁଳି ନର୍ଦ୍ଦେଶ କରୁଛନ୍ତି । ଏପରି ସ୍ଥିତିରେ ଭାରତରେ ଥିବା ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ ଇସ୍ରାଏଲ ଏବଂ ହମାସ ଯୁଦ୍ଧ, ଯୁଦ୍ଧରେ ଇରାନର ଭୂମିକା ଏବଂ ବିଶ୍ୱ ଉପରେ ଏହି ଯୁଦ୍ଧର ପ୍ରଭାବକୁ ନେଇ ଆଲୋଚନା କରିଛନ୍ତି ।

ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲାହ ଅଲି ଖାମେନେଇ ପ୍ରଥମ ନେତା ଥିଲେ ଯିଏ କି ହମାସ ଆକ୍ରମଣକୁ ସମର୍ଥନ କରିଥିଲେ । ଇରାନ ଦୀର୍ଘ ସମୟ ଧରି ଗାଜାରେ ହମାସ ଏବଂ ପାଲେଷ୍ଟାଇନକୁ ସମର୍ଥନ କରି ଆସୁଛି । ଏପରି ଅଭିଯୋଗ ଉପରେ ଇରାନ ରାଷ୍ଟ୍ରଦୂତ କହିଛନ୍ତି, ପାଲେଷ୍ଟାଇନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ତାର ନିଜସ୍ୱ  । ୭୦ ବର୍ଷ ଧରି ଇସ୍ରାଏଲର ଦମନ ଏବଂ ଅତ୍ୟାଚାରର ଏହା ପରିଣାମ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି, ଇରାନ ଏହି ଯୁଦ୍ଧରେ ପାଲେଷ୍ଟାଇନ ସପକ୍ଷରେ ଛିଡା ହୋଇଛି । କିନ୍ତୁ, ଏହି ଯୁଦ୍ଧରେ ଇରାନର କୌଣସି ଭୂମିକା ନାହିଁ । ପାଲେଷ୍ଟାଇନ ତାର ନିଜର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଇଛି ।

ସେ ଆହୁରି କହିଛନ୍ତି, ମିଡ଼ିଆର ଏକ ବଡ ଗୋଷ୍ଠୀ ଜାଣିଶୁଣି ସତର ନଜରଅନ୍ଦାନ କରୁଛନ୍ତି । ପାଲେଷ୍ଟାଇନର ସ୍ୱରକୁ ଜାଣିଶୁଣି ଅଣଦେଖା କରାଯାଉଛି । ଏହି ଲୋକଙ୍କର ଭୁଲ ଏତିକି ଯେ ସେମାନେ ପାଲେଷ୍ଟାଇନରେ ଜନ୍ମ ନେଇଛନ୍ତି ।

ସେ ଆହୁରି କହିଛନ୍ତି, ‘ମୁଁ ଏଠାରେ ସ୍ପଷ୍ଟ କରିଦେବାକୁ ଚାହେଁ ଯେ, ହମାସ ଯାହା କରିଛି ତାହା ଆତ୍ମରକ୍ଷା ପାଇଁ । ଆତ୍ମରକ୍ଷାର ଅଧିକାର ସବୁଠାରୁ ସହଜ ବିକଳ୍ପ ଥିଲା । ପୁରା ବ୍ୟବସ୍ଥାକୁ ଦେଖିବା ପରେ ଏହାକୁ ଆକ୍ରମଣ ବୋଲି କହିବା ଠିକ ହେବ ନାହିଁ ।

ସେ ଆହୁରି କହିଥିଲେ, ଇସ୍ରାଏଲ ଉପରେ ହିଜବୁଲ୍ଲା ପକ୍ଷରୁ  ଆକ୍ରମଣ ହୋଇଛି । ହିଜବୁଲ୍ଲା ଲେବାନନରେ ଏକ ବୈଧ ଏବଂମାନ୍ୟତାପ୍ରାପ୍ତ ସଂଗଠନ ଅଟେ ଯିଏ ଦେଶର ରକ୍ଷା ପାଇଁ ଲେବାନନ ସେନା ସହ ମିଶି କାମ କରୁଛି । ହିଜବୁଲ୍ଲାର ଶକ୍ତି ଇସ୍ରାଏଲ ପ୍ରଥମେ ବୁଝିବା ଦରକାର । ମୋତେ ଲାଗୁଛି, ବର୍ତ୍ତମାନ ସ୍ଥିତିରେ ଇସ୍ରାଏଲ ଆଉ ଏକ ସଙ୍ଗଠନ ସହ ଯୁଦ୍ଧ କରିବାକୁ ଚାହିଁବ ନାହିଁ । ଯାହା ବି ହେଉ,ଇରାନ ସବୁବେଳେ ପାଲେଷ୍ଟାଇନର ସପକ୍ଷରେ ଛିଡା ହେବ ବୋଲି ସେ କହିଛନ୍ତି ।

Comments are closed.