ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ସୁରକ୍ଷିତ ରହିଛି ଏବଂ ଏ ନେଇ କେହି ଚିନ୍ତା କରିବା ଉଚିତ ନୁହେଁ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ଶନିବାର କହିଛନ୍ତି।
ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ଓ ଅଳଙ୍କାର ଭଣ୍ଡାର ତାଲିକା ନେଇ ଦୁଇ ମାସ ମଧ୍ୟରେ ସ୍ୱତନ୍ତ୍ର କମିଟି ଗଠନ କରିବାକୁ ଓଡ଼ିଶା ହାଇକୋର୍ଟ ଏସଜେଟିଏକୁ ନିର୍ଦ୍ଦେଶ ଦେଇଥିଲେ। ଶନିବାର ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକରେ ଏ ସମ୍ପର୍କରେ ଆଲୋଚନା କରାଯାଇ ହାଇକୋର୍ଟଙ୍କୁ ଅବଗତ କରାଯିବ ବୋଲି ରଞ୍ଜନ ଦାସ ସୂଚନା ଦେଇଛନ୍ତି।
ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ। ରତ୍ନଭଣ୍ଡାର ସୁରକ୍ଷିତ ଅଛି, ଏଥିପାଇଁ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ବୋଲି ରଞ୍ଜନ ଦାସ କହିଛନ୍ତି।
ଆସନ୍ତା ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକରେ ସ୍ୱତନ୍ତ୍ର କମିଟି ଗଠନ ନେଇ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର ସୂଚନା ଦେଇଛନ୍ତି । ଏବଂ ସେ ଓଡିଶା ସରକାରଙ୍କୁ ଏ ନେଇ ଅବଗତ କରାଇବେ। ରତ୍ନଭଣ୍ଡାର ଖୋଲିବାରେ ରାଜ୍ୟ ସରକାରଙ୍କ ବିଳମ୍ବ ଭକ୍ତଙ୍କ ମନକୁ ଛୁଇଁ ପାରୁନାହିଁ।
ଯଦି ରତ୍ନଭଣ୍ଡାର ସୁରକ୍ଷିତ ଅଛି, ତେବେ ଏସଜେଟିଏ ଓ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କାହିଁକି ମାନିବାକୁ ପଛଘୁଞ୍ଚା ଦେଉଛନ୍ତି। ଅଗଷ୍ଟ ୪ ତାରିଖରେ ଭିତର ରତ୍ନଭଣ୍ଡାର ଖୋଲିବା ବେଳେ ଅଳଙ୍କାରର ସୂଚୀ ପ୍ରସ୍ତୁତ କରାଯିବ ବୋଲି ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ଭିତର ରତ୍ନଭଣ୍ଡାର ଖୋଲିବାର ସମୟ ଆସିନାହିଁ କି? ସାଧାରଣ ନିର୍ବାଚନ ଯାଏଁ ଏହି ମାମଲାକୁ ସ୍ଥଗିତ ରଖି ସରକାରକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାରୁ ଅଧିକାରୀମାନେ ଏଭଳି ମନମୁଖୀ ବୟାନ ଦେଉଛନ୍ତି ବୋଲି ସୂଚନା ଅଧିକାର କର୍ମୀ ଦିଲ୍ଲୀପ ବରାଳ କହିଛନ୍ତି।
୧୯୭୮ ମସିହାରୁ ରତ୍ନଭଣ୍ଡାର ଖୋଲାଯାଇନାହିଁ। ରତ୍ନଭଣ୍ଡାର ଖୋଲିବା ସହ ଅଳଙ୍କାର କେତେ ଅଛି ତଥ୍ୟ ଜାଣିବାକୁ ଭକ୍ତ ଓ କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ଦାବି ହୋଇଛି।
Comments are closed.