ଯାଜପୁର: ଧର୍ମଶାଳା ବ୍ଲକ ବାଜବାଟି ଗାଁରେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିବା ଘଟଣା । ମୃତ ଚାଷୀ ନିତ୍ୟାନନ୍ଦ ପରିଡାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛି ପିସିସିର ଏକ ଟିମ୍ । ଏହାସହ ସ୍ବର୍ଗତ ନିତ୍ୟାନନ୍ଦ ପରିବାରକୁ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛି ଏହି ଟିମ୍ । କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଟିମ ଯାଜପୁର ଗସ୍ତ କରିଛି ।
ସୂଚନାନୂସାରେ, ନିତ୍ୟାନନ୍ଦ ବାଜବାଟି ମୌଜାରେ ଥିବା ନିଜ ଚାଷ ଜମି ସହ ଭାଗ ଚାଷ କରି ପରିବାର ପୋଷଣ କରୁଥିଲେ। ହେଲେ ଜମିରେ ପାଣି ନଥିବାରୁ ଧାନ ଗଛ ସବୁ ମରି ଯାଇଥିବା ଦେଖି ସେ ଭାଙ୍ଗି ପଡ଼ିଥିଲେ। ନିତ୍ୟାନନ୍ଦ ଋଣ କରି ପ୍ରାୟ ୩ ଏକର ଜମିରେ ଧାନଚାଷ କରିଥିବା ବେଳେ ଫସଲ ସବୁ କ୍ଷତି ହୋଇଯାଇଥିଲା। ଜମି ନିକଟରେ କଳାପଥର ଖାଦାନ (କ୍ରସର୍) ଚାଲୁଥିବାରୁ ବର୍ଷା ପାଣି ବିଲରେ ନରହି ଖାଦାନକୁ ବୋହି ଯାଉଥିଲା ଯାହା ଫସଲ କ୍ଷତିଗ୍ରସ୍ତ ହେବାର ଅନ୍ୟ ଏକ କାରଣ ଥିଲା। ଏହି ସମସ୍ୟା ବିଷୟରେ ସେ ବାରମ୍ବାର ସରକାର ଓ ପ୍ରଶାସନଙ୍କ ନିକଟରେ ଅଭିଯୋଗ କରିଥିଲେ ହେଁ କେହି ତାଙ୍କ କଥାକୁ କର୍ଣ୍ଣପାତ କରିନଥିଲେ। ତେଣୁ ଋଣବୋଝ ସହ ଫସଲ କ୍ଷତିଗ୍ରସ୍ତ ଯୋଗୁଁ ଶେଷରେ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ମୃତ ଚାଷୀଙ୍କ ପରିବାରଙ୍କୁ ୧୦ ହାଜର ଟଙ୍କାର ସହୟତା ରାଶି ଦେବା ସହ କ୍ଷତିଗ୍ରସ୍ତ ଚାଷ ଜମିର ସ୍ଥିତି ଅନୁଧ୍ୟାନ କରିଛି ଏହି ପିସିସି ଟିମ ।
ଘଟଣାର ଅନୁଧ୍ୟାନ ପରେ ବିଜୟ ପଟ୍ଟନାୟକ କହିଛନ୍ତି ଯେ, ଏହା ଏକ ସ୍ପର୍ଶକାତର ବିଷୟ । ଚାଷୀ ଜଣଙ୍କ ଋଣ ଭାରରେ ଏପରି ଭାରାଗ୍ରସ୍ତ ହେଇଥିଲେ ଯେ, ସେ ସବୁଆଡୁ ଆଶା ହରାଇଥିଲେ। ସେ କୌଣସି ସରକାରୀ ଯୋଜନାରେ ସହାୟତା ପାଇନଥିଲେ । ସେହି ଅଞ୍ଚଳରେ ବେଆଇନ ଖଣି ଖାଦାନ ଏପରି ବଢ଼ିଯାଇଛି ଯେ ଏହାର ପ୍ରଭାବ ପରିବେଶ ଓ କୃଷି ଜମି ଉପରେ ପଡୁଛି। ତେଣୁ ସେଠାରେ କୌଣସି ଫସଲ ସଠିକ ଭାବେ ହେଉନାହିଁ। ଚାଷୀମାନେ ସବୁବେଳେ କ୍ଷତି ସହୁଛନ୍ତି। ଏହି ବ୍ୟବସ୍ଥା ଉପରେ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ତେଣୁ ଏହି ଘଟଣାକୁ କଂଗ୍ରେସ ଦଳ ଦୃଢ଼ ବିରୋଧ କରିବା ସହ ଏହି ଘଟଣାର ତଥ୍ୟ ସଂଗ୍ରହ କରି ଜାତୀୟ ସବୁଜ ପ୍ରାଧିକରଣ ନିକଟରେ ପହଞ୍ଚାଇବୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ଏହି ପ୍ରତିନିଧି ମଣ୍ଡଳୀର ସଦସ୍ୟ ପ୍ରଦେଶ କଂଗ୍ରେସ କିଶାନ ସେଲ୍ ଅଧକ୍ଷ ଶ୍ରୀଯୁକ୍ତ ଅମିୟ କୁମାର ପଟ୍ଟନାୟକ ଗଣମାଧ୍ୟମକୁ କହିଥିଲେ ଯେ, ଏହି ଚାଷୀ ଆତ୍ମହତ୍ୟା ପାଇଁ ସରକାର ସଂପୂର୍ଣ୍ଣ ଦାୟୀ । ଫସଲ ହାନି ଓ ଋଣଭାର ଯୋଗୁଁ ବିଗତ ୨୪ ବର୍ଷ ଭିତରେ ୧୫ ହାଜରରୁ ଉର୍ଦ୍ଧ ଚାଷୀ ଆତ୍ମହତ୍ୟା କରିଥିବା ବେଳେ ରାଜ୍ୟ ସରକାରଙ୍କର ଏଥି ପ୍ରତି ତିଳେ ମାତ୍ର ନିଘାନାହିଁ। ତୁରନ୍ତ ସରକାରଙ୍କ ପକ୍ଷରୁ ମୃତ ଚାଷୀ ପାରିବାରକୁ ୧୦ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ, ଋଣର ସମୂର୍ଣ୍ଣ ଛାଡ ଓ ଏହି ଅଞ୍ଚଳର ଚାଷ ପାଇଁ ଜଳସେଚନ ସୁବ୍ୟବସ୍ଥା କରାଇବାକୁ ଦୃଢ଼ ଦାବି କରିଛନ୍ତି।
କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକଙ୍କ ନେତୃତ୍ୱରେ ପିସିସି ପକ୍ଷରୁ ଆସିଥିବା ପ୍ରତିନିଧି ମଣ୍ଡଳୀରେ ପିସିସି କିଷାନ କଂଗ୍ରେସ ଅଧକ୍ଷ ଅମିୟ କୁମାର ପଟ୍ଟନାୟକ, ପିସିସି ସାଧାରଣ ସମ୍ପାଦିକା ରଶ୍ମୀ ମହାପାତ୍ର, ଧର୍ମଶାଳା ବ୍ଲକ କିଶାନ କଂଗ୍ରେସ ସଭାପତି ବସନ୍ତ ପରିଡ଼ା, ଯୁବନେତା ମାନସ କର, ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା କଂଗ୍ରେସ ନେତା ବିଶ୍ବନାଥ ଆଚାର୍ଯ୍ୟ ଓ ଉଦ୍ଧବ କର ପ୍ରମୁଖ ବହୁ ଉପସ୍ଥିତି ଥିଲେ।
Comments are closed.