Latest Odisha News

BREAKING NEWS

ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ଅଭିଯାନ-୨୦୨୪, ସଚେତନତା ଲକ୍ଷ୍ୟରେ ‘ପଥ ଉତ୍ସବ’

ଭୁବନେଶ୍ୱର: ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ଅଭିଯାନ-୨୦୨୪ । ଚଳିତ ମାସ ୨୭ ରୁ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଭିଯାନ । ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆସନ୍ତା ୨୮ ତାରିଖରେ ଅନୁଷ୍ଠିତ ହେବ ‘ପଥ ଉତ୍ସବ’ । ଏ ସଂକ୍ରାନ୍ତରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ସ୍ୱତନ୍ତ୍ର ପ୍ରଦକ୍ଷଣ ଗୃହ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।

ଯୁବ ତଥା ନୂତନ ଭୋଟରମାନଙ୍କର ଭୋଟର ତାଲିକାରେ ନାମ ପଞ୍ଜୀକରଣ ଏବଂ ଏ ବାବଦରେ ଭୋଟରମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଅବସରରେ ବିଭିନ୍ନ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପେଣ୍ଟିଂ, ରଙ୍ଗୋଲି, ଝୋଟି, ସ୍କେଟିଂ, କୁଇଜ୍‌ ଏବଂ ଦସ୍ତଖତ ଅଭିଯାନର ଆୟୋଜନ କରାଯିବ। ଏଥିରେ ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଶିକ୍ଷକ ଶିକ୍ଷୟିତ୍ରୀ, ବିଭନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ସାଧାରଣ ଜନତା, ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଅଂଶଗ୍ରହଣ କରିବେ ।

ଏଥିସହ ମୋବାଇଲ ଆପ୍‌ ମାଧ୍ୟମରେ ଭୋଟର ପଞ୍ଜୀକରଣ ନିମନ୍ତେ ଯୁବକ ଯୁବତୀମାନଙ୍କୁ ବିସ୍ତୃତ ଭାବେ ଅବଗତ କରାଇବାକୁ ସହାୟତା କେନ୍ଦ୍ରର ବ୍ୟବସ୍ଥା କରାଯିବ। ଏଥିପାଇଁ ବ୍ୟାପକ ବନ୍ଦୋବସ୍ତ କରିବା ଉଦ୍ଦେଶ୍ୟରେ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପାନୀୟ ଜଳ, ଆମ୍ବୁଲାନ୍ସ, ଅଗ୍ନିଶମ, ଟ୍ରାଫିକ୍‌ ପରିଚାଳନା ନିମନ୍ତେ ସଂପୃକ୍ତ ବିଭାଗମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ ମହାପାତ୍ର, ପ୍ରତାପ ଚନ୍ଦ୍ର ବେଉରା, ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ, ମଧୁସୂଦନ ବେହେରା, ଅତିରିକ୍ତ ଡିସିପି ତରୁଣ କୁମାର ଦାସ, ଟ୍ରାଫିକ୍‌ ଏସିପି ଜୟନ୍ତ କୁମାର ଦୋରା, ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ତରାଇ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, କ୍ରୀଡ଼ା ଅଧିକାରୀ ଅଜୟ କୁମାର ବେହେରା, ପର୍ଯ୍ୟଟନ ଅଧିକାରୀ ଅଞ୍ଜନ କୁମାର ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.