ଲଣ୍ଡନ: ସାଧାରଣତଃ ମହିଳାଙ୍କ ସ୍ତନ କର୍କଟ ହେବା ପ୍ରାୟ ସମସ୍ତେ ଜାଣିଥିବେ । ହେଲେ ଏବେ ବଦଳୁଛି ସଂକ୍ରମଣର ଧାରା । ପୁରୁଷ ବି ହେଉଛନ୍ତି ସ୍ତନ କର୍କଟ ରୋଗର ଶୀକାର । ନିକଟରେ ଫ୍ଲୋରିଡ଼ାର ଜଣେ ପୁରୁଷଙ୍କ ସ୍ତନ କର୍କଟ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।
ଫ୍ଲୋରିଡ଼ାର ବାସିନ୍ଦା ୪୩ ବର୍ଷୀୟ ଜ୍ୟାକ୍ ୟାରବ୍ରୋଗ୍ । ତାଙ୍କୁ ଯେତେବେଳେ ୫ ବର୍ଷ ବୟସ ହୋଇଥିଲା ସେତେବେଳେ ସେ ସାଙ୍ଗମାନଙ୍କ ସହ ପୋଖରୀରେ ପହଁରୁଥିଲେ । ସେତେବେଳେ ତାଙ୍କ ବାମ ଛାତିରେ କିଛି ଅନୁଭୂତ ହୋଇଥିଲା । ହେଲେ ତାହା ଏକ ଛୋଟ ଆଘାତ ବୋଲି ସେ ଅଣଦେଖା କରିଥିଲେ । ପରେ ତାହା ଧୀରେ ଧୀରେ ବଢ଼ି ବହୁ ବଡ଼ ଆକାର ପାଲଟିଗଲା । ଛାତିରେ ଅତ୍ୟଧିକ ଯନ୍ତ୍ରଣା ହେବାରୁ ଡାକ୍ତରଙ୍କ ପାଖକୁ ଗଲେ । ପରୀକ୍ଷାନିରୀକ୍ଷା ପରେ ତାଙ୍କୁ ସ୍ତନ କର୍କଟ ହୋଇଥିବା ଡାକ୍ତର ଜାଣିବାକୁ ପାଇଥିଲେ । ଏହା ୪ର୍ଥ ଷ୍ଟେଜରେ ପହଞ୍ଚିଥିଲା ।
ପରେ ଡାକ୍ତର ସେହି କର୍କଟର ଅଂଶକୁ କାଟି ଦେଇଥିଲେ । କେମୋଥେରାପି ପରେ ୩୬ରୁ ଅଧିକ ବିକିରଣର ଉପଚାର ହେଲା । ସେ ଏବେ ବି କର୍କଟ ସହ ଲଢୁଛନ୍ତି । ସେ ପ୍ରତି ୩ ସପ୍ତାହରେ ଥରେ କେମୋ ନେବା ସହ ବିଭିନ୍ନ ଔଷଧ ସେବନ କରୁଛନ୍ତି । ଜ୍ୟାକ୍ କହିଛନ୍ତି, କର୍କଟକୁ ଲୁଚାଇବା ତାଙ୍କର ସବୁଠୁ ବଡ଼ ଭୁଲ୍ ଥିଲା । ସଙ୍କେତ ମିଳିବା ପରେ ବି ସେ ଡାକ୍ତରଙ୍କଠାରୁ ଲୁଚୁଥିଲେ ।
ଆମେରିକାନ୍ କ୍ୟାନ୍ସର ସୋସାଇଟି ଅନୁସାରେ, ୨୦୨୩ରେ ୨୮୦୦ରୁ ଅଧିକ ଏପରି ଘଟଣା ଦେଖିବାକୁ ମିଳିଲାଣି । ସେଥିମଧ୍ୟରୁ ୫୩୦ ଜଣ ପୁରୁଷଙ୍କ ସ୍ତନ କର୍କଟରେ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ପ୍ରତିବର୍ଷ ୩ ଲକ୍ଷ ମହିଳାଙ୍କ ସ୍ତନ କର୍କଟ ହେଉଥିବାବେଳେ ୪୩ ହଜାର ମହିଳାଙ୍କ ମୃତ୍ୟୁ ଘଟୁଛି । ଆମେରିକାନ୍ କ୍ୟାନ୍ସର ସୋସାଇଟି ମୁତାବକ, ଖୁବ୍ଶୀଘ୍ର ଏହି ରୋଗ ଚିହ୍ନଟ ହୋଇପାରିଲେ ୯୯ ପ୍ରତିଶତ ଏହାର ନିରାକରଣ ହେବା ସମ୍ଭାବନା ରହିଛି ।
Comments are closed.