ଜଗତସିଂହପୁର: ପାରାଦୀପ ବନ୍ଦରରେ ନୌସେନା ଜାହାଜର ଏମର୍ଜେନ୍ସି ବାର୍ଥିଂ ହୋଇଛି। ସୂଚନାନୁସାରେ, ଭାରତୀୟ ନୌସେନାର ସର୍ବେ ସିପ୍, ଆଇଏନଏସ ଦର୍ଶକରେ ଥିବା ଜଣେ କ୍ରିୟୁ ସଦସ୍ୟଙ୍କର ଦେହ ଅସୁସ୍ଥ ହେବାରୁ ଜରୁରୀକାଳୀନ ବାର୍ଥିଂ ହୋଇଥିବା ସୂଚନା ରହିଛି।
ପାରାଦୀପ ବନ୍ଦରର ଏମପିଭି ବାର୍ଥରେ ଲାଗିଛି ଆଇଏନଏସ ଦର୍ଶକ। କ୍ରିୟୁ ମେମ୍ବରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ଏହି ବନ୍ଦରରେ ବର୍ଥିଂ କରିଥିବା ଜଣାପଡିଛି। କୋଷ୍ଟାଲ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ପାରାଦୀପ ପୋର୍ଟ ହସ୍ପିଟାଲକୁ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଇଛି। ଏହାପରେ ଅଧିକ ଚିକିତ୍ସା ପାଇଁ କ୍ରିୟୁ ମେମ୍ବରଙ୍କୁ ଚିଲିକା ନୌସେନା ବେସ୍ ସ୍ଥାନାନ୍ତର କରାଯାଇଛି।
ତାମିଲନାଡୁ କୋଏମ୍ବାଟୁରର ଏହି କ୍ରିୟୁ ସଦସ୍ୟ ଜଣଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ଘଟଣାକୁ ଲକ୍ଷ୍ୟ କରି ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଥିଲା। ପରେ ଜାହାଜଟି ଏମର୍ଜେନ୍ସି ବାର୍ଥିଂ କରିଥିଲା। ବନ୍ଦର କର୍ତ୍ତୃପକ୍ଷ ନୌସେନା ଜାହାଜର ଜରୁରୀକାଳୀନ ବାର୍ଥିଂ କରିବା ପରେ କର୍ମଚାରୀଙ୍କୁ ତୁରନ୍ତ ଡାକ୍ତରଖାନା ସ୍ଥାନାନ୍ତର ପାଇଁ ଆବଶ୍ୟକ ବ୍ୟବସ୍ଥା କରିଥିଲେ।
Comments are closed.