Latest Odisha News

ପାଣ୍ଡିଆନଙ୍କୁ କ୍ୟାବିନେଟ ପାହ୍ୟା ଦେବା କ୍ଷତି ଭରଣା ଉଦ୍ୟମ ବୋଲି କହିଲା କଂଗ୍ରେସ, ବିଜେପି କହିଲା-ଏଣିକି ଲଢେଇ ମୈଦାନରେ ହେବ

ଭୁବନେଶ୍ୱର:‘ଆଶ୍ଚର୍ଯ୍ୟଚକିତ ନୁହେଁ, ମୁଁ ଏହା ପୂର୍ବରୁ ଅନୁମାନ କରୁଥିଲି ।’ ୫ଟି ସଚିବ ଭିକେ ପାଣ୍ଡିଆନ ୫ଟି ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ ପ୍ରତିକ୍ରିୟା ରଖି ଏକଥା କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ଗତକାଲି ରାତିରେ ସ୍ୱେଚ୍ଛାକୃତ ଅବସର ନେଇଥିଲେ ୫ଟି ସଚିବ ଭିକେ ପାଣ୍ଡିଆନ । ଆଜି ସକାଳେ ୫ଟି ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିବା ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ  ଘୋଷଣା କରାଯାଇଛି ।  ସେତିକି ନୁହେଁ, ସେ ନୀବନ ଓଡ଼ିଶାର ମଧ୍ୟ ଚେୟାରମ୍ୟାନ ହୋଇଛନ୍ତି । ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ସିଧାସଳଖ କାମ କରିବେ ।

ଏ ନେଇ ବିରୋଧୀ କଂଗ୍ରେସ ପକ୍ଷରୁ ପ୍ରକାଶ ପାଇଛି ତୀବ୍ର ପ୍ରତିକ୍ରିୟା । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ୩୦ ଜିଲ୍ଲା   ବୁଲିବା ଯୋଗୁଁ ଯେଉଁ କ୍ଷତି ହୋଇଥିଲା ତାହା ଭରଣା ଉଦ୍ୟମ କରିଛନ୍ତି ସରକାର । ପୂର୍ବରୁ ପାଣ୍ଡିଆନ ବ୍ୟାକଫୁଟ୍‌ରେ ଥିଲେ । ବହୁ ଚିନ୍ତା କରି ଏପରି ନିଷ୍ପତ୍ତି ସରକାର ନେଇଛନ୍ତି ବୋଲି କହିଛନ୍ତି ନରସିଂହ । ୩ ଦିନ ଭିତରେ ଭିଆରଏସ ଆବେଦନ, ଗ୍ରହଣ, ଅନୁମୋଦନ ଏବଂ ନୂତନ ଦାୟିତ୍ୱ ଗ୍ରହଣ । ଏସବୁ କେନ୍ଦ୍ର ସରକାରଙ୍କ ଆଶୀର୍ବାଦରେ ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ଶ୍ରୀ ମିଶ୍ର ।

କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ନରସିଂହ କହିଛନ୍ତି, ବିଜେଡି-ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । କେନ୍ଦ୍ର ସରକାର ଚାହିଁଥିଲେ ଏହାକୁ ଅଟକାଇ ପାରିଥାନ୍ତେ । କିନ୍ତି ଏସବୁ କେନ୍ଦ୍ରର ଜାଣତରେ ହୋଇଛି । ତେବେ ଆଇନ ଦୃଷ୍ଟିରୁ ଦେଖିଲେ, ଏଥିରେ କିଛି ବେଆଇନ ବା ଅସାମ୍ବିଧାନିକ କାମ ହୋଇ ନାହିଁ । କାରଣ ମୁଖ୍ୟମନ୍ତ୍ରୀ ଚାହିଁଲେ, ବିନା କ୍ୟାବିନେଟ ମଞ୍ଜୁରୀରେ ସବୁ ନିଷ୍ପତ୍ତି ନେଇ ପାରିବେ ।  ତେଣୁ ବିରୋଧୀଙ୍କ ପାଟି ଏବେ ଚୁପ କରି ଦିଆଯାଇଛି ।

ଏପଟେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଇସ୍ତଫା ଏକ ପ୍ରହେଳିକା । କ୍ଷମତା ହାସଲ ପାଇଁ ଏହା ଏକ ଷଢଯନ୍ତ୍ର । ବିଜେଡି-ବିଜେପି ଏକ ବୋଲି ପୁଣି ଥରେ ପ୍ରମାଣିତ ହୋଇ ଯାଇଛି । ନଚେତ ତିନିଦିନ ମଧ୍ୟରେ ଏସବୁ କେମିତି ସମ୍ଭବ ହୋଇପାରିଥାନ୍ତା !

ସେପଟେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ଅଧ୍ୟକ୍ଷ ମନମୋହନ ସାମଲ କହିଛନ୍ତି, ଏଥର ଲଢେଇ ଖୋଲ ମୈଦାନରେ ହେବ  । ଭାରତର ନାଗରିକ ଭାବେ ଜଣେ ନିର୍ବାଚନ ଲଢିପାରିବେ । କିନ୍ତୁ ଚାକିରିରେ ଥାଇ ଜଣେ ରାଜନୀତି କରିପାରିବେ ନାହିଁ । ତେଣୁ ପାଣ୍ଡିଆନ ଇସ୍ତଫା ଦେବା ପରେ ରାଜନୀତି କରିପାରିବେ । ଆମେ ବ୍ୟବସ୍ଥାକୁ ବିରୋଧ କରୁଥିଲୁ, ବ୍ୟକ୍ତିଙ୍କୁ ନୁହେଁ ବୋଲି କହିଚନ୍ତି ବିଜପି ନେତା ମନମୋହନ ସାମଲ ।

ସେ ଆହୁରି କହିଛନ୍ତି, ନିର୍ବାଚନରେ ବିଚାରଧାରା ଲଢେଇ ହେବ । ଓଡ଼ିଶାର ସ୍ୱାର୍ଥ ପାଇଁ, ହକ ପାଇଁ ଲଢେଇ ହେବ । ଓଡ଼ିଶାରେ ଯେଉଁମାନେ ଦୁର୍ନୀତି ଓ ଭ୍ରଷ୍ଟାଚାର କରୁଛନ୍ତି ସେମାନଙ୍କ ବିରୋଧରେ ଲଢେଇ ହେବ ବୋଲି କହିଛି ବିଜେପି ।

ଅନ୍ୟପକ୍ଷେ ବିଜେଡି ଏ ପ୍ରସଙ୍ଗରେ ଚୁପ ରହିଥିବାବେଳେ ନିଜେ ପାଣ୍ଡିଆନ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।

Comments are closed.