Latest Odisha News

BREAKING NEWS

ମା’ ମାଣିକେଶ୍ବରୀଙ୍କ ଲାଖମରା ପର୍ବ ଅନୁଷ୍ଠିତ

ଭବାନୀପାଟଣା: କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କ ଲାଖବିନ୍ଧା ବା ବା ଲାଖମରା ପର୍ବ ମହାସମାରହରେ ଅନୁଷ୍ଠିତ ହୋଇଯାଛି । ଏହି ପର୍ବର ଏକ ଭିନ୍ନ ସ୍ବତନ୍ତ୍ରତା ରହିଛି । ଏହି ପର୍ବ ମାଧ୍ୟମରେ ଏକ ଲାଖମରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ ଓ ବିଜୟୀ କୁ ରାଜପରିବାର ପକ୍ଷରୁ ପୁରସ୍କାର ଦିଆଯାଇଥାଏ ।
ବିଜୟା ଦଶମୀ ତିଥୀରେ ମା’ ମାଣିକେଶ୍ବରୀଙ୍କ ଲାଖମରା ପର୍ବ ଅନୁଷ୍ଠିତ ହୋଇଥାଏ । ଅପରାହ୍ନରେ ଛତ୍ର ବାହକ ମାଣିକେଶ୍ବରୀଙ୍କ ବିଜୟ ପ୍ରତିମା ଛତ୍ରକୁ ମୁଖ୍ୟ ମନ୍ଦିରରୁ ଧରି ବାହୁକ, ମୁଣ୍ଡଛିନା, ସେବାୟତ ସହ ଜେନାବାଦ୍ୟ, ଘୁମୁରା ଓ ଘଣ୍ଟ ଘଣ୍ଟାର ତାଳେ ତାଳେ ମନ୍ଦିରରୁ ବାହାରି ଭବାନୀପାଟଣା ସହରର ପଶ୍ଚିମ ଉପକଣ୍ଠରେ ଥିବା ଲାଖମରା ପଡିଆକୁ ଯାଇଥାନ୍ତି । ଲାଖମରା ପଡିଆରେ ଥିବା ଅସ୍ଥାୟୀ ମଣ୍ଡପରେ ଦେବୀଙ୍କ ଛତ୍ରକୁ ସ୍ଥାପନ କରାଯିବା ସହ ବିଧି ବିଧାନ ପୂର୍ବକ ପୂଜାର୍ଚ୍ଚନା ଓ ଛାଗଳ ବଳି ଦିଆଯାଏ ।

ପରମ୍ପରା ଅନୁଯାୟୀ, କଳାହାଣ୍ଡି ରାଜା ପରିବାର ସଦସ୍ୟ ଛତ୍ରକୁ ବନ୍ଦାପନା କରିବା ପରେ ଆରମ୍ଭ ହୋଇଥାଏ ଲାଖମରା ପର୍ବ । ଏକ ସୁ-ଉଚ୍ଚ ଖମ୍ବରେ ବନ୍ଧା ଯାଇଥିବା ମାଟି ହାଣ୍ଡିରେ ନିର୍ମିତ ଦେବୀଙ୍କ ଲାଖକୁ ଲକ୍ଷ୍ୟଭେଦ ପାଇଁ ଆରମ୍ଭ ହୋଇଥାଏ ପ୍ରତିଯୋଗିତା । ମାଟି ହାଣ୍ଡିରେ ମାଣିକେଶ୍ବରୀଙ୍କ ପ୍ରସାଦ ଥାଏ । ଏହି ପ୍ରତିଯୋଗିତାରେ ଚଳିତ ବର୍ଷ ମଧ୍ୟ ଅନେକ ଯୁବକ ସାମିଲ ହୋଇଥିଲେ । ପରେ ଛତ୍ର ଜେନା ବାଦ୍ୟ ତାଳେ ତାଳେ ମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଥିଲେ ।

ରୀତିନୀତି ଅନୁଯାୟୀ, ରାଜ ପରିବାର ସଦସ୍ୟଙ୍କୁ ଅଭିଷିକ୍ତ ବ୍ରାହ୍ମଣ ମାନେ ଅପରାଜିତା ମନ୍ତ୍ରରେ ରାଜ୍ୟାଭିଷେକ କରାଇଥାନ୍ତି । ପରେ ପରେ ମୂଳାଷ୍ଟମୀ ଠାରୁ ମାଣିକେଶ୍ବରୀଙ୍କୁ ମୁଣ୍ଡବସା ପର୍ବରୁ ଆରମ୍ଭ ହୋଇଥିବା ଦଶହରା ପର୍ବରେ ରକ୍ତମୁଖା ହୋଇଥିବା ଦେବୀଙ୍କୁ ଶାନ୍ତ କରାଇବାପାଇଁ ମନ୍ଦିର ଦ୍ବାରରେ କଣ୍ଟାବାଡ ଦିଆଯାଇଥାଏ । ଆସନ୍ତା କୁମାର ପୂର୍ଣ୍ଣମୀରେ ଦେବୀଙ୍କ କଣ୍ଟାବାଡ ଫିଟା ଅନୁଷ୍ଠିତ ହେବ । ଲାଖମରା ପର୍ବକୁ ନେଇ ଶ୍ରଦ୍ଧାଳୁ ଓ ପ୍ରତିଯୋଗୀଙ୍କ ମଧ୍ୟରେ ବେଶ ଆନନ୍ଦ ଓ ଉତ୍ସାହ ଦେଖାଦେଇଥିଲା ।

ଚଳିତ ବର୍ଷ ଏହି ଲାଖମରା ପାଇଁ କଳାହାଣ୍ଡି ରାଜ ପରିବାରର ରାଜକୁମାର ଫତେ କେଶରୀ ଦେଓ ଏହି ଲକ୍ଷ୍ୟ ଭେଦ କରିଛନ୍ତି । ମାଣିକେଶ୍ବରୀଙ୍କ ଛତର ଯାତ୍ରା ଦେଖିପାରିନଥିବା ଭକ୍ତ ଲାଖମରାରେ ଦେବୀଙ୍କ ଛତର ଦର୍ଶନ କରି ଅନେକ ପଶୁ ଓ ପକ୍ଷୀ ବଳି ଦେଇଛନ୍ତି ।

Comments are closed.