Latest Odisha News

ରାମ ମନ୍ଦିରକୁ ନେଇ ସଞ୍ଜୟ ରାଉତଙ୍କ ବିବୃତ୍ତିର କଡ୍ଡା ଜବାବ ଦେଲେ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ

ଲକ୍ଷ୍ନୌ: ଅଯୋଧ୍ୟାରେ ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିର ପ୍ରତିଷ୍ଠା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରାଯାଇଛି । ଯାହାକୁନେଇ ବିରୋଧୀ ଦଳ ମାନେ ଏହା ଉପରେ ବିବୃତ୍ତି ଦେବା ଆରମ୍ଭ କରିଦେଇଛନ୍ତି । ସେପଟେ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ କରିବାର କୌଣସି ଆବଶ୍ୟକତା ନାହିଁ । ସେ ନିଜେ ଆପେ ଆପେ ଯିବେ । ସେ ହେଉଛନ୍ତି ଦେଶର ପ୍ରଧାନମନ୍ତ୍ରୀ ତେଣୁ ସେ ନିଶ୍ଚିତ ଭାବରେ ଯିବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ‘ଏତେ ବଡ ଆୟୋଜନ କିଏ କାହିଁ ଛାଡିବ । ରାମ ମନ୍ଦିର ତ ନିର୍ମାଣ ହେବାର ହିଁ ଥିଲା । କାରଣ ହଜାର ହଜାର ରଥ ସେବକ ଏଥିପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି’ ।

ସଞ୍ଜୟ ରାଉତ ଆହୁରି କହିଛନ୍ତି ଯେ, ‘ଏଥିରେ ସମସ୍ତ ହିନ୍ଦୁତ୍ୱ ସଂଗଠନ ଏବଂ ଦଳ ଜଡିତ ଥିଲେ । ଶିବସେନା, ବଜରଙ୍ଗ ଦଳ ଏବଂ ବିଶ୍ୱ ହିନ୍ଦୁ ପରିଷଦ ସେଠାରେ ଉପସ୍ଥିତ ଥିଲେ । ଲାଲକୃଷ୍ଣ ଆଡଭାନୀ ରଥ ଯାତ୍ରା କରିଥିଲେ । ଏସବୁର ଫଳାଫଳ ହେଉଛି ରାମ ମନ୍ଦିର ନିର୍ମାଣ । ଏହି କାରଣରୁ ପିଏମ ମୋଦୀ ସେଠାକୁ ଯାଇ ପୂଜାର୍ଚ୍ଚନା କରିବେ କିନ୍ତୁ ମୁଁ ଭାବୁଛି ଏହା ନିର୍ବାଚନ ପାଇଁ ଏକ ପୂର୍ବ ପ୍ରସ୍ତୁତି’।

ସେପଟେ, ସଞ୍ଜୟ ରାଉତଙ୍କ ବିବୃତ୍ତି ଉପରେ ରାମ ଜନ୍ମଭୂମିର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି ଯେ, ଲୋକମାନେ କେବଳ ସେମାନଙ୍କର ମାନସିକତା ଆଧାରରେ କଥାବାର୍ତ୍ତା କରନ୍ତି । ସଞ୍ଜୟ ରାଉତଙ୍କୁ କେବଳ ସବୁ ସ୍ଥାନରେ ନିର୍ବାଚନ ଦେଖାଯାଉଛି । ପ୍ରାଣ-ପ୍ରତିଷ୍ଠା ହେଉଛି ଆସ୍ଥା, ବିଶ୍ୱାସ ଏବଂ ଭକ୍ତିର ବିଷୟ । ଯେଉଁଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ କରାଯାଇଛି ।

ଆଚାର୍ଯ୍ୟ ସତ୍ୟେନ୍ଦ୍ର କହିଛନ୍ତି, ‘ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଭୂମି ପୂଜନ କରିଥିଲେ । ବର୍ତ୍ତମାନ ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ । ଆଉ ଏହା ୨୨ ଜାନୁୟାରୀ ୨୦୨୪ରେ ପ୍ରତିଷ୍ଠା ହେବା ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ କରାଯାଇଛି । ପ୍ରଧାନମନ୍ତ୍ରୀ ଏହି ନିମନ୍ତ୍ରଣକୁ ସ୍ବୀକାର ମଧ୍ୟ କରିଛନ୍ତି । ଏହା ବଳିଦାନ ବିଷୟ ନୁହେଁ, ଭକ୍ତି ଏବଂ ବିଶ୍ୱାସର ବିଷୟ ଅଟେ ।

ଆଚାର୍ଯ୍ୟ ଦାସ ଆହୁରି କହିଛନ୍ତି ଯେ, ଯଦି ରାଜନୀତି କଥା ଉଠୁଛି, ପିଏମ ମୋଦି ଆସିବେ ଏବଂ ଯିବେ, କିନ୍ତୁ ସମସ୍ତ ରାଜନୈତିକ ଦଳ ବୁଝିବା ଉଚିତ ଯେ, ପ୍ରଭୁ ରାମଙ୍କ ଆଶୀର୍ବାଦ ତାଙ୍କ ଉପରେ ରହିଛି । ସେଥିପାଇଁ ସେମାନେ କ୍ଷମତାରେ ଅଛନ୍ତି ଏବଂ ଏହା ମଧ୍ୟ ସେ ଜାରି ରଖିବେ । ଯେଉଁମାନେ ପ୍ରଭୁ ରାମଙ୍କୁ ବିରୋଧ କରୁଛନ୍ତି ସେମାନେ ରାସ୍ତାରେ ବୁଲୁଛନ୍ତି ଏବଂ ଏହା ମଧ୍ୟ ଜାରି ରହିବ ।

Comments are closed.