Latest Odisha News

୫ମ ଥର ପାଇଁ ‘କ୍ରୁଟ’କୁ ମିଳିଲା ଜାତୀୟ ଉତ୍କର୍ଷ ପୁରସ୍କାର

ଭୁବନେଶ୍ବର: ପୁଣି ଥରେ କ୍ରୁଟକୁ ମିଳିଲା ଜାତୀୟ ଉତ୍କର୍ଷ ପୁରସ୍କାର । ଏହାକୁ ମିଶାଇ କ୍ରମାଗତ ଭାବେ ୫ମ ଥର ପାଇଁ ଏହି ପୁରଷ୍କାର ହାତେଇଛି ‘କ୍ରୁଟ’ । ଶ୍ରେଷ୍ଠ ସହରୀ ପରିବହନ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ‘ମୋ ବସ୍‌’ ସେବା ଯୋଗାଉଥିବା କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌)କୁ ଏହି ପୁରସ୍କାର ମିଳିଛି । ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚ୍ୟୁଏ) ଦ୍ୱାରା ଆୟୋଜିତ ୧୬ତମ ଅର୍ବାନ ମୋବିଲିଟି ଇଣ୍ଡିଆନ୍‌ କନ୍‌ଫରେନ୍ସ ସମ୍ମିଳନୀରେ ‘କ୍ରୁଟ’ କୁ ପୁରସ୍କୃତ କରାଯାଇଛି ।

‘ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ରନିଂ ଟ୍ରଫି” ବର୍ଗରେ ଏହି ଉତ୍କର୍ଷ ପୁରସ୍କାର ପ୍ରଦାନ କରାଯାଇଛି । ଶ୍ରେଷ୍ଠ ସହରୀ ପରିବହନ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ‘କ୍ରୁଟ’ କୁ ଏହି ପୁରସ୍କାର ମିଳିଛି । ସବସିଡି ହ୍ରାସ କରିବା ଏବଂ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ଦିଗରେ କାର୍ଯ୍ୟ କରିବା ତଥା ସହରାଞ୍ଚଳ ପରିବହନର ପରିଚାଳନା କ୍ଷେତ୍ରରେ ଅଧିକ ଦକ୍ଷ ଓ ପ୍ରଭାବଶାଳୀ ବ୍ୟବସ୍ଥା ସୃଷ୍ଟି କରିବା ଦିଗରେ ‘କ୍ରୁଟ’ର ରଣକୌଶଳ ପାଇଁ ଏହି ସମ୍ମାନ ମିଳିଛି ।

ସମ୍ମିଳନୀରେ ପରିବହନ କ୍ଷେତ୍ରରେ ପରିବର୍ତ୍ତନ ଆଣିବାରେ ‘କ୍ରୁଟ’ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ‘କ୍ରୁଟ’ ରାଜସ୍ୱ ସଂଗ୍ରହରେ ସଫଳତା ହାସଲ କରି ସରକାରୀ ସବସିଡି ଉପରେ ନିର୍ଭରଶୀଳତାକୁ ଯଥେଷ୍ଟ ହ୍ରାସ କରିପାରିଛି । ଏହା ଦ୍ୱାରା ଅଧିକ ଦକ୍ଷ ପରିଚାଳନା ସମ୍ଭବ ହେବା ସହ ୨.୫ ଲକ୍ଷରୁ ଅଧିକ ଯାତ୍ରୀଙ୍କୁ ନିରବଚ୍ଛିନ୍ନ ଦୈନିକ ପରିବହନ ସେବା ଯୋଗାଇ ଦିଆଯାଇପାରୁଛି । ‘କ୍ରୁଟ’ର ସୁପରିଚାଳନା ଯୋଜନା ଏବଂ ବୈଜ୍ଞାନିକ ରାଜସ୍ୱ ନିଶ୍ଚିତତା କୌଶଳ ମାଧ୍ୟମରେ ସଫଳତାର ସହ ୨୦୧୯-୨୦ ଆର୍ଥିକ ବର୍ଷରେ ଯାତ୍ରୀ ପିଛା ସବସିଡି ୧୧.୬୫ ଟଙ୍କାରୁ ୨୦୨୨-୨୩ ଆର୍ଥିକ ବର୍ଷରେ ଏହା ୫.୫୭ ଟଙ୍କାକୁ ହ୍ରାସ ପାଇଛି ।

ତେବେ ଓଡ଼ିଶା ସରକାର ୫-ଟି ନୀତି ଅଧାରରେ ଟେକ୍ନୋଲୋଜି, ଟିମ୍ ୱାର୍କ, ସ୍ୱଚ୍ଛତା, ସମୟ ଓ ରୂପାନ୍ତରଣକୁ ଗୁରୁତ୍ତ୍ଵ ଦେଉଥିବା ସମ୍ମିଳନୀରେ କୁହାଯାଇଛି ।

Comments are closed.