ପଞ୍ଜାବ: ଦଶ ମାସ ଦଶ ଦିନ ଗର୍ଭରେ ଧରି ପୁଅ ଜନ୍ମ କରିଥିଲା ମା’ । ଭାବିଥିଲା ଶେଷ ସମୟରେ ପୁଅ ସାହାରା ହେବ । ମଲା ବେଳେ ପାଟିରେ ଗଙ୍ଗା ଜଳ ହେବ । କିନ୍ତୁ ପୁଅ ଯେତେବେଳେ ମା’ କୁ ବଞ୍ଚି ଥାଉ ଥାଉ ନର୍କ ଯନ୍ତ୍ରଣା ଦିଏ ସେତେବେଳେ ମା’ ବା ଦୋଷ ଦେବ କାହାକୁ । ହଁ ଆଜ୍ଞା ବୃଦ୍ଧା ବୟସ୍କ ମା’ ଜଣକ ଅସୁସ୍ଥ ହୋଇ ବେଡରେ ପରିସ୍ରା କରି ଦେଇଥିବାରୁ ଏଥିରେ ରାଗି ଯାଇ ନିଜ ଜନ୍ମକଲା ପୁଅ ବୋହୁ ଓ ନାତି ବୃଦ୍ଧା ଜଣକୁ ଦେଉଥିଲେ ଶାରିରୀକ ନିର୍ଯ୍ୟାତନା । ପରେ ସିସିଟିଭିରେ ସତ ସାମ୍ନାକୁ ଆସିବାରୁ ଘଟଣାଟି ଚାରିଆଡେ ପ୍ରଘଟ ହୋଇଥିଲା । ଏପରି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ପଞ୍ଜାବର ରୋପର ଜିଲ୍ଲାରେ ।
ସୂଚନା ଅନୁସାରେ, ବୃଦ୍ଧା ଜଣଙ୍କ ନାଁ ହେଉଛି ଆଶା ରାଣୀ । କିଛି ବର୍ଷ ତଳେ ହୃଦଘାତରେ ଆଶା ରାଣୀଙ୍କ ସ୍ବାମୀଙ୍କ ଦେହାନ୍ତ ହୋଇଥିଲା । ପୁଅ, ବୋହୂ ଓ ନାତିଙ୍କୁ ଧରି ଅବଶିଷ୍ଟ ଜୀବନ ସୁଖରେ କାଟିବେ ବୋଲି ଆଶା କରିଥିଲେ ଆଶା ରାଣୀ । ମାତ୍ର ବିଧି ର ବିଧାନ ଥିଲା କିଛି ଅଲଗା । ପୁଅ ବୋହୁ ନିତିଦିନ ତାଙ୍କୁ ମାଡ ମାରୁଥିବା କଥା ଆଶା ରାଣୀ ତାଙ୍କ ଝିଅକୁ କହିଥିଲେ । ପରେ ଝିଅ ସତ ଜାଣିବାକୁ ଘରେ ସିସିଟିଭି ଲଗାଇଥିଲେ । ସିସିଟିଭି ଫୁଟେଜରୁ ଯାହା ଦେଖିବାକୁ ମିଳିଲା ତାହା ଜାଣି ଝିଅ ପାଦରୁ ମାଟି ଖସିଯାଇଥିଲା । ଅସୁସ୍ଥତା କାରଣରୁ ସାମାନ୍ୟରେ ବେଡରେ ପରିସ୍ରା କରିଦେବାରୁ ମା’କୁ ପୁଅ ବୋହୁ ଓ ନାତି ମିଶି ନିର୍ଦ୍ଧୁମ ମାଡ ମାରିଥିଲେ । ଏପରିକି ନାବାଳକ ନାତି ମଧ୍ୟ ଆଶା ରାଣୀଙ୍କ ଶଯ୍ୟାରେ ପାଣି ଢାଳୁଥିବା ଦେଖାଯାଇଥିଲା ।
କିଛି ଦିନ ଧରି ପୁଅ ଅଙ୍କୁର ବର୍ମା, ପତ୍ନୀ ସୁଧା ଓ ନାତି ହିଂସ୍ର ଆଚରଣ କରିବା ନେଇ ସୂଚନା ପାଇବା ପରେ ଆଶାରାଣୀଙ୍କ ଝିଅ ଏକ ଏନଜିଓର ଦ୍ବାରସ୍ଥ ହୋଇଥିଲେ । ଏନଜିଓ ଓ ପୋଲିସ ଏହି ଘଟଣାରେ ହସ୍ତକ୍ଷେପ କରି ବୃଦ୍ଧାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଇ ଚିକିତ୍ସା କରାଇଛି । ସେପଟେ ପୁଅ ଅଙ୍କୁର ବର୍ମା ପେଶାରେ ଜଣେ ଓକିଲ ଥିବା ବେଳେ ଏହି ଘଟଣା ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଅପରପକ୍ଷେ ଡାକ୍ତରଖାନାରେ ପରୀକ୍ଷା କରାଯିବା ପରେ ଡାକ୍ତରମାନେ ମହିଳାଙ୍କ ଶରୀରରେ ଏକାଧିକ ଆଘାତ ପାଇଥିଲେ । ଏହି ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଂଜାବର ମହିଳା ବିକାଶ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
Comments are closed.