Latest Odisha News

BREAKING NEWS

ଟଙ୍କା ବଦଳ ପାଇଁ ଆଜି ବି ଆରବିଆଇ ସାମ୍ନାରେ ଲାଗିଛି ଲମ୍ବା ଧାଡ଼ି

ଭୁବନେଶ୍ୱର: ଟଙ୍କା ବଦଳ ପାଇଁ ଆଜି ବି ଆରବିଆଇ ସାମ୍ନାରେ ଲାଗିଛି ଭିଡ । ଏକଦମ ଲମ୍ବା ଧାଡି । ସକାଳୁ ସକାଳୁ ଏହି ଧାଡି ଲାଗିଥିବା ଦେଖିବାକୁ ମିଳିଛି । ଗତକାଲି ଇଓଡବ୍ଲ୍ୟୁ ଏବଂ ଇଡି ଖୋଳତାଡ କରିବା ପରେ ବି କିଛି ଫରକ ପଡିନି । ହେଲେ ଏ ଯାଏ ଧରାପଡୁନି ଏ ଟଙ୍କା କିଏ ଦେଉଛି  ।

ସୂଚନାଥାଉ କି, ଗତ କିଛି ଦିନ ହେବ ମୂଲିଆ ଏବଂ ଶ୍ରମିକ ଶ୍ରେଣୀର ଲୋକେ ଆରବିଆଇ ସମ୍ମୁଖରେ ଲମ୍ବାଧାଡିରେ ଛିଡା ହୋଇ ୨୦୦୦ ଟଙ୍କା ବଦଳାଉଥିବା ଦେଖିବାକୁ ମିଳିଥିଲା । ସମସ୍ତଙ୍କ ପାଖରେ ଥିଲା ୨୦ ହଜାର ଟଙ୍କାର ବଣ୍ଡଲ ।   ତେବେ ଏହି ମୂଲିଆ, ଶ୍ରମିକଙ୍କ ପାଖକୁ ଏତେ ଟଙ୍କା କେଉଁଠୁ ଆସୁଛି, ସେ ଟଙ୍କାର ଭଣ୍ଡାର କେମିତି ସରୁନି ଏ ସମସ୍ତଙ୍କ ମନରେ ଉଠିଥିଲା ପ୍ରଶ୍ନ । ଏହା ପଛରେ ଆଉ କାହାର ହାତ ଥିବା ଅନୁମାନ କରାଯାଉଥିଲା । ଏପରିକି ୨୦ ହଜାର ଟଙ୍କା ବଦଳାଇବା ପାଇଁ ଜଣଙ୍କୁ ୨୫୦ରୁ ୫୦୦ ଟଙ୍କା  ଦିଆ ଯାଉଥିବା ଚୁର୍ଚ୍ଚା ହେଉଥିଲା ।

ଶିଳ୍ପପତି, ବ୍ୟବସାୟୀମାନେ କଳା ଧନକୁ ଧଳା କରିବା ପାଇଁ ଏପରି ପ୍ରୟାସ ଚଲାଇଥିବା ଜଣାଯାଇଥିଲା  । ହୁଏତ  ଟିକସ ଫାଙ୍କି ପାଖରେ ରଖିଥିବା କୋଟି କୋଟି ଟଙ୍କାକୁ ବଦଳାଇବା ପାଇଁ ଏବେ ଏହି ମୂଲିଆ, ମିସ୍ତ୍ରୀଙ୍କୁ ଧରିଛନ୍ତି ଶିଳ୍ପପତି ଏମିତି ଅନୁମାନ ବି କରାଯାଉଥିଲା । ଏପରି ଲମ୍ବା ଭିଡ ଦେଖି ଇଓଡବ୍ଲ୍ୟୁ ଓ ଇଡି ମଧ୍ୟ ଘଟଣାସ୍ଥଳକୁ ଆସି ଜେରା କରିଥିଲା ।

ଗତକାଲି ପ୍ରଥମେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ବା ଇଓଡବ୍ଲ୍ୟୁର ୨ ଜଣିଆ ଟିମ ଆସି ପଚରା ଉଚରା କରିଥିଲା । ଆଧାରକାର୍ଡ ଦେଖିବା ସହ ନାଁ ପଚାରି ବୁଝିଥିଲା । ନିଜ ଟଙ୍କା ନା ଆଉ କାହାର  ସେ ବିଷୟରେ ମଧ୍ୟ ପଚାରି ବୁଝିଥିଲେ । ଇଓଡବ୍ଲୁ ଯିବା ପରେ ପହଞ୍ଚିଥିଲା ଇଡି । ଧାଡିରେ ଛିଡା ହୋଇଥିବା ବ୍ୟକ୍ତିଙ୍କୁ କେଉଁଠୁ ଟଙ୍କା ଆସିଲା ? ତୁମର ନା ଆଉ କିଏ ଦେଇଛି ଏସବୁ ସମ୍ପର୍କରେ ପଚାରିଥିଲା ।

ଏହା ପରେ ବି ଆଜି ସକାଳୁ ପୁଣି ଟଙ୍କା ବଦଳ ପାଇଁ ଭିଡ ଲାଗିଥିବା ଦେଖିବାକୁ ମିଳିଛି ।

Comments are closed.