Latest Odisha News

BREAKING NEWS

ପୁଣ୍ୟତିଥିରେ ମନେପଡନ୍ତି ଭଜନ ସମ୍ରାଟ, ଆଜି ବି ପ୍ରତିଟି ଓଡିଆଙ୍କ ମନରେ ଅଛନ୍ତି ଜୀବନ୍ତ

ଭୁବନେଶ୍ଵର: ପ୍ରଭୂ ଜଗନ୍ନାଥଙ୍କ ପାଖରେ ଥିଲା ଭାବ, ଭକ୍ତି । ଥିଲା ପୁଣି କାଳିଆ ଠାକୁରଙ୍କ ପ୍ରତି ସମର୍ପଣ ଭାବ । ବାସ୍ ଏତିକିରେ ସେ ବନିଗଲେ ସମ୍ରାଟ୍ । ସେ ଥିଲେ ଭାବ ଓ ଭକ୍ତିର ଭିକାରୀ । ସେ ଆଉ କେହି ନୁହଁନ୍ତି ସେ ହଉଛନ୍ତି ଭଜନ ସମ୍ରାଟ ଭିକାରୀ ବଳ । ଏବେ ଆଜି ପରପାରିରେ ଏହି କଳାକାର । ତାଙ୍କ ନିଧନ ହେବାର ଇତି ମଧ୍ୟରେ ବିତିଗଲାଣି ଅନେକ ବର୍ଷ । କିନ୍ତୁ ଆଜି ମଧ୍ୟ ତାଙ୍କ ଗୀତ ଅଭୁଲା । ଆଜି ମଧ୍ୟ ସେ ଅପାସୋରା ହୋଇ ରହିଛନ୍ତି ପ୍ରତିଟି ଓଡ଼ିଆଙ୍କ ହୃଦୟରେ । ମହାପ୍ରଭୁଙ୍କ ପୂଜା ଆରାଧନା ହେଉଥିବା ଆଉ ଭିକାରୀ ବଳଙ୍କ ଭଜନ ଶୁଭୁନଥିବ ଏମିତି କେବେ ହୋଇନି । କାରଣ ସେ କାଳକାଳକୁ ଅମର ।

କେନ୍ଦ୍ରାପଡ଼ା ସୁବଳା ଗାଆଁରେ ଜନ୍ମିତ ଭିକାରୀ ବଳ ପିଲାଟି ଦିନରୁ ବାବା ଭଗବାନ ଜୀଉ ମଠରେ ଅତିବାହିତ କରିଥିଲେ । ମୃଦଙ୍ଗ ପଖାଉଜ, ଢୋଲ ଆଦି ବାଦ୍ୟରୁ ଆରମ୍ଭ ହୋଇଥିବା ତାଙ୍କ କଳାସିକ୍ତ ଜୀବନଧାରା ପରବର୍ତୀ ସମୟରେ ଗଡ଼ି ଆସିଥିଲା ଗୋଟିପୁଅ ନାଚ ଓ ରଙ୍ଗମଂଚ ଆଡ଼କୁ । ପରେ ଆଧ୍ୟାତ୍ମ ଗୁରୁ ବେଣୁବାବା, ତାଳବାଦ୍ୟ ଗୁରୁ ଦୁର୍ଗାଚରଣ ବାବା, ସଙ୍ଗୀତ ଗୁରୁ ବାଳକୃଷ୍ଣ ଦାଶ ଏବଂ ଅଭିନୟ ଗୁରୁ କ୍ଷେତ୍ରବାସୀ ବଳଙ୍କଠାରୁ କଳାର ବିଭିନ୍ନ ବିଭାଗରେ ଶିକ୍ଷା ଲାଭ କରିଥିବା ଭିକାରୀ ବଳ ଆକାଶବାଣୀ ଓ ଦୂରଦର୍ଶନର ସ୍ୱୀକୃତପ୍ରାପ୍ତ କଣ୍ଠଶିଳ୍ପୀ ଥିଲେ । ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଅଧ୍ୟାପନା ସାଙ୍ଗକୁ ଏଚଏମଭି କମ୍ପାନୀରେ ତାଙ୍କ କଣ୍ଠରେ ପ୍ରସ୍ତୁତ ଶତାଧିକ ଭଜନ ଜଣାଣ ତାଙ୍କୁ ପରିଚିତ କରାଇଥିଲା ଓଡ଼ିଆ ଶ୍ରୋତା ମହଲରେ । ପୁଣି ସୁଗମରୁ ସିନେମା ସଙ୍ଗୀତ ସବୁଠି ରହିଥିଲା ତାଙ୍କର ସୁଲଳିତ କଣ୍ଠସ୍ୱର । ପରେ ଗଜପତି ଦିବ୍ୟସିଂହ ଦେବ ତାଙ୍କୁ ପ୍ରଦାନ କରିଥିଲେ ‘ଭଜନ ସମ୍ରାଟ’ ଉପାଧି ।

ଜଗନ୍ନାଥ ହେ କିଛି ମାଗୁନାହିଁ ତୋତେ, ଭଜୁ କି ନା ରାମ ନାମ, ହାତରେ ମୋ ମୁଠା ମୁଠା ଶରଧା ବାଲି, ମୁଁ ତ ବଡ଼ ଦେଉଳର ପାରାରେ, ଭକ୍ତ ସାଲବେଗ, ଅଗ୍ନୀ ପରୀକ୍ଷା, ମଥୁରା ବିଜୟ, କିଏ କାହାର ଭଳି ଚଳଚ୍ଚିତ୍ର ସମେତ ସେ ୨୦ ହଜାରରୁ ଅଧିକ ଗୀତ ଗାଇ ଇତିହାସ ରଚିଥିଲେ ଭିକାରୀ ବଳ। ତାଙ୍କର ଭକ୍ତି ସଙ୍ଗୀତକୁ ଏହି ଅବଦାନ ପାଇଁ ତାଙ୍କୁ ଭଜନ ସମ୍ରାଟ, ଭକ୍ତ କଣ୍ଠ, ସଙ୍ଗୀତ ରତ୍ନାକର, ସଙ୍ଗୀତ ମଉଡ଼ମଣି, ସଙ୍ଗୀତ ବାରିଧି ଉପାଧିରେ ସମ୍ମାନିତ କରାଯାଇଥିଲା । ଭକ୍ତି ସଙ୍ଗୀତ ଗାଇବାରେ ଭିକାରୀ ବଳ ଥିଲେ ଜଣେ ଅନନ୍ୟ ପୁରୋଧା । ନାଁ ସିନା ଥିଲା ଭିକାରୀ ହେଲେ ସେ ସମସ୍ତଙ୍କ ନିକଟରେ ଭଜନ ସମ୍ରାଟ ଭିକାରୀ ବଳ ଭାବେ ହୋଇଗଲେ ପରିଚିତ ।

କୁହାଯାଏ ପ୍ରଭୁ ଜଗନ୍ନାଥ ଯେମିତି ଭାବର ଠାକୁର, ଭିକାରୀ ବଳ ସେମିତି ଭାବର ଗାୟକ । ୨୦୧୦ ମସିହା ନଭେମ୍ବର ୨ରେ ସେ ପ୍ରାଣତ୍ୟାଗ କରିଥିଲେ। ତାଙ୍କ କଣ୍ଠ ସବୁଦିନ ପାଇଁ ବିରାମ ନେଇଥିଲେ ମଧ୍ୟ ସଂଗୀତପ୍ରେମୀ ଓ ଜଗନ୍ନାଥଙ୍କ ଭକ୍ତ ମହଲରେ ତାଙ୍କର ସୁମଧୂର କଣ୍ଠ ସ୍ମରଣୀୟ ହୋଇ ରହିଛି। ଏବେ ବି କାର୍ତ୍ତିକ ପୂର୍ଣ୍ଣମୀ ଆସିଲେ ପତିତପାବନଙ୍କ ସମ୍ମୁଖରେ ଚାଲିଥିବା ଭଜନ ସମାରୋହରେ ମନେପଡ଼ନ୍ତି ଭିକାରୀ। ତାଙ୍କ ଅବର୍ତ୍ତମାନରେ ବି ସେଇଠୁ ଶୁଭେ ‘ମିଛ ଦୁନିଆରେ ଗୋଟିଏ ସତ, ଜଗନ୍ନାଥ ସେ ତ ଜଗନ୍ନାଥ..’। ତାଙ୍କ ବିୟୋଗରେ ଓଡ଼ିଆ ଭକ୍ତି ସଙ୍ଗୀତ ଜଗତରେ ଏକ ଅପୂରଣୀୟ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି।

Leave A Reply

Your email address will not be published.