Latest Odisha News

ରାଜଧାନୀରେ ଦୁର୍ଘଟଣା: ଦୁଇ ଗୁରୁତର, ରେଞ୍ଜରୋଭର ମାଲିକକୁ ସୁରକ୍ଷା ଦେଉଛି ପୋଲିସ?

ଭୁବନେଶ୍ୱର: ରାଜଧାନୀରେ ଥିବା ପାଓ୍ବାର ହାଉସ ଛକରେ ରେଞ୍ଜରୋଭର ଗାଡି ଘଟଇଥିବା ଦୁର୍ଘଟଣା ଏବେ ଚର୍ଚ୍ଚାରେ ରହିଛି। କାରଣ କାରଟି ଏତେ ଜୋର ଧକ୍କା ଦେଇଛି ଦୁଇ ଜଣ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି। ଅନ୍ୟପଟେ କାରର ମାଲିକାନାକୁ ନେଇ ପ୍ରଶ୍ନ ଉଠିଛି। ଦୁର୍ଘଟଣା ବେଳେ କାରର ନମ୍ବର ଯାହା ଥିଲା ପୋଲିସ କାରର ଅଭିଯୁକ୍ତକୁ ଗିରଫ କରି ଯେଉଁ ପ୍ରେସ ରିଲିଜ ଜାରି କରିଛି ତାହା ଆଉ ଏକ ନମ୍ବର ରହିଛି।

ଦୁର୍ଘଟଣା ଘଟାଇଥିବା ବେଳେ କାରର ନମ୍ବର ରହିଛି ଓଡି-୨୩-କେ- ୦୦୦୬ ହେଲେ ପ୍ରେସ ରିଲିଜ ଜାରି କରିବା ବେଳେ ଗାଡିର ନମ୍ବର ରହିଛି ଓଡି-୩୩-ଏଏଫ-୬୭୨୬ । ଆରଟିଓର ତଥ୍ୟ ଅନୁସାରେ ରେଞ୍ଜରୋଭର ଗାଡି ନଂ- ଓଡି-୨୩-କେ- ୦୦୦୬ର ମାଲିକାନା ଝାରସୁଗୁଡାର ଆର୍ମର-ରେ ଭେଂଚର୍ସ ପ୍ରାଇଭେଟ୍ ଲିମିଟେଡ୍ ନାଁରେ ରହିଛି। ଯାହାର ମାଲିକ ରହିଛନ୍ତି ଦିବଂଗତ ନେତା ନବ ଦାସଙ୍କ ପୁଅ ବିଶାଲ ଦାସ ରହିଛନ୍ତି। ଯାହାଙ୍କ ଭଉଣୀ ହେଉଛନ୍ତି ବିଧାୟିକା ଦୀପାଳି ଦାସ।

ମିଳିଥିବା ସୂଚନା ଅନୁସାରେ କାରଟି ଯେଉଁ କମ୍ପାନୀରେ ପଞ୍ଜିକରଣ ହୋଇଛି ତାର ନିର୍ଦ୍ଦେଶକ ବିଶାଲ ଦାସ ଓ ଅନ୍ୟ ଜଣେ ରହିଛନ୍ତି।ଦୁର୍ଘଟଣାର ଶିକାର ହୋଇ ଜୀବନ ମରଣ ସହ ସଂଘର୍ଷ କରୁଥିବା କାହ୍ନୁ ଚରଣ ନାୟକଙ୍କର ତିନି ଦିନ ହେଲା ଚେତା ଫେରୁନଥିବା ବେଳେ ଅନ୍ୟଜଣେ ଗୁରୁତର ଲୋପାମୁଦ୍ରା ସାହୁଙ୍କ ବ୍ରେନ୍ ଡେଡ୍ ରହିଛି।

କିନ୍ତୁ ଏଯାବତ ଏହି କଳାକାରର ମାଲିକ ନା ଗଣମାଧ୍ୟମ ପ୍ରତିନିଧିଙ୍କୁ ସାମ୍ନା କରୁଛନ୍ତି ନା ଫୋନର ଜବାବ ଦେଉଛନ୍ତି। ବଡକଥା ହେଉଛି ଦୁର୍ଘଟଣା ବେଳେ ଏହି କଳାକାର ଭିତରେ କିଏ ଥିଲେ। ବିଧାୟିକା ଏବଂ ତାଙ୍କ ଭାଇ ଥିଲେ କି? ଯଦି ନଥିଲେ ଡ୍ରାଇଭର ଦୁର୍ଘଟଣା ଘଟାଇଛି ତାହାଲେ କାହିଁକି ସ୍ପଷ୍ଟ କରୁନାହାନ୍ତି ଆଭିମୁଖ୍ୟ। କାରଣ ଏହାଦ୍ବାରା ବିବାଦ ବଢୁଛି ଆଉ ନିଜର ନିରବତା ବିବାଦକୁ ଆହୁରି ଧୂଆଁ ଦେଉଛି।

ଅନ୍ୟପଟେ ପୋଲିସ ଡ୍ରାଇଭରଙ୍କୁ କେବଳ ଗିରଫ କରି ନିଜର ପାରିବା ପଣିଆ ଦେଖାଇଛି। ବଡ କଥା ହେଉଛି ପୋଲିସ ପ୍ରେସ ରିଲିଜ ଜାରି କରିବା ବେଳେ କିଭଳି ଅନ୍ୟ ଏକ ନମ୍ବର ଜାରି କଲା। ଗାଡିଟି ଯଦି ଆଉ ଏକ ଗାଡି ନମ୍ବର ବ୍ଯବହାର କରି ଚଳାଉଥିଲା ତାର ତଦନ୍ତ କରିବ ନାହିଁ କି? ପାଓ୍ୱାର ହାଉସ ଛକରେ ଥିବା ସିସିଟିଭି ଫୁଟେଜ ଜାରି କରି ଏହି କଳାକାର ରେଞ୍ଜରୋଭରର ସତ ସାମ୍ନାକୁ ଆଣିବାକୁ ଉଚିତ ମଣୁନାହିଁ କି?

ନିକଟରେ ଖୋର୍ଦ୍ଦା ବୋଲଗଡରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ କାର ମଡାଇବା ଘଟଣାରେ ଧରାପଡିଥିଲା କିଭଳି କାରରେ ଲାଗିଥିଲା ଗୋଟିଏ ନମ୍ବର ଏବଂ ଭିତରେ ଥିଲା ଆଉ ଏକ ନମ୍ବର ପ୍ଲେଟ୍।

ତଦନ୍ତ ପାଇଁ ଅନେକ ଦିଗ ରହିଥିବା ବେଳେ ପୋଲିସ ଜାଣିଶୁଣି ଚୁପ ବସୁଛି ନା ନିର୍ଦ୍ଦେଶ ମାନି ଆଜ୍ଞାଧୀନ ହେବାକୁ ଚେଷ୍ଟା କରୁଛି?

Comments are closed.