Latest Odisha News

ଭାରତକୁ ୧ ଲକ୍ଷ ଶ୍ରମିକ ମାଗିଲା ଇସ୍ରାଏଲ

ତେଲ ଅବୀବ: ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଇସ୍ରାଏଲର ବୋମା ମାଡରେ ଗାଜା ସହର ଧ୍ୱଂସ ହେବାରେ ଲାଗିଛି । ଏହା ମଧ୍ୟରେ ଇସ୍ରାଏଲ ୧ ଲକ୍ଷ ଶ୍ରମିକ ଭାରତକୁ ମଗାଇଛି । ସେମାନଙ୍କୁ ୯୦ ହଜାର ଫିଲିସ୍ତାନୀଙ୍କ ବଦଳରେ ରଖାଯିବ । ଅକ୍ଟୋବର ୭ରେ ଇସ୍ରାଏଲ ସୀମା ମଧ୍ୟରେ ପ୍ରବେଶ କରି ହମାସ ନାରକୀୟ କାଣ୍ଡ ରଚିଥିଲା । ଏହା ପରେ ଇସ୍ରାଏଲ ଫିଲିସ୍ତାନୀଙ୍କ ପରମିଟ ବାତିଲ କରିଦେଇଥିଲା । ଇସ୍ରାଏଲର ନିର୍ମାଣ ସହ ଜଡିତ କମ୍ପାନୀରେ ଫିଲିସ୍ତାନୀ ଶ୍ରମିକ କାମ କରିଥାନ୍ତି । ଏବେ ସେମାନଙ୍କୁ ହଟାଯିବା ଫଳରେ ଇସ୍ରାଏଲର ନିର୍ମାଣ କାର୍ଯ୍ୟ ମଧ୍ୟ ଅଟକି ଯାଇଛି । ଇସ୍ରାଏଲ ବିଲ୍ଡର୍ସ ଆସୋସିଏଶନ ଏ ନେଇ ଅସୁବିଧାର ସମ୍ମୁଖୀନ ହେଉଛି । ଏବେ ଚୀନ ନାଗରିକଙ୍କୁ ନେଇ ସେମାନେ କାର୍ଯ୍ୟ ଚଳାଇଛନ୍ତି ।

ସୂଚନାଯୋଗ୍ୟ, ଭାରତ-ଇସ୍ରାଏଲ ମଧ୍ୟରେ ଶ୍ରମିକଙ୍କୁ ନେଇ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ମେ ମାସରେ ଇସ୍ରାଏଲର ବିଦେଶ ମନ୍ତ୍ରୀ ଏଲୀ କୋହେନ ଭାରତ ଗସ୍ତରେ ଆସିଥିବା ବେଳେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଯାହା ଅନୁସାରେ ଭାରତର ୪୨୦୦୦ ଶ୍ରମିକ ଇସ୍ରାଏଲ ଯିବେ ଏବଂ କନଷ୍ଟ୍ରକ୍ସନ ଫିଲ୍ଡରେ କାମ କରିବେ । ଫିଲିସ୍ତାନୀ ଶ୍ରମିକଙ୍କୁ ହଟେଇବା ପାଇଁ ଇସ୍ରାଏଲ ଦୀର୍ଘ ଦିନ ଧରି ଯୋଜନା କରୁଥିଲା । ଭାରତ ଯଦି ରାଜି ହୋଇଯାଏ ତେବେ ଇସ୍ରାଏଲର ଏକ ବଡ ସମସ୍ୟା ଦୂର ହେବ ।

Comments are closed.