Latest Odisha News

ଆଦର୍ଶ ବିଦ୍ୟାଳୟରେ ନାମଲେଖା ପରୀକ୍ଷା ପାଇଁ ପଞ୍ଜୀକରଣ ଆରମ୍ଭ, ୨୦ ପର୍ଯ୍ୟନ୍ତ ଚାଲିବ ପ୍ରକ୍ରିୟା

ଭୁବନେଶ୍ୱର: ଆଦର୍ଶ ବିଦ୍ୟାଳୟରେ ନାମଲେଖା ପରୀକ୍ଷା ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା ଚଳିତମାସ ୧ ତାରିଖଠାରୁ ଆରମ୍ଭ ହୋଇଯାଇଛି। ଚଳିତ ମାସ ୨୦ତାରିଖ ପର୍ଯ୍ୟନ୍ତ ଆଦର୍ଶ ବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ପଞ୍ଜିକରଣ ଚାଲିବ। ରାଜ୍ୟରେ ଥିବା ୩୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ୫ଟି ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ନିମନ୍ତେ ଏହି ପଞ୍ଜିକରଣ କରିହେବ।

ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀ ମାନେ www.oav.edu.in ରେ ନାମ ପଞ୍ଜୀକରଣ କରିପାରିବେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ବାରା ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ପଞ୍ଜୀକରଣର ଶେଷ ତାରିଖ ୨୦ ନଭେମ୍ବରକୁ ଧାର୍ଯ୍ୟ କରାଯାଇଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଇବାକୁ ଇଚ୍ଛୁକ ଥିବା ପିଲାଙ୍କ ଅଭିଭାବକମାନେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୱେବସାଇଟକୁ ଯାଇ ପ୍ରବେଶିକା ପରୀକ୍ଷା ନିମନ୍ତେ ନାମ ପଞ୍ଜିକରଣ କରିପାରିବେ। ପଞ୍ଜିକରଣ ନିମନ୍ତେ କୌଣସି ସମସ୍ୟା ଦେଖାଦେଲେ ଅଭିଭାବକ ନିକଟସ୍ଥ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସହ ଯୋଗାଯୋଗ କରିପାରିବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏହାସହିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସୂଚନା ପୁସ୍ତିକା ସମସ୍ତ ଜିଲ୍ଲା ଓ ଶିକ୍ଷା ଅଧିକାରୀଙ୍କୁ ପଠାଯାଇଛି। ଏହି ସମସ୍ତ ବିଦ୍ୟାଳୟରେ ୫୦ ପ୍ରତିଶତ ସ୍ଥାନ ଛାତ୍ରୀ ମାନଙ୍କ ନିମନ୍ତେ ଏବଂ ବ୍ଳକର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଜନସଂଖ୍ୟାର ପ୍ରତିଶତ ଅନୁସାରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ପ୍ରାର୍ଥୀଙ୍କ ନିମନ୍ତେ ସ୍ଥାନ ସଂରକ୍ଷଣ କରାଯାଇଛି। ପଞ୍ଜୀକରଣ ନିମନ୍ତେ କୌଣସି ସହଯୋଗ ପାଇଁ ପିତାମାତା/ ଅଭିଭାବକ/ ଛାତ୍ରଛାତ୍ରୀ ନିକଟସ୍ଥ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସହ ଯୋଗାଯୋଗ କରିପାରିବେ। ରାଜ୍ୟ ସରକାରଙ୍କ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଇଂରାଜୀ ମିଡିୟମରେ ଶିକ୍ଷା ପ୍ରଦାନ କରାଯାଉଛି ।

Comments are closed.