Latest Odisha News

ସୋଆ ପକ୍ଷରୁ ଆରମ୍ଭ କରାଗଲା ଭାଷା କେନ୍ଦ୍ର, ବିଦେଶୀ ଭାଷାର ପ୍ରଶିକ୍ଷଣ ନେବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଛାତ୍ରଛାତ୍ରୀମାନଙ୍କ ପାଇଁ ଖୁସି ଖବର । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଏକ ଭାଷା କେନ୍ଦ୍ର ଆରମ୍ଭ କରାଯାଇଛି । ଯେଉଁଠାରେ ଛାତ୍ରଛାତ୍ରୀମାନେ ଫ୍ରେନ୍‌ଚ, ସ୍ୱାହିଲି ଓ ଆରବିକ୍ ଭଳି ବିଦେଶୀ ଭାଷା ଗୁଡ଼ିକୁ ଶିକ୍ଷା କରିବାର ସୁଯୋଗ ପାଇବେ । ସୋଆ ସେଣ୍ଟର ଫର ଲାଙ୍ଗୁଏଜେସ୍ ଭାବେ ନାମିତ ଏହି କେନ୍ଦ୍ର ଶନିବାର ଉଦ୍‌ଘାଟିତ ହୋଇଯାଇଛି । ଏଠାରେ ପାଠ ପଢ଼ୁଥିବା ବିଦେଶୀ ଛାତ୍ରଛାତ୍ରୀମାନେ ଏହି ୩ଟି ଭାଷାରେ ପ୍ରଶିକ୍ଷଣ ଦେବେ । ଏହି କେନ୍ଦ୍ରକୁ ସୋଆର କୁଳାଧିପତି ପ୍ରଫେସର (ଡାକ୍ତର) ଅମିତ ବାନାର୍ଜୀ ଉଦ୍‌ଘାଟନ କରିଥିଲେ ।

ଏହି କେନ୍ଦ୍ରର ଗୁରୁତ୍ୱ ସମ୍ପର୍କରେ ତଥ୍ୟ ଉପସ୍ଥାପନା କରି ସେ କହିଥିଲେ ଯେ, ଛାତ୍ରଛାତ୍ରୀମାନେ ଏହି କେନ୍ଦ୍ରରେ ମାଣ୍ଡାରିନ୍‌, ଜାପାନିଜ୍ ଓ ସ୍ପାନିସ୍ ଭଳି ଭାଷା ଶିଖି ପାରିବେ । ପରବର୍ତ୍ତୀ ସମୟରେ ଏହି କେନ୍ଦ୍ରରେ ଡୋଙ୍ଗ୍‌ଖା (ଭୁଟାନ୍‌), ବଙ୍ଗଳା, ତାମିଲ୍ ଓ ହିନ୍ଦୀ ଭାଷାର ପ୍ରଶିକ୍ଷଣ ମଧ୍ୟ ଦିଆଯିବ ବୋଲି ସେ କହିଥିଲେ । ସେହିପରି ବିଶ୍ୱବିଦ୍ୟାଳୟର ବାୟୋଟେକ୍ନୋଲୋଜି ବିଭାଗର ପିଏଚ୍‌ଡି ଗବେଷକ କେଙ୍ଗୁରୁକା ସିଡୋଏନ୍‌, କମ୍ପ୍ୟୁଟରସାଇନ୍ସରେ ଅଧ୍ୟୟନ କରୁଥିବା ଜନ୍ ମୁଲୁଙ୍ଗି ଓ ବିଫାର୍ମା ର ଛାତ୍ର ଜାଫର୍ ଇବ୍ରାହିମ୍ ଅଲ୍‌କାଦି ଯଥାକ୍ରମେ ଫ୍ରେନ୍‌ଚ,ସ୍ୱାହିଲି ଓ ଆରବିକ୍ ଭାଷାରେ ପ୍ରଶିକ୍ଷଣ ଦେବେ । ସେହିପରି ଅନ୍ୟ ଛାତ୍ର କମ୍‌ଗା କାପ୍‌ଚେ ମାଇକେଲ୍ ବେନେଡିକ୍‌ଟ୍ (ଫ୍ରେନ୍‌ଚ), ଆୟା ନସ୍‌ରେଦିନ୍ ଆଲଡୋମ୍‌ଇବ୍ରାହିମ୍ ଲିଡିଆ ଓ ତାରେକ୍ (ସମସ୍ତେ ଆରବିକ୍‌) ମଧ୍ୟ ଏହି କେନ୍ଦ୍ରରେ ଶିକ୍ଷାଦାନ କରିବେ । ସ୍ୱାହିଲି ଭାଷା ଆଫ୍ରିକୀୟ ଦେଶଗୁଡ଼ିକରେ ପ୍ରଚଳିତ ।ଏହି କାର୍ଯ୍ୟକ୍ରମରେ ସୋଆର ଫ୍ୟାକଲ୍ଟି ଅଫ୍ ମ୍ୟାନେଜମେଂଟ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ ଓ ୟୁନିଭର୍ସିଟି ଆଉଟରିଚ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.