Latest Odisha News

ଥାନା ଭଙ୍ଗାରୁଜା ପଛରେ ବିଧାୟକ ସୁଶାନ୍ତ ସିଂ ଅଭିଯୋଗ, ଗିରଫ ଦାବି କଲା ବିଜେପି

ଭୁବନେଶ୍ୱର: ଗତ ରବିବାର ଦିନ ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ଭଟଲିର ବିଜୁ ଜନତା ଦଳ ବିଧାୟକ ସୁଶାନ୍ତ ସିଂଙ୍କ ସମ୍ପୃକ୍ତି ଅଭିଯୋଗରେ ତାଙ୍କୁ ଗିରଫ ଦାବି କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

ସୋମବାର ସେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ନିଶା ସେବନ କରୁଥିବା ଖବର ପାଇ ଏକ ପିକନିକ ପାର୍ଟି ଉପରେ ପୋଲିସ କର୍ମଚାରୀଙ୍କ ଏକ ଟିମ୍ ଚଢାଉ କରିଥିଲା। ପରେ ସୁଶାନ୍ତ ସିଂ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ସମର୍ଥକଙ୍କୁ ଡାକିଥିଲେ, ଯେଉଁମାନେ ତାଙ୍କ ଉପସ୍ଥିତିରେ ଥାନାରେ ଭଙ୍ଗାରୁଜା କରିଥିଲେ। ଏବେ ମନମୋହନ ସାମଲ ସୁଶାନ୍ତ ସିଂହଙ୍କ ଗିରଫ ଦାବି କରିଛନ୍ତି।

ବିଜେପି ଯୁବମୋର୍ଚ୍ଚା ସଭାପତି ଇରାସିସ ଆଚାର୍ଯ୍ୟ ମଧ୍ୟ ମନମୋହନ ସାମଲଙ୍କ ଦାବିକୁ ସମର୍ଥନ କରି କହିଛନ୍ତି ଯେ, ଯଦି ସୁଶାନ୍ତ ସିଂହଙ୍କୁ ଗିରଫ କରାନଯାଏ ତେବେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ହେଲେ ଏ ନେଇ ସୁଶାନ୍ତ ସିଂହଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ଗତ ରବିବାର ଦିନ ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନାରେ 25ରୁ 30 ଜଣ ଯୁବକ ପଶି ସରକାରୀ ସମ୍ପତ୍ତି ଭଙ୍ଗାରୁଜା କରିଥିଲେ।

ନିଶା କାରବାର ନେଇ ପୁଲିସ ଏକ ପିକନିକ୍ ପାର୍ଟି ଉପରେ ଚଢ଼ଉ କରିଥିଲେ ମଧ୍ୟ ଖାଲି ହାତରେ ଫେରିଥିଲା। ଏହାକୁ ନେଇ ଯୁବକ ଓ ପୁଲିସ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏବଂ ପରେ ଯୁବକମାନେ ଥାନାକୁ ଫେରି ଭଙ୍ଗାରୁଜା କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Comments are closed.