ନୂଆପଡା: ଇଏ ହେଉଛି କଳାହାଣ୍ଡି ରୁ ଖଡ଼ିଆଳକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ । ଯୁଆଡେ ଦେଖିବ ସିଆଡେ ଖାଲ । ରାସ୍ତାର ଅବସ୍ଥା ଏପରି ଯେ ଡରି ଡରି ଯାତାୟତ କରୁଛନ୍ତି ଲୋକେ । ଅନେକ ଥର ଏହି ରାସ୍ତାରେ ଦୁର୍ଘଟଣା ମଧ୍ୟ ଘଟିଲାଣି । କିନ୍ତୁ ରାସ୍ତା ମରାମତିର ନାଁ ନେଉନି ପ୍ରଶାସନ । ଜାଣି ଶୁଣି ପୂର୍ତ୍ତ ବିଭାଗ ଚୁପ ବସିଥିବାବେଳେ ରାସ୍ତା ଅବସ୍ଥା ନ ସୁଧୁରିଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ଅଞ୍ଚଳ ବାସି l
ଥରେ ନଜର ପକାନ୍ତୁ ଏହି ରାସ୍ତା ଉପରେ । କଳାହାଣ୍ଡିରୁ ଖଡ଼ିଆଳକୁ ସିଧାସଳଖ ସଂଯୋଗ କରୁଥିବା ଏକମାତ୍ର ରାସ୍ତା ହେଉଛି ଏହି ୧୬ ନମ୍ବର ରାଜ୍ୟ ରାଜପଥ । ଦିନ ଥିଲା ଏହି ରାସ୍ତା ସ୍ଥାନୀୟ ଲୋକଙ୍କ ପାଇଁ ପାଲଟିଥିଲା ଜୀବନ ରେଖା । କିନ୍ତୁ ଏବେ ସେହି ରାସ୍ତାର ଅବସ୍ଥା ଶୋଚନୀୟ । ସ୍ଥାନେ ସ୍ଥାନେ ଖାଲ ଖମାଲ, କେଉଁଠି ପାଣି ତ କେଉଁଠି ଧୂଳି l ପ୍ରତିଦିନ ଶହ ଶହ ଟ୍ରକ, ଛୋଟ ବଡ଼ ଗାଡ଼ି ଏବଂ ବାଇକ ସହ ଦୁଇ ଜିଲ୍ଲା ବାସି ଏଠି ବିପଦ ସଂକୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି l ରାସ୍ତାର ଅବସ୍ଥା ଏପରି ଯେ ଅଧିକାଂଶ ସମୟ ଏହି ରାସ୍ତାରେ ଦୁର୍ଘଟଣାର ସମ୍ମୁଖିନ ହେଉଛନ୍ତି ଲୋକମାନେ । ରାସ୍ତା କଡ଼ ରେ ଲାଗିଥିବା ଲୁହା ର ସୁରକ୍ଷା ବାଡ଼ ମଧ୍ୟ ଭାଙ୍ଗି ରୁଜି ଗଲାଣି l ଯାତ୍ରୀ ବିଶ୍ରାମଗାର ଅବସ୍ଥା ଭଙ୍ଗା ଦଦରା ଯୋଗୁଁ ଯାତ୍ରୀ ରହିବାକୁ ମନ କରୁନାହାନ୍ତି l
ଏହି ରାସ୍ତା ଦେଇ ଦୈନିକ ଶହ ଶହ ଟ୍ରକ ଯାତାୟାତ କରୁଛି ହେଲେ ଟ୍ରକ ଷ୍ଟାଣ୍ଡ ଟିଏ ନ ଥିବାରୁ ରାସ୍ତା କଡରେ ରାତ୍ରିଯାପନ କରୁଛନ୍ତି ଟ୍ରକ ଡ୍ରାଇଭର l ଖଡ଼ିଆଳ ଭବାନୀପାଟଣା ରାଜ୍ୟ ରାଜପଥର ଏହି ଦୃଶ୍ୟ ଆଜିର ନୁହେଁ । ଦୀର୍ଘ ବର୍ଷ ବର୍ଷ ଧରି ବିତିଯାଉଥିଲେ ହେଁ ମରାମତି ନାଁ ରେ ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ବିଭାଗ ଓ ଠିକାଦାର । ପୂର୍ତ୍ତ ବିଭାଗର ରାସ୍ତା ମରାମତି କାମରେ ଖମଖିଆଲି ଯୋଗୁଁ ରାସ୍ତା ଅବସ୍ଥା ବେହାଲ ହେଉଥିବା ଅଭିଯୋଗ ହେଉଛି l ସେପଟେ ରାସ୍ତା ଅବସ୍ଥା ନ ସୁଧୁରିଲେ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ l ସେପଟେ ଖଡ଼ିଆଳ ପୂର୍ତ୍ତବିଭାଗର ଅଧିକ୍ଷଣ ଯନ୍ତ୍ରୀ ଶଶାଙ୍କ ଶେଖର ଶୁକ୍ଲାଙ୍କୁ ପଚାରିବାରୁ ଏ ଦିଗରେ ଶୀଘ୍ର ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି l
Comments are closed.