ହାଇଦ୍ରାବାଦ: ପାଖେଇ ଆସିଲାଣି ତେଲେଙ୍ଗାନା ନିର୍ବାଚନ। ଏଥିଲାଗି ଜୋରସୋରରେ ଚାଲିଛି ନିର୍ବାଚନ ପ୍ରଚାର। ଏହି ପ୍ରଚାର ଭିତରେ ଏକ ଖବର ସାମ୍ନାକୁ ଆସିଛି। ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୂଚନା ଅନୁସାରେ ତେଲେଙ୍ଗାନାରେ ବିଆରଏସର ନିର୍ବାଚନ ପ୍ରଚାର ପାଇଁ ବସ୍ ଉପରେ ଥିଲେ ମନ୍ତ୍ରୀ ଓ ନେତା। ହଠାତ୍ ବ୍ରେକ୍ ମାରିବା ଯୋଗୁଁ ତଳକୁ ଖସିପଡ଼ିଲେ ନେତା ଓ ମନ୍ତ୍ରୀ। ଯାହାର ଭିଡିଓ ଏବେ ଭାଇରାଲ ହୋଇଛି। ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତିଲେ ମନ୍ତ୍ରୀ କେଟିଆର।
କୁହାଯାଉଛି ବସ ଉପରେ ଦଳୀୟ କର୍ମୀଙ୍କ ସହ ନେତା ମନ୍ତ୍ରୀ ଉପସ୍ଥିତ ଥିଲେ। ଏହି ସମୟରେ ବସ୍ ଡ୍ରାଇଭର ହଠାତ୍ ବ୍ରେକ୍ ଲଗାଇଲା, ଯେଉଁ କାରଣରୁ ବସ୍ ଉପରେ ଥିବା ରେଲିଂ ଭାଙ୍ଗିଗଲା। ଏହି କାରଣରୁ କେ.ଟି.ଆର, ସୁରେଶ ରେଡ୍ଡୀ ଏବଂ ଜୀବନ୍ ରେଡ୍ଡୀ ଭାରସାମ୍ୟ ହରାଇ ବସ୍ ଉପରୁ ତଳକୁ ଖସିପଡିଲେ। ତେବେ ଏହି ଘଟଣାରେ କେ.ଟି.ଆର କୌଣସି ପ୍ରକାର ଆହତ ହୋଇନାହାଁନ୍ତି କିନ୍ତୁ ରାଜ୍ୟସଭା ସାଂସଦ ସୁରେଶ ରେଡ୍ଡୀ ଗାଡିରୁ ଖସିପଡିଥିଲେ ଏବଂ ସେ ଆହତ ହୋଇଛନ୍ତି।
ଏହା ପରେ କେଟିଆର ରୋଡ ଶୋ’ରେ ଭାଗ ନେବାକୁ କୋଣ୍ଡାଗଲକୁ ଗସ୍ତ କଲେ। ପରେ ସେ କହିଥିଲେ ଯେ ସେ ସମ୍ପୂର୍ଣ୍ଣ ଭଲ ଅଛନ୍ତି ଏବଂ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଏହି ଘଟଣା ଅରମୋର ନିର୍ବାଚନମଣ୍ଡଳୀରେ ଘଟିଥିଲା ଯେଉଁଠାରେ ଜୀବନ ରେଡ୍ଡୀ ନାମାଙ୍କନପତ୍ର ଦାଖଲ କରିବା ପରେ ଏକ ରୋଡ୍ ଶୋ’ ଆୟୋଜନ କରିଥିଲେ।
Comments are closed.