Latest Odisha News

ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ ଦୁଇ ଶିକ୍ଷକ ଗିରଫ, ଓଏଚଆରସି ମାଗିଲେ ରିପୋର୍ଟ

ନବରଙ୍ଗପୁର: ରାଇଘର ସ୍ଥିତ ସରକାରୀ ଆବାସିକ ବିଦ୍ୟାଳୟରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଦୁଇ ଜଣ ଶିକ୍ଷକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଦୁଇ ଜଣ ଶିକ୍ଷକଙ୍କ ମଧ୍ୟରୁ ଜଣେ ପ୍ରଧାନଶିକ୍ଷକ ହୋଇଥିବା ବେଳେ ଅନ୍ୟ ଜଣେ ସହକାରୀ ଶିକ୍ଷକ। ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯିବା ପରେ ନଭେମ୍ବର ୧୦ ତାରିଖରେ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରାଯାଇଛି। ପୀଡ଼ିତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଏହି ଘଟଣାକୁ ଗୁରୁତର ସହ ନେଇ ଓଡ଼ିଶା ମାନବାଧିକାର କମିସନ ନବରଙ୍ଗପୁର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ (ସିଡିଏମଓ) ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ୪ ସପ୍ତାହ ମଧ୍ୟରେ ରିପୋର୍ଟ ତଲବ କରିଛନ୍ତି। ଏହାସହ ପୀଡ଼ିତାଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓଏଚଆରସି।

ଯଦି କୌଣସି ପ୍ରମୁଖ ସ୍ୱାସ୍ଥ୍ୟ ପ୍ରତିଷ୍ଠାନକୁ ପୀଡ଼ିତାଙ୍କୁ ରେଫର୍ କରିବାର ଆବଶ୍ୟକତା ରହିଛି ତେବେ ଏହାର ଖର୍ଚ୍ଚ ସରକାର ବହନ କରିବେ ବୋଲି ଓଏଚଆରସି ତାଙ୍କ ଆଦେଶରେ କହିଛନ୍ତି।

ଜାତୀୟ ମାନବାଧିକାର କମିସନରଙ୍କ ନିକଟରେ ଗଣଦୁଷ୍କର୍ମ ମାମଲାରେ ନ୍ୟାୟ ପାଇଁ ଲଢ଼େଇ ପରିବାରର ସୁବ୍ରତ କୁମାର ଦାଶ ଏକ ମାମଲା ରୁଜୁ କରିଛନ୍ତି। ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ପୀଡ଼ିତାଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଏନ୍ଏଚ୍ଆରସି ହସ୍ତକ୍ଷେପ କରିବାକୁ ଆବେଦନକାରୀ ଅନୁରୋଧ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗଣଦୁଷ୍କର୍ମର ଶିକାର ହେବା ପରେ ପୀଡ଼ିତା ପରିବାର ଲୋକଙ୍କୁ ଏ ବାବଦରେ ଲୁଚାଇଥିଲେ। କିନ୍ତୁ ପରେ ସ୍ବାସ୍ଥ୍ୟ ଖରାପ ହୋଇଥିଲା। ପରିବାର ଲୋକେ ହସ୍ପିଟାଲ ନେଇଥିଲେ ଅଧିକ ଚିକିତ୍ସା ପାଇଁ। ଏହି ସମୟରେ ସମ୍ବେଦନଶୀଳ ଅଙ୍ଗରେ ଯନ୍ତ୍ରଣା ହେଉଥିବା କଥା ପୀଡିତା କହିଥିଲେ। ପରେ ନର୍ସ ଜଣଙ୍କ ଦୁଷ୍କର୍ମ ହୋଇଥିବା ସନ୍ଦେହ କରି ପୀଡିତାଙ୍କ ମୁହଁରୁ ସତ ଓଗାରିଥିଲେ। ଏହାପରେ ପରିବାର ଲୋକ ଯାଇ ଥାନାରେ ଏତଲା ଦେଇଥିଲେ।

Comments are closed.