Latest Odisha News

BREAKING NEWS

ମୋ ହାତରେ ଦୁଇମାସର ଜୀବନ..କୁନି ଝିଅକୁ ଛାଡି ମୁଁ ଚାଲିଯିବି..ସୋସିଆଲ ମିଡିଆରେ ଏମିତି ଭାବବିହ୍ୱଳ ପୋଷ୍ଟ କଲେ ମହିଳା

‘ମୋ ପାଖରେ ଆଉ ଦୁଇମାସର ସମୟ । ଦୁଇମାସ ପରେ ମୋର ଏଇ କୁନି ଝିଅକୁ ଏକା କରି ମୋତେ ଯିବାକୁ ପଡିବ ସେଇ ଅଫେରା ରାଇଜକୁ ।  ମୋ ଝିଅର ଥିରିଥିରି ଚାଲି ମୁଁ ଦେଖିପାରିବିନ । ତାର ଦରୋଟି କଥା ଶୁଣିବା ମୋ ଭାଗ୍ୟରେ ନାହିଁ ।  ଏସବୁ ଭାବିଲା ବେଳକୁ ବହୁତ କଷ୍ଟ ହେଉଛି । ଆଖି ଓଦା ହୋଇ ଯାଉଛି । ଝିଅ ପାଇଁ ମୋର ଅନେକ ସ୍ମୃତି ଛାଡି ଦେଇ ଯିବାକୁ ଚାହୁଁଛି । ମୁଁ ଏମିତି କିଛି ସ୍ମୃତି ଛାଡି ଦେଇ ଯିବାକୁ ଚାହୁଁଛି ଯେମିତି ଜୀବନର ପ୍ରତି ମୁହୂର୍ତ୍ତରେ ଝିଅ ମୋର ଉପସ୍ଥିତି ଅନୁଭବ କରିପାରିବ ।’ ଦୁଇ ମାସର ଝିଅକୁ ଛାତିରେ ଚାପି ଧରି ସୋସିଆଲ ମିଡିଆରା ଏମିତି ଭାବବିହ୍ୱଳ ପୋଷ୍ଟ କରିଛନ୍ତି ଜଣେ ମହିଳା ।

ମହିଳା ଜଣକ ଗୁରୁତର ରୋଗରେ ଆକ୍ରାନ୍ତ । ଭାଗବାନ ତାଙ୍କୁ ଆଉ ମାତ୍ର ୨ ମାସର ଜୀବନ ଦେଇଛନ୍ତି । ୪୦ ବର୍ଷର ଏହି ମହିଳାଙ୍କର ଦୁଇ ମାସର ଝିଅଟିଏ ।  ଯେଉଁମାନେ ପିଲାବେଳୁ ନିଜ ମା‘ଙ୍କୁ  ହରାଇଛନ୍ତି ସେମାନେ ତା ମା’ଙ୍କର କେଉଁ ସ୍ମୃତିକୁ ପାଖରେ ବେଶି ଖୋଜନ୍ତି ସେ ନେଇ ସୋସିଆଲ ମିଡିଆରେ ମତାମତ ମାଗିଛନ୍ତି ମହିଳା ଜଣକ । କାରଣ ସେ ମଧ୍ୟ ତାଙ୍କ ଝିଅ ପାଇଁ ସେହି ସବୁ ସ୍ମୃତି ରଖି ଦେଇ ଯିବାକୁ ଚାହାନ୍ତି ।

ମହିଳା ଜଣକ କହିଛନ୍ତି, ସେ ତାଙ୍କ ଝିଅ ପାଇଁ ୭୫ଟି ସ୍ୱତନ୍ତ୍ର ବହି କିଣି ରଖିଛନ୍ତି । ଯେପରି ଏହି ବହି ବଢି ସେ ୦ରୁ ୧୨ ବର୍ଷ ପର୍ଯ୍ୟନ୍ତ ନିଜକୁ ଶୃଙ୍ଖଳିତ କରିପାରିବ  । ପ୍ରତି ବହିରେ ସେ ନିଜ ବାର୍ତ୍ତା ଝିଅ ପାଇଁ ଛାଡି ଯାଇଛନ୍ତି ।  ନିଜ ଭାବନାକୁ କେମିତି ନିୟନ୍ତ୍ରଣ କରିବ, କେମିତି ନିଃସଙ୍ଗ ଅନୁଭବ ନ କରିବ ସେ ସବୁ କହି ଯାଇଛନ୍ତି । ସେ ତାଙ୍କ ଝିଅକୁ ବହୁତ ଭଲ ପାଆନ୍ତି ଏବଂ ତାଙ୍କ ପାଖରେ ସବୁବେଳେ ଅଛନ୍ତି ଏ ବିଷୟରେ ସେ ଝିଅକୁ ବାର୍ତ୍ତା ଦେଇଛନ୍ତି ।

ତାଙ୍କର ଏପରି ପୋଷ୍ଟ ଉପରେ ଅନେକ ହୃଦୟସ୍ପର୍ଶୀ ମତାମତ ବି ଆସିଛି । ଜଣେ କହିଛନ୍ତି, ‘ମୋ ମା’ ମୃତ୍ୟୁ ପୂର୍ବରୁ ଆମର ସବୁ ଭାଇ ଭଉଣୀଙ୍କ ପାଇଁ ଗୋଟିଏ ଗୋଟିଏ ଚିଠି ଛାଡି ଯାଇଥିଲା । ମୁଁ ଏବେ ଭାବେ, ସତରେ, ମା’ ଆମ ପାଇଁ ଗୋଟିଏ ନୁହେଁ ଅନେକ ଚିଠି ହେଲେ ଛାଡି ଯାଇଥାନ୍ତେ ! ପ୍ରକୃତରେ ବଡ ହେଲା ପରେ ମା’ ଖୁବ ମନେ ପଡେ ।’

ଅନ୍ୟ ଜଣେ ଲେଖିଛନ୍ତି, ‘ମୋ ମା’ଙ୍କର ଅନେକ ଭିଡିଓ ମୋ ପାଖରେ ଅଛି । ଯାହାକୁ ଦେଖି ମୁଁ ମା’ର ଉପସ୍ଥିତି ଅନୁଭବ କରୁଛି।’ ଅନ୍ୟ ଜଣେ ୟୁଜର୍ସ ତାଙ୍କ ରାୟରେ କହିଛନ୍ତି, ‘ତୁମେ ତା’ର ସବୁ ଜନ୍ମଦିନ ପାଇଁ ଗୋଟିଏ ଗୋଟିଏ ବାର୍ଥଡେ କାର୍ଡ ଏବଂ କିଛି ମେସେଜ ଲେଖି ରଖିଦିଅ ।’

Comments are closed.