Latest Odisha News

ୱାଙ୍ଖେଡରେ ଭାରତ ଜିତିନି ସେମିଫାଇନାଲ ମୁକାବିଲା

ମୁମ୍ବାଇ: ୨୦୨୩ ଦିନିକିଆ ବିଶ୍ୱକପ କ୍ରିକେଟର ସେମିଫାଇନାଲ ମ୍ୟାଚ ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ଖେଳାଯିବ । ଏହା ଭାରତ ପାଇଁ କିଛି ମାତ୍ରାରେ ଚିନ୍ତାର କାରଣ ସାଜିଛି । ଟିମ ଇଣ୍ଡିଆ ଏଠାରେ କେବେ ହେଲେ ସେମିଫାଇନାଲ ମୁକାବିଲା ଜିତିନି । ଅବଶ୍ୟ ଏହି ଷ୍ଟାଡିୟମରେ ଭାରତ ୨୦୧୧ରେ ଶ୍ରୀଲଙ୍କାକୁ ହରାଇ ବିଶ୍ୱ ଚାମ୍ପିୟନ ହୋଇଥିଲା । ୧୯୮୩ରେ ଭାରତ ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିୟନ ହୋଇଥିଲା । ଏହା ପରେ ୧୯୮୭ରେ ସେମିଫାଇନାଲକୁ ଉନ୍ନୀତ ହୋଇଥିଲା । ପ୍ରଶଂସକମାନେ ଭାରତ ପୁନର୍ବାର ବିଶ୍ୱ ବିଜୟୀ ହେବ ବୋଲି ଆଶା ବାନ୍ଧିଥିଲେ । ମାତ୍ର ଇଂଲଣ୍ଡ ଏଠାରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ୩୫ ରନରେ ଟିମ ଇଣ୍ଡିଆକୁ ହରାଇ ଦେଇଥିଲା । ସେହିପରି ୧୯୮୯ରେ ନେହେରୁ କପ ସେମିରେ ଭାରତକୁ ୱେଷ୍ଟଇଣ୍ଡିଜ ୮ ୱିକେଟରେ ପରାସ୍ତ କରିଥିଲା ।

୨୦୧୬ ଟି୨୦ ବିଶ୍ୱକପରେ ମଧ୍ୟ ଭାରତକୁ ୱେଷ୍ଟଇଣ୍ଡିଜ ପୁନର୍ବାର ଏଠାରେ ହରାଇ ପ୍ରଶଂସକଙ୍କୁ ନିରାଶ କରିଥିଲା । ବିରାଟ କୋହଲି ୯୨ ରନର ଇନିଂସ ବଳରେ ଭାରତ ୧୯୨ ରନ କରିଥିଲା । ମାତ୍ର ଲ୍ୟାଣ୍ଡେଲ ସିମନ୍ସଙ୍କ ଅପରାଜିତ ୮୨ ରନ ଭାରତ ହାତରୁ ମ୍ୟାଚ ଛଡେଇ ନେଇଥିଲା । ବର୍ତମାନ ଭାରତୀୟ ଦଳର ପ୍ରଦର୍ଶନ ବିଚାରକୁ ନେଲେ ନ୍ୟୁଜିଲାଣ୍ଡକୁ ହରାଇବା କିଛି ବଡ କଥା ନୁହେଁ । ଦୀର୍ଘ ଦିନ ପରେ ପ୍ରଶଂସକମାନେ ଭାରତକୁ ଆଉ ଥରେ ଚାମ୍ପିୟନ ଭାବେ ଦେଖିବାକୁ ଚାହୁଁଛନ୍ତି । ରୋହିତ ଶର୍ମାଙ୍କ ବାହିନୀ ଏଥର ୱାଙ୍ଖେଡର ସମୀକରଣ ବଦଳାଇ ଦେବେ ବୋଲି ଆଶା କରାଯାଉଛି ।

Comments are closed.