Latest Odisha News

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି; ଏଣିକି ସରଳ ହେବ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପେନସନ୍ ଗ୍ରହଣ

ଭୁବନେଶ୍ବର: ସରକାରୀ ଚାକିରିଆଙ୍କ ପାଇଁ ଖୁସି ଖବର। ଏଣିକି ଚାକିରିରୁ ଅବସର ଗ୍ରହଣ କରିବା ପରେ ସହଜରେ ପେନସନ୍ ନମିଳିଲେ ପେନସନ୍ ଅଦାଲତଙ୍କ ଦ୍ବାରସ୍ଥ ହୋଇପାରିବେ। ଚାକିରିରୁ ଅବସର ଗ୍ରହଣ ପରେ ଦୀର୍ଘ ଦିନ ଧରି ପେନସନ୍ ପାଇନଥିବା କର୍ମଚାରୀମାନେ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟରେ ପେନସନ୍ ନିମନ୍ତେ ଆବେଦନ କରିପାରିବେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ବାରା ଓଡ଼ିଶାର ସମସ୍ତ ୩୦ ଗୋଟି ଜିଲ୍ଲାରେ ଚାକିରିରୁ ଅବସର ଗ୍ରହଣ କରିଥିବା ଶିକ୍ଷକ ତଥା ଅନ୍ୟାନ୍ୟ କର୍ମଚାରୀମାନଙ୍କର ପେନସନ୍ ପ୍ରାପ୍ତି ଅଧିକ ସୂଚାରୁ ଭାବରେ କରାଯିବ। ଏନେଇ ଆଜି ସରକାରୀ ବିଜ୍ଞପ୍ତି ଜାରି ହୋଇଛି।

ଏଥିପାଇଁ ପେନସନ ପ୍ରଦାନ କାର୍ଯ୍ୟରେ ଜଡିତ ସମସ୍ତ ବିଭାଗର ସମସ୍ତ ଅଧିକାରୀମାନଙ୍କ ଉପସ୍ଥିତିରେ ସ୍ବତନ୍ତ୍ର ପେନସନ୍ ଅଦାଲତ ଅନୁଷ୍ଠିତ ହେବ। ନଭେମ୍ବର ୧୮ ତାରିଖରେ ଅନୁଗୁଳ ଜିଲ୍ଲାରେ ପାଇଲଟ୍ ପ୍ରକଳ୍ପ ଭାବରେ ଏହିଭଳି ଏକ ପେନସନ୍ ଅଦାଲତ ଅନୁଷ୍ଠିତ ହେବ। ଜିଲ୍ଲାର ସମସ୍ତ ପେନସନ ମଞ୍ଜୁର କରୁଥିବା ଅଧିକାରୀ, ଚାକିରିରୁ ଅବସର ନେଇଥିବା ଏବଂ ପେନସନ ପାଇବା ପାଇଁ ଅପେକ୍ଷା କରୁଥିବା କର୍ମଚାରୀଙ୍କର ପେନସନ୍ ସମ୍ବନ୍ଧିତ କାଗଜପତ୍ର ସହିତ ଉପସ୍ଥିତ ରହିବ।

ଅନୁରୂପ ଭାବରେ ଓଡ଼ିଶାର ସମସ୍ତ ଜିଲ୍ଲାମାନଙ୍କରେ ପର୍ଯ୍ୟାୟ କ୍ରମେ ପେନସନ୍ ଅଦାଲତ ଅନୁଷ୍ଠିତ ହେବ। ଏଥିପୂର୍ବରୁ ଜିଲ୍ଲାସ୍ତରୀୟ ଅଧିକାରୀମାନେ ସେମାନଙ୍କ କାର୍ଯ୍ୟାଳୟରୁ ଅବସର ଗ୍ରହଣ କରି ପେନସନ୍ ପାଇନଥିବା କର୍ମଚାରୀଙ୍କୁ ଯୋଗାଯୋଗ କରି ସମସ୍ତ ଆବଶ୍ୟକୀୟ କାଗଜପତ୍ର ନିମନ୍ତେ ସହଯୋଗ କରିବେ। ଏଥିପାଇଁ ପ୍ରତି କାର୍ଯ୍ୟାଳୟରେ ସହାୟତା ଡେସ୍କ ଖୋଲାଯିବ। ଏହାଦ୍ୱାରା କର୍ମଚାରୀମାନେ ସହଜରେ ଆବଶ୍ୟକୀୟ ପେନସନ୍ କାଗଜପତ୍ର ପ୍ରଦାନ କରିପାରିବେ।

Comments are closed.