Latest Odisha News

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଉନ୍ମୋଚିତ ହେଲା ନୂଆ ରୋପ୍ ଓ୍ବେ ସୁବିଧା

ଭୁବନେଶ୍ୱର: ବହୁ ପ୍ରତିକ୍ଷା ପରେ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏହାର ନବୀକରଣ ହୋଇଥିବା ରୋପ୍ ଓ୍ୱେ ବ୍ୟବସ୍ଥାର ଉନ୍ମୋଚନ ହୋଇଛି। ଯାହା ଦର୍ଶକଙ୍କୁ ଚିଡ଼ିଆଖାନାରୁ ଉଦ୍ଭିଦ ଉଦ୍ୟାନକୁ ଏକ ଆନନ୍ଦଦାୟକ ଯାତ୍ରା ପ୍ରଦାନ କରୁଛି।

କିଛି ସମୟ ଧରି ଏହି ରୋପ୍ ଓ୍ବେର ବ୍ୟାପକ ଭାବେ ନବୀକରଣ କରାଯାଇ ଦର୍ଶକଙ୍କ ପାଇଁ ଏକ ସୁରକ୍ଷିତ ଓ ଆନନ୍ଦଦାୟକ ଅନୁଭୂତି ପ୍ରଦାନ କରାଯାଇଛି। ଦର୍ଶନାର୍ଥୀମାନେ ଆସନ୍ତାକାଲିଠାରୁ ୧୨୦ ଟଙ୍କା ଶୁଳ୍କ ଦେଇ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ଯାତ୍ରା ଆରମ୍ଭ କରିପାରିବେ।

ଏହି ରୋପ ଓ୍ବେ ଅତ୍ୟନ୍ତ ସୁରକ୍ଷା ବ୍ୟବସ୍ଥା ସହ କାମ କରିବ। ପ୍ରକଳ୍ପର କାର୍ଯ୍ୟାନ୍ୱୟନ ପାଇଁ ଦାୟୀ କମ୍ପାନୀ ଦାମୋଦର ରୋପୱେଜ ଆଣ୍ଡ ଇନଫ୍ରା ଲିମିଟେଡର ମାର୍କେଟିଂ ଉପାଧ୍ୟକ୍ଷ ମହେଶ ମୋହତା କହିଛନ୍ତି ଯେ, ଆମେ ଏହାର ପରିଚାଳନା ପାଇଁ ସମସ୍ତ ଆବଶ୍ୟକୀୟ ଅନୁମୋଦନ ହାସଲ କରିଛୁ।

ଏହି ସୁବିଧା ଉଭୟ ବିଦ୍ୟୁତ୍ ଓ ଜେନେରେଟରରେ କାମ କରିପାରିବ। ସାଧାରଣ ସମୟରେ ଏହା ବିଦ୍ୟୁତ୍ ଶକ୍ତିରେ ଚାଲିବ, ଆଉ ବିଦ୍ୟୁତ୍ ବିଭ୍ରାଟ ହେଲେ ଜେନେରେଟର ନିଜ ଅକ୍ତିଆରକୁ ନେବ। ପ୍ରତ୍ୟେକ ଦିନର ସେବା ପୂର୍ବରୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବୁ ବୋଲି ବିଭାଗୀୟ କର୍ତ୍ତୃପକ୍ଷ କହିଛନ୍ତି।

ନନ୍ଦନକାନନର ଏସିଏଫ ଶରତ ସାହୁ ରୋପ ଓ୍ୱେର କ୍ଷମତା ଓ ମୂଲ୍ୟ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି। ୧୨ଟି କ୍ୟାବିନ୍ ରହିଛି, ଯେଉଁଥିରେ ଏକକାଳୀନ ୭୨ ଜଣ ପର୍ଯ୍ୟଟକ ଯାତ୍ରାର ମଜା ନେଇପାରିବେ। ସର୍ବାଧିକ କ୍ଷମତା ଥିବା ଏହି କେନ୍ଦ୍ରରେ ପ୍ରତି ଘଣ୍ଟାରେ ୪୦୦ ପର୍ଯ୍ୟଟକ ରହିପାରିବେ। ଟିକେଟ୍ ମୂଲ୍ୟ ୧୨୦ ଟଙ୍କା ରଖାଯାଇଛି। ଗତ ବର୍ଷ ଆମେ ୩୮ ଲକ୍ଷ ପର୍ଯ୍ୟଟକଙ୍କୁ ସ୍ୱାଗତ କରିଥିଲୁ ଏବଂ ଚଳିତ ବର୍ଷ ଆମେ ଦୈନିକ ହାରାହାରି ୧୫ ହଜାର ପର୍ଯ୍ୟଟକଙ୍କୁ ସ୍ୱାଗତ କରୁଛୁ। ରୋପ-ଓ୍ବେ ଆରମ୍ଭ ହେବା ପରେ ଆଗକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

ଓଡ଼ିଶା ସରକାରଙ୍କ ଇଞ୍ଜିନିୟରଙ୍କ ଦ୍ୱାରା ରୋପ-ଓ୍ୱେର କଡା ଯାଞ୍ଚ କରାଯାଇଛି। ଏହାବ୍ୟତୀତ ଜାତୀୟ ବିପର୍ୟ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ୍) ଦୁଇଥର ମକ୍ ଡ୍ରିଲ୍ କରିବା ପରେ ଏହି ସୁବିଧାକୁ ପ୍ରମାଣିତ କରିଛି। ସୁରକ୍ଷା ଦୃଷ୍ଟିରୁ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ସେ କହିଛନ୍ତି।

Comments are closed.