ଜ୍ୟୋତି ନନ୍ଦଙ୍କ ନିୟମିତ ବିଭାଗ ସ୍ୱଳ୍ପ ଗଳ୍ପ : ୮୩
ସମସ୍ତ ଅଭିଯୋଗକୁ ପୁଙ୍ଖାନୁପୁଙ୍ଖ ଭାବରେ ଶୁଣି ସାରିବା ପରେ ବିଚାରକ ଜଣକ ଅଭିଯୁକ୍ତଙ୍କ ଆଡକୁ ଚାହିଁଥିଲେ । ସାମ୍ନାରେ କାଠଗଡାରେ ଛିଡା ଅଭିଯୁକ୍ତଙ୍କର ମୁହଁରେ କୌଣସି ଭାବାନ୍ତର ନାହିଁ । ବିଚାରକଙ୍କ ସାମ୍ନାରେ ତାଙ୍କ ବିରୁଦ୍ଧରେ ଆଗତ ସମସ୍ତ ଅଭିଯୋଗର ଶୁଣାଣି ଚାଲିଥିବା ବେଳେ ଏଇ କଥିତ ଅଭିଯୁକ୍ତ ଜଣକ ଅନ୍ୟ ସବୁ ସମୟ ପରି ବେଖାତିର ରହିଛନ୍ତି । ସାଥିରେ ଧରି ବିଚାରାଳୟକୁ ଆସିଥିବା ନିଜର ଲେଖାର ପୁଳିନ୍ଦାକୁ ସେ କେବଳ ସେଠାରେ ରହିଥିବା ସମୟତକ ଓଲଟାଇ ଚାଲିଥାନ୍ତି।
ବିଚାରାଳୟ ଅସ୍ୱାଭାବିକ ଭାବରେ ନୀରବ।
ସେଠାରେ ଉପସ୍ଥିତ ଥିବା ସମସ୍ତ ଦର୍ଶକ ଅତ୍ୟନ୍ତ ଆଗ୍ରହର ସହ ଅପେକ୍ଷା କରିଥାନ୍ତି ଯେ ସେମାନଙ୍କର ଅତ୍ୟନ୍ତ ଶ୍ରଦ୍ଧାସ୍ପଦ,ପ୍ରିୟ ଏବଂ ଏହି ପ୍ରଖ୍ୟାତ ବ୍ୟକ୍ତି ଜଣକ ତାଙ୍କ ବିରୁଦ୍ଧରେ ଆଗତ ହୋଇଥିବା ଅଭିଯୋଗର କୈଫିୟତର ଉତ୍ତରଟି କେଉଁଭଳି କେଉଁ ନାଟକୀୟତାରେ ଉପସ୍ଥାପନ କରୁଛନ୍ତି । ତାଙ୍କ ବିରୁଦ୍ଧରେ ବିଚାରାଳୟରେ ଆଗତ ହୋଇଥିବା ଅଭିଯୋଗଟି ଅଦ୍ଭୁତ । ସେଦୃଷ୍ଟିରୁ ତାହାର ସମସ୍ତ ସମ୍ଭାବିତ ନାଟକୀୟତାର ପରିସମାପ୍ତିକୁ ନେଇ ଉପସ୍ଥିତ ସମସ୍ତଙ୍କର ଚେହେରାରେ ଉତ୍କଣ୍ଠା ।
ବିଚାରକ ଜଣକ ଅତ୍ୟନ୍ତ ଶ୍ରଦ୍ଧାଶୀଳ ଭାବରେ ଯେମିତି ସେ ସେହି ପ୍ରଖ୍ୟାତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିବା ନିମନ୍ତେ ଆଗରୁ ନିଶ୍ଚୟ କରି ଆସିଛନ୍ତି ,ସେଇଭଳି ଗଳାରେ କାଠଗଡାକୁ ପ୍ରଶ୍ନ କଲେ,” ଆପଣଙ୍କ ବିରୁଦ୍ଧରେ ଆଗତ ହୋଇଥିବା ଅଭିଯୋଗ ସମ୍ପର୍କରେ ପଣଙ୍କର ନିଶ୍ଚିତ ଭାବରେ କିଛି କହିବା ଭଳି ଯଥାଯୋଗ୍ୟ ତଥା ପ୍ରଗାଢ଼ ଯୁକ୍ତିସମ୍ମତ ବକ୍ତବ୍ୟ ରହିଥିବ। ଆମମାନଙ୍କର ଅପେକ୍ଷା ଥିବା ସେହି ମୂଲ୍ୟବାନ ବକ୍ତବ୍ୟକୁ କିଛି ଏବେ ଏଠାରେ ପ୍ରକାଶ କରିବା ଭଳି କଷ୍ଟ ବରଣ କରିବେ, ହେ ମହାଭାଗ ।”
ସମ୍ମାନସ୍ପଦ ଅଭିଯୁକ୍ତ ଜଣକ ନିଜ ସାଥିରେ ଧରି ଆସିଥିବା ନିଜ ଲେଖାର ପୁଳିନ୍ଦା ଉପରେ ତଥାପି ନିଜର ଦୃଷ୍ଟିକୁ ନିବଦ୍ଧ କରି ରଖିଥାନ୍ତି।
ଏଇଠି ଯାହା ଯାହା ଘଟୁଛି ବା ଘଟିବ ତାହାର ପୃଷ୍ଠଭୂମିରେ ରହିଛି ସ୍ଥାନରୂପରେ ଗ୍ରୀସ୍ , ନାଟକରୂପରେ ଟ୍ରାଜେଡି, ଟ୍ରାଜେଡିର ଜନକ ଇସ୍କାଇଲସ୍ ଏବଂ କାଳରୂପରେ ଖ୍ରୀପୂ ୪୬୮ ର ସମୟ ।
ପ୍ରାଚୀନ ଗ୍ରୀସରେ ଥିଏଟର୍, ବିଶେଷ ଭାବରେ ଟ୍ରାଜେଡି, କହିବାକୁ ଗଲେ ଗ୍ରୀକ୍ ଦେବତା ଡାଇଓନିଅସଙ୍କ ସହ ସମ୍ପୃକ୍ତା । ଡାଇଓନିଅସ ମଦ୍ୟର ଦେବତା ଥିଲେ ଏବଂ ତାଙ୍କର ଆରାଧନା ତଥା ସମ୍ମାନାର୍ଥେ ପ୍ରତିବର୍ଷ ଗୋଟିଏ ନାଟକ ପ୍ରତିଯୋଗିତାର ଆୟୋଜନ କରାଯାଉଥିଲା। ଏହି ଭବ୍ୟ ନାଟକ ପ୍ରତିଯୋଗୀତାର ଆୟୋଜନକୁ “ଡାୟୋନିସିଆ” ବୋଲି କୁହାଯାଉଥିଲା। ଏହି ଭଳି ଗୋଟିଏ ପ୍ରତିଯୋଗୀତାମୂଳକ ମଞ୍ଚର ଉପସ୍ଥିତିର କାରଣରୁ ଗ୍ରୀକର ସେହି ଆଦ୍ୟକାଳରେ ନାଟକକାର ମାନଙ୍କର ସମୃଦ୍ଧ ରଚନା ଦେଖିବାକୁ ମିଳିଥିଲା।
ଏହି “ଡାୟୋନିସିଆ” ଭଳି ମଞ୍ଚର କାରଣରୁ ହିଁ ଟ୍ରାଜେଡିର ଜନକ କୁହାଯାଉଥିବା ଇସ୍କାଇଲସଙ୍କ ସୃଷ୍ଟି। ପ୍ରାୟ ଖ୍ରୀପୂ ୫୨୫ ରେ ଜନ୍ମିତ ଇସ୍କାଇଲସ୍ ଖ୍ରୀପୂ ୪୯୯ ଠାରୁ ନିରବଚ୍ଛିନ୍ନ ଭାବରେ “ଡାୟୋନିସିଆ” ରେ ନିଜର ନାଟକ ମଞ୍ଚସ୍ଥ କରି ଶ୍ରେଷ୍ଠ ନାଟ୍ୟକାରର ପୁରସ୍କାର ପାଇ ଆସୁଥିଲେ । ନିଜର ସମଗ୍ର ଜୀବନକାଳ ଭିତରେ ତେର ଥର ପୁରସ୍କୃତ ହେବାର ସମ୍ମାନ ଆକାରରେ “ଆଇଭି ଲତା” ର ମାଳା ପାଇବାର ଖ୍ୟାତି ସହିତ ଗ୍ରୀକ୍ ଜାତିର ଶ୍ରେଷ୍ଠତ୍ୱର ସମ୍ମାନ ଏବଂ ଶ୍ରଦ୍ଧା ଅର୍ଜନ କରିବାର ସୌଭାଗ୍ୟପ୍ରାପ୍ତ ହୋଇଛନ୍ତି ।
ଆରମ୍ଭରେ ଉଲ୍ଲେଖ କରାଯାଇଥିବା ବିଚାରାଳୟରେ ବିଚାରକୁ ସାମ୍ନା କରୁଥିବା ସେହି ସମ୍ମାନାସ୍ପଦ ଅଭିଯୁକ୍ତ ଜଣକ କିନ୍ତୁ ଏହି ମହାମାନ୍ୟ ଇସ୍କାଇଲସ୍ ନୁହଁନ୍ତି । ସେ କହିବାକୁ ଗଲେ ଏହି ନାଟକରେ ରହିଥିବା ଏପରି ଏକ ଚରିତ୍ର ଯିଏ ଆଢୁଆଳରେ ଥାଏ ହେଲେ ତାହାର ଗଳାର ସ୍ୱର ସମସ୍ତଙ୍କୁ କିନ୍ତୁ ଶୁଭୁଥାଏ।
ଆଗରୁ କୁହାଯାଇଛି ଯେ ସେହି ବିଶେଷ ସମୟଟି ହେଉଛି ଗ୍ରୀସର ଖ୍ରୀପୂ ୪୬୮ ର ସମୟ । ସେ ବର୍ଷର ନାଟକ ପ୍ରତିଯୋଗୀତାରେ ଅର୍ଥାତ୍ “ଡାୟୋନିସିଆ” ରେ ଏକ ଅଘଟଣ ଘଟିଥିଲା। ଟ୍ରାଜେଡିର ଜନକ ଇସ୍କାଇଲସ୍ ଙ୍କ ଜୀବନରେ ତାହା ଥିଲା ଦ୍ୱିତୀୟ ସର୍ବବୃହତ ଟ୍ରାଜେଡି ।
ଏଇଠି ଅପ୍ରାସଙ୍ଗିକ ହେଲେ ବି ଇସ୍କାଇଲସଙ୍କ ଜୀବନର ସର୍ବବୃହତ ଟ୍ରାଜେଡିଟି ଆମକୁ ଆଶ୍ଚର୍ଯ୍ୟାନ୍ୱିତ କରିଦେବ। ପୃଥିବୀର ଇତିହାସରେ ଏଇଭଳି ଅପଘାତ ମୃତ୍ୟୁ ଆଉ ଦ୍ୱିତୀୟ କୌଣସି ଲେଖକ କ୍ଷେତ୍ରରେ ଏଯାବତ୍ ଦେଖାଦେଇନାହିଁ । ଖ୍ରୀପୂ ୪୫୫ରେ ରାସ୍ତାରେ ଚାଲିଚାଲି ଯାଉଥିବା ବେଳେ ଇସ୍କାଇଲିସ୍ ଙ୍କ ମଥା ଉପରେ ଆକାଶରୁ ଖସି ଆସେ ମରଣ। ସେଇ ମରଣଟିର ସ୍ୱରୂପ ହେଉଛି ଗୋଟିଏ କଇଁଛ, ଆକାଶରେ ଉଡିଯାଉଥିବା କୌଣସି ଛଞ୍ଚାଣର ଚଞ୍ଚୁରୁ ଖସି ପଡିଥିଲା ରଣର କାରକ, ଗୋଟିଏ କଇଁଛ।
ବିଶେଷଭାବରେ “ଲେଖି ହେଉନଥିବା ସମୟ” ଯାହାକୁ ଆମେ ଇଂରେଜୀରେ “ରାଇଟର୍ସ ବ୍ଲକ” ବୋଲି କହିବା ସେଇଠି ହୁଏତ ପ୍ରତୀକ ଭାବରେ କଇଁଛଟିଏ କେଉଁଠି ବସି ରହି ପ୍ରତି ଲେଖକ ପାଇଁ ଯନ୍ତ୍ରଣାର କାରଣ ହୋଇପାରେ, ମାତ୍ର ଲେଖକ ର ଯେ ସେ କେବେ ଏଇଭଳି ମରଣ ବିନ୍ୟାସ କରିପାରେ ତାହା ନିଶ୍ଚୟ ବିରଳ।
ସେ ଯାହାହେଉ ଇସ୍କାଇଲସ୍ ଙ୍କ ଜୀବନର ସେହି ଦ୍ୱିତୀୟ ସର୍ବବୃହତ ଟ୍ରାଜେଡି ଯାହା ଖ୍ରୀପୂ ୪୬୮ ରେ “ଡାୟୋନିସିଆ” ଠାରେ ଘଟିଥିଲା,ସେଠିକୁ ଫେରିବା। ସେ ବର୍ଷର ନାଟକ ପ୍ରତିଯୋଗିତାରେ ଇସ୍କାଇଲସ୍ ବିଜୟୀ ହୋଇପାରିନଥିଲେ । ସେଥରର “ଡାୟୋନିସିଆ” ର ବିଜୟ “ଆଇଭି ଲତା”ର ମାଳା ର ପ୍ରାପକ ଥିଲେ ଜଣେ ତରୁଣ। ସତାବନ ବୟସର ପରିଣତ ନାଟକକାର ଇସ୍କାଇଲସ୍ ଙ୍କୁ ସେଥର ପରାସ୍ତ କରିଥିବା ତରୁଣ ନାଟକାରଙ୍କ ବୟସ ମାତ୍ର ଛବିଶ କି ସତେଇଶ୍ ହେବ । ତାଙ୍କର ନାଆଁ ସଫୋକ୍ଲିସ୍।
ତାହା ପରଠାରୁ ସଫୋକ୍ଲିସ୍ ଙ୍କ “ଡାୟୋନିସିଆ” ବିଜୟ ଅବ୍ୟାହତ ରହିଥିଲା ଆଉ ଇସ୍କାଇଲସ୍ ଙ୍କର ଆଉ ଆନୁଷ୍ଠାନିକ ଭାବରେ ସ୍ୱୀକୃତିକୁ ଫେରିପାଇବା ସମ୍ଭବ ହୋଇନାହିଁ ।
ପ୍ରଥମ ନାଟକରୁ ଖ୍ୟାତିର ଶୀର୍ଷରେ ପହଞ୍ଚିଥିଲେ ସଫୋକ୍ଲିସ୍। ତାଙ୍କର ସେହି ପ୍ରଥମ ନାଟକ ଥିଲା ତିନୋଟି ଶୃଙ୍ଖଳା ବିଶିଷ୍ଟ ନାଟକର ପ୍ରଥମ ଭାଗ ଯାହାର ନାଆଁ ଥିଲା “ତ୍ରିପତୋଲେମସ୍”,ଏବେ ସେଇ ନାଟକ ସବୁ ବିସ୍ମୃତିର ଗର୍ଭରେ ।
ଖ୍ରୀପୂ ୪୬୮ ରେ “ଡାୟୋନିସିଆ”ର ସାଫଲ୍ୟ ସଫୋକ୍ଲିସ୍ ଙ୍କ ଜୀବନରେ ଏକ ନୂତନ ଅଧ୍ୟାୟର ସୂତ୍ରପାତ କରେ। ତାହା ପରଠାରୁ ସେ ନାଟକକୁ ଆକ୍ଷରିକ ଅର୍ଥରେ ନିଃଶ୍ୱାସପ୍ରଶ୍ୱାସ ନେବା ଆଣିବା ଭଳି କର୍ମବିଶେଷ ଆକାରରେ ବିବେଚନା କରିବାକୁ ଆରମ୍ଭ କରନ୍ତି । ଅନ୍ୟାନ୍ୟ କାମକୁ ଛାଡି ସେ କେବଳ ନାଟକକୁ ନେଇ ବ୍ୟସ୍ତ ରହନ୍ତି । ଗୋଟିଏ ନାଟକ ର ଲେଖା ଶେଷ ହେବାମାତ୍ରକେ ସେ ଆଉ ଗୋଟିଏ ନୂତନ ନାଟକ ଲେଖିବା ଜାରି ରଖିଥାନ୍ତି । ଲେଖାରେ ଟିକିଏ ବୋଲି ବିରାମ ନାହିଁ । ସେ ଯେଉଁଠିକୁ ଯାଆନ୍ତି ସେମାନଙ୍କୁ କେବଳ ନାଟକ ଶୁଣାଉଥାନ୍ତି ଅଥବା ତାଙ୍କର ଘରକୁ ଯିଏ ଆସିଲା ତାହାକୁ ସେ ନିଜର ସଦ୍ୟ ଲିଖିତ ନାଟକକୁ ଶୁଣାଇବାପାଇଁ ବସିଯାଆନ୍ତି ।
ସଂସାରରେ ଏଇ ଭଳି ଗୋଟିଏ ଲେଖକ ଚରିତ୍ର ର ବିଡମ୍ବନାର କଥାକୁ ଆମେମାନେ ଭଲଭାବରେ ବୁଝିପାରିବା। ଜଣେ ଲେଖକର ଲେଖା ପ୍ରତି ଅନୁରକ୍ତି ସବୁସମୟ ରହିପାରେ ମାତ୍ର ଲେଖକର ସାଂସାରିକ-କେନ୍ଦ୍ରଭ୍ରଷ୍ଟ ଆଚରଣ ସବୁ ବା “ଏକସେଣ୍ଟ୍ରିସିଟିଜ୍” କୁ ସବୁବେଳେ ସହିପାରିବା କଷ୍ଟକର । ବିଶେଷଭାବରେ ଲେଖକର ପରିବାର ପାଇଁ ଏହା ସବୁବେଳେ ଅତ୍ୟନ୍ତ ଜଟିଳ କଷ୍ଟକର ପ୍ରଶ୍ନ ହୋଇ ରହିଥାଏ ।
ସଫୋକ୍ଲିସ୍ ଙ୍କ ପିଲାଏ ଯେତେବେଳେ ବଡ ହୋଇଗଲେ ସେତେବେଳେ ସଫୋକ୍ଲିସ୍ ଙ୍କ ନିତ୍ୟନୈମିତ୍ତିକ ନାଟକମନସ୍କ ଆଚରଣକୁ ନେଇ ସେମାନେ ପ୍ରକାଶ୍ୟରେ କ୍ଷୁବ୍ଧ ହେବାକୁ ଲାଗିଲେ। ହେଲେ ସଫୋକ୍ଲିସ୍ ଙ୍କ ନାଟକ ଲେଖାରେ କୌଣସି ବିରାମ ନାହିଁ ।
ନିରୁପାୟ ହୋଇ ପିଲାଏ ବାପା ସଫୋକ୍ଲିସଙ୍କ ବିରୁଦ୍ଧରେ ବିଚାରାଳୟର ଦ୍ୱାରସ୍ଥ ହେଲେ । ସେମାନଙ୍କର ଅଭିଯୋଗ ଯେ ସେମାନଙ୍କର ପିତା ନିଜର ସାଂସାରିକ କର୍ମରେ ସାଙ୍ଘାତିକ ଭାବରେ ଅବହେଳା କରୁଛନ୍ତି। ତେଣୁ ତାଙ୍କୁ ଜଣେ ବୃଦ୍ଧ, ଅପାରଗ ବୋଲି ଘୋଷଣା କରାଯାଇ ତାଙ୍କର ଅଭିଭାବକତ୍ୱର ସମସ୍ତ ଦାୟିତ୍ୱ ସେମାନଙ୍କ ଉପରେ ଅବିଳମ୍ବେ ନ୍ୟସ୍ତ କରାଯାଉ।
ସଫୋକ୍ଲିସ୍ ଙ୍କ ବୟସ ସେତେବେଳକୁ ପଚାଶରୁ ଟିକିଏ ଅଧିକ ।
ବିଚାରାଳୟରୁ ସଫୋକ୍ଲିସ୍ ଙ୍କ ନିକଟକୁ ସମନ୍ ଆସିଥିଲା ଏବଂ ସେ ତାହାର ନିର୍ଦ୍ଦେଶାନୁଯାୟୀ ବିଚାରାଳୟରେ ଉପସ୍ଥିତ ହୋଇଥିଲେ।
ବିଚାରପତି ପୁଣି କହିଲେ,ଏଥର ସରଳ ଆଉ ସ୍ୱାଭାବିକ ଭାବରେ,” ଆପଣଙ୍କ ବିଷୟରେ ଆସିଥିବା ଅଭିଯୋଗର ମର୍ମ ତ ଆପଣ ବୁଝିପାରୁଛନ୍ତି ,ଏ ବିଷୟରେ କ’ଣ କହିବେ ?”
ସଫୋକ୍ଲିସ୍ ଏହାପରେ ସାଥିରେ ଆଣିଥିବା ନିଜ ହାତ ଲେଖା ପାପିରସ୍ ର ପୁଳିନ୍ଦା ଉପରୁ ମଥାଟେକି ବିଚାରପତିଙ୍କୁ ଘଡ଼ିଏ ଚାହିଁଲେ ଆଉ ଚାରିପଟକୁ ଚାହିଁଥିଲେ । ଟିକିଏ ଦୂରରେ ନିଜର ପ୍ରତିପକ୍ଷ ଭଳି ଛିଡା ହୋଇଛନ୍ତି ତାଙ୍କର ପିଲାମାନେ ଆଉ ସେମାନଙ୍କ ପଛରେ ତାଙ୍କୁ ଯେମିତି ପରିଷ୍କାର ଭାବରେ ଦେଖାଯିବ ନାହିଁ ସେଇଭଳି ଛିଡାହୋଇଛନ୍ତି ତାଙ୍କର ଧର୍ମପତ୍ନୀ ।
ସଫୋକ୍ଲିସ୍ କହିଲେ,” ଧର୍ମାବତାର, ମୁଁ କିଛି କହିବି ନାହିଁ । କେବଳ ଏତିକି ଅନୁରୋଧ ଯେ କିଛି ସମୟ ଦୟାକରି ପ୍ରଦାନ କଲେ ମୁଁ ମୋର ଏଇ ନୂତନ ଲେଖା ନାଟକରୁ କିଛି ଆପଣମାନଙ୍କୁ ପଢି ଶୁଣାନ୍ତି !”
ଅନୁମତି ମିଳିଗଲା। ସଫୋକ୍ଲିସ୍ ତାଙ୍କର ସଦ୍ୟ ସମାପ୍ତ ନାଟକ “ଇଡିପସ୍ ଅଫ୍ କଲୋନସ୍” କୁ ପଢି ଚାଲିଲେ ।
ସମସ୍ତେ ମନ୍ତ୍ରମୁଗ୍ଧ । ଶେଷ ହେବା ଯାଏଁ ନାଟକଟିକୁ ସମସ୍ତେ ଶୁଣିଚାଲିଲେ । ନୀରବତା ଭିତରେ ସଫୋକ୍ଲିସ୍ ଙ୍କ ସ୍ୱରଲହରୀ ବିଚାରାଳୟରେ କେବଳ ଗୁଞ୍ଜରୀ ଉଠୁଥାଏ ।
ନାଟକ ପାଠ ସମାପ୍ତ କରିବା ପରେ ସଫୋକ୍ଲିସ୍ ଜିଜ୍ଞାଷା କଲେ,”ଧର୍ମାବତାର ,ଏଇ ଭଳି ନାଟକକୁ ଯିଏ ରଚନା କରିପାରେ ତାହାର ବାସ୍ତବରେ କୌଣସି ଅଭିବାବକର ପ୍ରୟୋଜନ ରହିବା ଉଚିତ ବୋଲି ଆପଣଙ୍କର କ’ଣ ମନେ ହେଉଛି ?”
ଏ ସମସ୍ତର ଯେମିତି ପୂର୍ଣ୍ଣଚ୍ଛେଦ ସେଇଭଳି ବିଚାରକ କହିଲେ,”ନା,ଆଦୌ ନୁହଁ। ଆପଣ ସ୍ୱୟଂ ଆପଣଙ୍କର ଅଭିଭାବକ, ଦ୍ୱିତୀୟ କାହାର ଉପସ୍ଥିତି ସେଇଠି ରହିବ ନାହିଁ।”
ସଫୋକ୍ଲିସ୍ ଙ୍କର ଏଇଭଳି ଅଭିଯୋଗରୁ ମୁକ୍ତି ପ୍ରସଙ୍ଗର ଆଧାରରେ ପୃଥିବୀର ସମସ୍ତ ବୟସ୍କ ଲେଖକମାନେ ନିଜର ଅଭିଭାବକତ୍ୱକୁ ନିଜ ଉପରେ ହିଁ ଅର୍ପଣ କରିବା ସ୍ୱାଭାବିକ ବୋଲି ଦାମ୍ଭିକ ହେବାକୁ ହୁଏତ ଉଚିତ ମନେ କରିପାରନ୍ତି ।
Comments are closed.