Latest Odisha News

BREAKING NEWS

ପାରଳାଖେମୁଣ୍ଡିରେ ପୁଣି ଦେଖାଦେଲା ମହାବଳ, ସୀମାବର୍ତ୍ତୀ ଗ୍ରାମାଞ୍ଚଳରେ ଭୟର ବାତାବରଣ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ବୁଲୁଛି ମହାବଳ ବାଘ। ଗତ ମାସ ୧୮ତାରିଖରେ ଉକ୍ତ ବାଘଟି ପ୍ରଥମେ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଣ୍ଡାହାତୀ ଗ୍ରାମ ନିକଟସ୍ଥ ସନ୍ତୋଷପୁର ଗ୍ରାମରେ ପଶି ଗୁହାଳରୁ ଗୋଟିଏ ଗାଈକୁ ମାରି ଖାଇଥିଲା। ଯାହାକୁ ନେଇ ସେତେବେଳେ ଅଞ୍ଚଳରେ ଭିନ୍ନ ଭିନ୍ନ ଆଲୋଚନା ହୋଇଥିଲା। ଏବେ ପୁଣି ଓଡିଶା-ଆନ୍ଧ୍ର ସୀମାନ୍ତରେ ବାଘ ବୁଲୁଥିବାର ଜଣାପଡିଛି। ଯାହାକୁ ନେଇ ସୀମାବର୍ତ୍ତୀ ଗ୍ରାମାଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

ପାରଳାଖେମୁଣ୍ଡି ସହର ଠାରୁ ପ୍ରାୟ ଦୁଇ କିଲୋମିଟିର ଦୂରରେ ବାଘ ବୁଲୁଥିବା ଖବର ମିଳିବା ପରେ ଏବେ ସହରବାସୀ ମଧ୍ୟ ଭୟଭୀତ ହୋଇଛନ୍ତି। ଏହାସହ ସ୍ଥାନୀୟ ଲୋକେ ବନ ବିଭାଗକୁ ସୂଚନା ଦେଇଛନ୍ତି। ଏନେଇ ମଙ୍ଗଳବାର ଦିନ ପାରାଲାଖେମୁଣ୍ଡି ଡିଏଫଓ ଆନନ୍ଦ କହିଛନ୍ତି ଯେ ବନ କର୍ମଚାରୀମାନେ ସଠିକ୍ ସ୍ଥାନ ପରିଦର୍ଶନ କରିବା ସହ ଟ୍ରାପିଂ କ୍ୟାମେରା ଖଞ୍ଜିଥିଲେ। ଟ୍ରାପିଂ କ୍ୟାମେରାରେ ଏକ ମହାବଳ ବାଘର ଚିତ୍ର ମିଳିବା ପରେ ମହାବାଳବାଘ ବୁଲୁଥିବାର ସ୍ପଷ୍ଟ ହୋଇଥିଲା।

ତେଣୁ ରାତିରେ ଗ୍ରାମବାସୀଙ୍କୁ ଘରୁ ବାହାରକୁ ନଯିବାକୁ ପରାମର୍ଶ ଦେଇଛି ବନବିଭାଗ। ଡିଏଫ୍‌ଓ କହିଛି ଯେ ପାରଳାଖେମୁଣ୍ଡି ନିକଟବର୍ତ୍ତୀ ଜଙ୍ଗଲରେ ଏବଂ ପଡୋଶୀ ଆନ୍ଧ୍ରପ୍ରଦେଶରେ ବାଘକୁ ଚିହ୍ନିବା ପାଇଁ ବନବିଭାଗର କର୍ମଚାରୀମାନେ ଟ୍ରାପିଂ କ୍ୟାମେରା ଆଦି ଲଗାଇ ଦିବାରାତ୍ର ପଇଁତରା ମାରୁଛନ୍ତି। ଗ୍ରାମବାସୀଙ୍କୁ ବାହାରକୁ ଯିବାବେଳେ ସଜାଗ ରହିବାକୁ ସ୍ଥାନୀୟ ଲୋକଙ୍କୁ ନିବେଦନ କରିଛନ୍ତି। ଏହା ସହ ଆନ୍ଧ୍ର ବନ ବିଭାଗ ସହ ଯୋଗାଯୋଗ କରି ବାଘର ଗତିବିଧି ସମ୍ପର୍କରେ ସୂଚନା ରଖାଯାଉଥିବାର ମଧ୍ୟ ଜଣାଇଛନ୍ତି ।

ସୂଚନାଯୋଗ୍ୟ ଯେ ଗତ ୧୮ ଅକ୍ଟୋବର ଗଣ୍ଡାହାତୀ ନିକଟରୁ ସନ୍ତୋଷପୁର ଗ୍ରାମ ନିକଟରେ ଏକ ବନ୍ୟଜନ୍ତୁ ମାରି ଖାଇଥିବାର ଦେଖାଯାଇଥିଲା। ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ମହେନ୍ଦ୍ର ବନାଞ୍ଚନର ବନକର୍ମଚାରୀ ଏବଂ ପାରଳାଖେମୁଣ୍ଡି ବଳଖଣ୍ଡର ଏସିଏଫ ଅଶୋକ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କଲାପରେ ଏକ ବାଘର ପାଦଚିହ୍ନ ଠାବ କରିଥିଲେ। ସେହିଦିନ ଠାରୁ ବାଘର ଅବସ୍ଥିତି ଜାଣିବା ପାଇଁ ସେହି ଆଖପାଖ ଅଞ୍ଚଳରେ ପାଞ୍ଚଗୋଟି ଅଟୋମେଟିକ ଟ୍ରାକ କ୍ୟାମେରା ବିଭିନ୍ନ ସ୍ଥାନରେ ଲଗାଯାଇଥିଲା।

Comments are closed.