Latest Odisha News

BREAKING NEWS

ବିଆରଏସକୁ ହରାଇବ ସତ୍ତା ବିରୋଧୀ ଲହର, ସୁନାମୀ ଭଳି ଆସୁଛି କଂଗ୍ରେସ !

ଭୁବନେଶ୍ୱର: ଦେଶର ପାଞ୍ଚୋଟି ରାଜ୍ୟର ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ତିନୋଟି ରାଜ୍ୟର ମତଦାନ ଶେଷ ହୋଇଛି। ଏବେ ରାଜସ୍ଥାନ ଓ ତେଲେଙ୍ଗାନା ଉପରେ ସମସ୍ତଙ୍କର ନଜର ରହିଛି।

ତେଣୁ ତେଲେଙ୍ଗାନାକୁ ନେଇ ଏବେ ନାନା ଆକଳନ କରାଯାଉଛି। ଅନ୍ୟ ପ୍ରମୁଖ ରାଜ୍ୟଗୁଡିକରେ କଂଗ୍ରେସ ଓ ବିଜେପି ମଧ୍ୟରେ ଲଢେ଼ଇ ହେଉଥିବା ବେଳେ ତେଲେଙ୍ଗାନାରେ ଶାସକ ବିଆରଏସ ଦୁଇଟି ଟର୍ମ ଶାସନରେ ରହିବା ସହ ତୃତୀୟ ଥର ଶାସନକୁ ଆସିବାକୁ ଉଦ୍ୟମ କରୁଛି।

ଏଭଳି ସ୍ଥିତିରେ ବିଆରଏସ ସହ କଂଗ୍ରେସ କଡା ଟକ୍କର ଦେଉଛି। ଦୁଇ ଦୁଇ ଥର ଶାସନରେ ଥିବା ବିଆରଏସ ବିରୋଧରେ ଏକ ବଡ଼ ସତ୍ତା ବିରୋଧୀ ଲହର ରହିଛି। ଦଳିତ ବନ୍ଧୁ ଓ କେସିଆର କୀଟ ଭଳି ଭଲ ସ୍କିମ ଦେଉଥିଲେ ମଧ୍ୟ ସତ୍ତା ବିରୋଧରେ ଏକ ବଡ଼ ହାୱା ସୃଷ୍ଟି ହୋଇଥିବା ଆଲୋଚନା ହେଉଛି।

ନିର୍ବାଚନମଣ୍ଡଳୀ ସ୍ତରରେ ବ୍ୟାପକ ଦୁର୍ନୀତି ଏବଂ ଗୋଟିଏ ପରିବାରର ଆଧିପତ୍ୟ ଦଳକୁ ଅଡୁଆରେ ପକାଇଛି। ତେଣୁ ଏହାର ଫାଇଦା ନେବାକୁ କଂଗ୍ରେସ ସବୁ ଉଦ୍ୟମ କରୁଛି।

ବିଶେଷ କରି ତେଲେଙ୍ଗାନାର ପଶ୍ଚିମାଞ୍ଚଳରେ କଂଗ୍ରେସ ଦୃଢ଼ ହେଉଥିବା କୁହାଯାଉଛି। ମୁଲୁଗୁ, ଭଦ୍ରାଦ୍ରୀ କୋଠାଗୁଡ଼େମ, ଖମ୍ମମ, ମହାବୁବାବାଦ,ହନୁମାକୋଣ୍ଡା ଓ ୱାରାଙ୍ଗଲ ରୁରାଲ ଅଞ୍ଚଳରେ ବିଆରଏସ ବିରୋଧୀ ହାୱା ବହୁଥିବା ବେଳେ କଂଗ୍ରେସ ଏହାର ଭରପୁର ଫାଇଦା ନେବାକୁ ସବୁ ଉଦ୍ୟମ କରୁଛି।

୨୦୧୮ ନିର୍ବାଚନରେ ଅବିଭକ୍ତ ୱାରାଙ୍ଗଲର ୧୨ ଟି ସିଟ ମଧ୍ୟରୁ ବିଆରଏସ ୧୦ ଟିରେ ଜିତିଥିଲା କିନ୍ତୁ ଖମ୍ମମରେ ଦଳର ମାତ୍ର ଜଣେ ବିଧାୟକ ଜିତିଥିଲେ। କଂଗ୍ରେସ ଏସବୁ ସିଟକୁ ସମ୍ପୁର୍ଣ୍ଣ ହାତେଇବାକୁ ଯୋଜନା କରିଛି।

ସେପଟେ ୱାଇଏସଆର ତେଲେଙ୍ଗାନା ପାର୍ଟି ମଧ୍ୟ କଂଗ୍ରେସକୁ ଏଥିରେ ପୂର୍ଣ ସମର୍ଥନ ଦେଉଛି। ଖମ୍ମମ ଅଞ୍ଚଳରେ ୱାଇଏସଆର ତେଲେଙ୍ଗାନା ପାର୍ଟିର ବଡ଼ ପ୍ରଭାବ ରହିଛି।

୨୦୧୪ ଓ ୨୦୧୮ ନିର୍ବାଚନରେ ତେଲେଙ୍ଗାନା ସାରା ଭୋଟରମାନେ ବିଆରଏସ ସପକ୍ଷରେ ଭୋଟ ଦେଇଥିଲେ କିନ୍ତୁ ଏସବୁ ନିର୍ବାଚନ ମଣ୍ଡଳୀ ଗୁଡିକରେ ବିରୋଧ ଦେଖିବାକୁ ମିଳିଥିଲା।

ତେଣୁ ଏଥର କଂଗ୍ରେସ ସୁନାମି ଭଳି ଆସୁଛି ଓ ଦଳ ସରକାରକୁ ଆସିବାର ୧୦୦ ଦିନ ମଧ୍ୟରେ ସବୁ ଗ୍ୟାରେଣ୍ଟି ପୂରଣ କରାଯିବ ବୋଲି କଂଗ୍ରେସ ନେତା ମାଲାଲୁ ଭାଟ୍ଟି ବିକ୍ରମାରକା କହିଛନ୍ତି।

ସେପଟେ ତେଲେଙ୍ଗାନାରେ ଶାସକ ଦଳର ବିଧାୟକମାନେ ଲୋକଙ୍କ ବିରୋଧର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ଏସବୁ ପରେ ମଧ୍ୟ କେସିଆର ୯୦ ପ୍ରତିଶତ ବିଧାୟକଙ୍କୁ ରିପିଟ କରିଛନ୍ତି।

ତେଣୁ ଏସବୁ ସ୍ଥିତିକୁ ଆଖି ଆଗରେ ରଖି କଂଗ୍ରେସ ୬ ଟି ଗ୍ୟାରେଣ୍ଟି ସହ ଜୋରଦାର ପ୍ରଚାର କରୁଛି। ଏକ ବଡ଼ ମାହୋଲ ପ୍ରସ୍ତୁତ କରି ଦଳକୁ ଜିତାଇବାକୁ ଉଭୟ ରାଜ୍ୟ ଓ କେନ୍ଦ୍ରୀୟ ନେତୃତ୍ୱ ଲାଗି ପଡିଛନ୍ତି।

ସେପଟେ ଏସବୁ ପ୍ରତିକୂଳ ସ୍ଥିତିକୁ ସମ୍ମୁଖୀନ ହେବାକୁ ବିଆରଏସ ମଧ୍ୟ ଆହୁରି କିଛି ଲୋଭନୀୟ ପ୍ରତିଶ୍ରୁତି ଦେଇଛି। କିନ୍ତୁ ବିଜେପି ଏହି ଲଢେଇରେ ଟିକେ ପଛରେ ପଡିଥିବା କୁହାଯାଉଛି।

କିଛି ମାସ ପୂର୍ବରୁ ରାଜ୍ୟର ରାଜନୈତିକ ଦୌଡ଼ରେ ଆଗରେ ଥିବା ବିଜେପି ଅନ୍ତରୀଣ ସମସ୍ୟା ଯୋଗୁ ଅସୁବିଧାରେ ପଡିଥିବା କୁହାଯାଉଛି। ବନ୍ଦୀ ସଞ୍ଜୟ କୁମାରଙ୍କୁ ବଦଳାଇ ଜି କିଶନ ରେଡ୍ଡୀଙ୍କୁ ରାଜ୍ୟର ମଙ୍ଗ ଦେବା ପରେ ଏହା ଦଳକୁ କ୍ଷତି ପହଞ୍ଚାଇଥିବା ଆଲୋଚନା ହେଉଛି।

କୋମତିରେଡ୍ଡୀ ରାଜାଗୋପାଳ ରେଡ୍ଡୀ, ଜି ବିବେକାନନ୍ଦ, ଏନୁଗୁ ରବିନ୍ଦର ପ୍ରମୁଖ ନେତା ବିଜେପି ଛାଡିଛନ୍ତି। ଅଭିନେତ୍ରୀ ବିଜୟଶାନ୍ତି ମଧ୍ୟ ବିଜେପି ଛାଡି କଂଗ୍ରେସରେ ସାମିଲ ହୋଇଛନ୍ତି। ତେଣୁ ଭିନ୍ନ ଏକ ପରିବର୍ତ୍ତିତ ସ୍ଥିତି ମଧ୍ୟରେ ତେଲେଙ୍ଗାନାର ନିର୍ବାଚନ ଫଳାଫଳ କଣ ହେବ ତାକୁ ନେଇ ନାନା ଆକଳନ ହେଉଛି।

Leave A Reply

Your email address will not be published.