Latest Odisha News

BREAKING NEWS

ନର୍ସ ଚଳାଉଛନ୍ତି ନର୍ସିଂ ହୋମ, ଚିକିତ୍ସାରେ ଅବହେଳା ଯୋଗୁଁ ପ୍ରସୂତି ମୃତ

ବାଲେଶ୍ୱର: ତ୍ରୁଟି ପୂର୍ଣ୍ଣ ଚିକିତ୍ସା ଓ ଡାକ୍ତରଙ୍କ ଅବହେଳା ପାଇଁ ଚାଲିଗଲା ଜଣେ ପ୍ରସୂତିଙ୍କ ଜୀବନ । ଆଉ ନ୍ୟାୟ ପାଇଁ ଘରୋଇ ନର୍ସିଂ ହୋମ ସାମ୍ନାରେ ମୃତ ଶରୀର ରଖି ଧାରଣାଦେଲେ ପରିବାର ଲୋକେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଆଶୀର୍ବାଦ ନର୍ସିଂ ହୋମରେ ।

ସୂଚନା ଅନୁସାରେ, ଜଳେଶ୍ଵର ଥାନା ବାଣିଦା ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କ ଆଶୀର୍ବାଦ ନର୍ସିଂ ହୋମରେ ଅସ୍ତ୍ରପ୍ରଚାର ହୋଇ କନ୍ୟା ଜନ୍ମ ହୋଇଥିଲା । ମାତ୍ର ଶିଶୁ କନ୍ୟା ସୁସ୍ଥ ଥିବାବେଳେ, ମାଆ ଗତକାଲି ଗୁରୁତର ହୋଇପଡ଼ିଥିଲେ, ତାଙ୍କୁ ପ୍ରଥମେ ବାଲେଶ୍ୱର ଏବଂ ପରେ କଟକ ସ୍ଥାନାନ୍ତରିତ ସମୟରେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ତେବେ ଉକ୍ତ ନର୍ସିଂ ହୋମରେ ଅନେକ ସମୟରେ ଡାକ୍ତର ରହୁ ନଥିବା ବେଳେ, ନର୍ସ ମାନେ ନର୍ସିଂ ହୋମ ଚଳାଉଥିବା ଅଭିଯୋଗ ହୋଇଛି ।

ପରିବାର ଲୋକେ କ୍ଷତିପୂରଣ ଦାବିରେ ଆଶୀର୍ବାଦ ନର୍ସିଙ୍ଗ ହୋମ ସାମ୍ନାରେ ମୃତ ମହିଳାଙ୍କ ମୃତଦେହ ରଖି ଧାରଣାରେ ବସିଥିଲେ । ଘଟଣାରେ ଉତ୍ତେଜନା ହେତୁ ଜଳେଶ୍ଵର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା । ପୋଲିସ ଉପସ୍ଥିତିରେ ୨ ଲକ୍ଷ ୫୦ ହଜାର ଟଙ୍କାର ଚେକ ଉକ୍ତ ପରିବାର କୁ ଦେବା ପରେ ଘଟଣା ପ୍ରଶମିତ ହୋଇଥିଲା।

ତେବେ ଉକ୍ତ ନର୍ସିଂହୋମ ନାଁରେ ବାରମ୍ବାର ଏଭଳି ଅଭିଯୋଗ ଆସୁଥିଲେ ମଧ୍ୟ ବିଭାଗ କିମ୍ବା ପ୍ରଶାସନ ପକ୍ଷରୁ କାହିଁକି ଡାକ୍ତର କିମ୍ବା ଉକ୍ତ ଘରୋଇ ନର୍ସିଙ୍ଗ ହୋମ ଉପରେ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଉନାହିଁ ବୋଲି ସାଧରଣରେ ଆଲୋଚନା ହେଉଛି । ଏନେଇ ନର୍ସିଂ ହୋମ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Comments are closed.