ନବରଙ୍ଗପୁର: ଦୀର୍ଘ ୧୭ ଦିନର ସଂଘର୍ଷ ପରେ ଟନେଲ ରୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇ ନବରଙ୍ଗପୁର ଫେରିଥିବା ଡାବୁଗାଁ ବ୍ଲକ ତାଳବେଢା ଗ୍ରାମର ଭଗବାନ ଭତ୍ରା ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା । ଏନେଇ ସ୍ଥାନୀୟ ମିଶନଶକ୍ତି ହଲ ଠାରେ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଓ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଭଗବାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହାସହ ଭଗବାନଙ୍କ ସଂଘର୍ଷର କାହାଣୀ ଅନ୍ୟମାନଙ୍କ ପାଇଁ ପ୍ରେରଣା ର ଉତ୍ସ ହୋଇ ରହିବ ବୋଲି କହିଥିଲେ । ଭଗବାନଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ତରଫରୁ ଦୁଇ ଲକ୍ଷ ଟଙ୍କା ର ସହାୟତା ରାଶି ଦେଇଥିବା ବେଳେ ଆଗାମୀ ଦିନ ରେ ଯଦି ଭଗବାନ ଙ୍କୁ କିଛି ଆବଶ୍ୟକ ହୁଏ ତେବେ ପ୍ରଶାସନ ତରଫରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ।
ଅପରପକ୍ଷରେ ଭଗବାନ ଟନେଲ ଭିତରେ ନିଜର ତିକ୍ତ ଅନୁଭୂତି ବର୍ଣ୍ଣନା କରିଥିଲେ । କିଭଳି ଟନେଲ ରୁ ଉଦ୍ଧାର ହେବି ଓ ନିଜ ଜନ୍ମ ମାଟି କୁ ଫେରିବି ବୋଲି ଚିନ୍ତାରେ ଥିବା ନେଇ କହିଥିଲେ ଭଗବାନ । ଆଜି ଯେତେବେଳେ ଟନେଲ ରୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇ ନିଜ ଜନ୍ମ ମାଟି କୁ ଫେରିଛନ୍ତି ସେତେବେଳେ ବହୁତ ଖୁସି ଅନୁଭବ କରୁଥିବା କହିଛନ୍ତି । ପ୍ରଧାନମନ୍ତ୍ରୀ ଙ୍କ ସହିତ କଥା ହେବା ସହ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବହୁତ ଖୁସି ଥିବା କହିଛନ୍ତି ଭଗବାନ ।
ଭଗବାନ ଜଣେ ସ୍କିଲ ଲେବର ହୋଇଥିବାରୁ ତାଙ୍କ ଦକ୍ଷତା କୁ କିଭଳି ସେ ଦିଗରେ ବିନିଯୋଗ ହୋଇପାରିବ ସେନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ବୋଲି କହିଛନ୍ତି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଙ୍କ ସମେତ ଅନେକ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦେଇଥିଲେ ।
Comments are closed.