Cracker Blast:ବାଣ ଫୁଟାଇବା ବେଳେ ଅଘଟଣ:କେଉଁଠି ଛିଣ୍ଡିଗଲା ପାପୁଲି, କେଉଁଠି ବାଣ ବିସ୍ଫୋରଣରେ ଚାଲିଗଲା ନାବାଳକଙ୍କ ଜୀବନ
ଧର୍ମଗଡ଼:ବାଣ ଫୁଟାଉଥିବା ବେଳେ ଅଘଟଣ। ହାତରେ ବାଣ ଧରି ଫୁଟାଉଥିବା ବେଳେ ଭୟଙ୍କର ବିସ୍ଫୋରଣ। ରବିବାର ରାତିରେ ପିଣ୍ଟୁ ବାଣ ଫୁଟାଉଥିବା ସମୟରେ ହଠାତ୍ ଏକ ବାଣ ତାଙ୍କ ହାତରେ ହିଁ ଫୁଟି ଯାଇଥିଲା। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ, ତାଙ୍କ ଡାହାଣ ହାତର ପାପୁଲିଟି ସମ୍ପୂର୍ଣ୍ଣ ଭାବେ ଛିଣ୍ଡି ଯାଇଛି। ଘଟଣାସ୍ଥଳରେ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚିତ୍କାର କରି ପଡ଼ିଥିବା ବେଳେ ସ୍ଥାନୀୟ ଲୋକ ଓ ପରିବାର ଲୋକେ ତାଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ପ୍ରଥମେ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
ସୂଚନାନୁସାରେ, ପିଣ୍ଟୁ ହାତରେ ନଡ଼ିଆ ବମ୍ ଧରି ଫୁଟାଉଥିବା ସମୟରେ ହଠାତ୍ ଏହା ବିସ୍ଫୋରଣ ହୋଇଥିଲା। ଫଳରେ ତାଙ୍କ ଡାହାଣ ହାତ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି।
ପ୍ରଥମେ ତାଙ୍କୁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ପରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରାଯାଇଛି। ବର୍ତ୍ତମାନ ସେଠାରେ ତାଙ୍କର ଜରୁରୀକାଳିନ ଚିକିତ୍ସା ଚାଲିଥିବା ସୂଚନା ମିଳିଛି ।
ଅନ୍ୟପଟେ ଦୀପାବଳିରେ ବାଣ ନେଲା ନାବାଳକର ଜୀବନ । ବାଣ ବିସ୍ଫୋରଣରେ ପ୍ରାଣ ହରାଇଲା ୧୪ ବର୍ଷର ନାବାଳକ। ରାଉରକେଲା ବାଣ ବିସ୍ଫୋରଣରେ ପ୍ରାଣ ହରାଇଲା ୧୪ ବର୍ଷର ନାବାଳକ। ରାଉରକେଲା ରଘୁନାଥପାଲି ଥାନା ଅନ୍ତର୍ଗତ କୌଶଲ୍ୟା ନଗରରେ ଘଟିଛି ଏହି ଦୁଃଖଦ ଘଟଣା। ସୂଚନା ଅନୁସାରେ, ଦୀପାବଳି ଅବସରରେ ଟ୍ୟୁସନ ସାର୍ ଚିନ୍ମୟ ଓ ତାଙ୍କ ଭଉଣୀଙ୍କୁ ନିଜ ଘରକୁ ଡାକିଥିଲେ।
ସୂଚନା ଅନୁଯାୟୀ, ଦୀପାବଳି ଅବସରରେ ଜଣେ ଶିକ୍ଷକ ନିଜ ଘରକୁ ପିଲାମାନଙ୍କୁ ଭୋଜି ଖାଇବା ପାଇଁ ଡାକିଥିଲେ । ଭୋଜି ଖାଇସାରିବା ପରେ ଚିନ୍ମୟ, ତାଙ୍କ ଭଉଣୀ ଓ ଅନ୍ୟ ଜଣେ ସାଙ୍ଗ ଏକାଠି ଘରକୁ ଫେରୁଥିଲେ। ଘର ଆଉ ଅଳ୍ପ ଦୂର ଥିବା ବେଳେ ଛକ ନିକଟରେ ହଠାତ୍ କାଚ ବୋତଲରେ ଖଞ୍ଜାଯାଇଥିବା ବାଣ ଫୁଟିଥିଲା। ବିସ୍ଫୋରଣରେ ବୋତଲର କାଚ ଖଣ୍ଡ ଛିଟିକି ଆସି ଉଭୟଙ୍କ ଦେହରେ ବାଜିଥିଲା। ଏଥିରେ ଚିନ୍ମୟ ଗୁରୁତର ଆହତ ହୋଇଥିଲେ।
ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ଚିନ୍ମୟଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ରଘୁନାଥପାଲି ପୋଲିସ ତଦନ୍ତ ଜାରି ରଖିଛି ।
