ଭୁବନେଶ୍ଵର: ଆଜି ପ୍ରଥମାଷ୍ଟମୀ । ମାର୍ଗଶିର ମାସର କୃଷ୍ଣପକ୍ଷ ଅଷ୍ଟମୀ ଓଡ଼ିଶାର ଏକ ପ୍ରମୁଖ ପର୍ବ । ଏହା ପ୍ରକୃତରେ ଜ୍ୟେଷ୍ଠ ସନ୍ତାନର ସମ୍ବର୍ଦ୍ଧନା। ଏହି ଦିନ ଜ୍ୟେଷ୍ଠ ସନ୍ତାନର ଦୀର୍ଘଜୀବନ କାମନା କରି ଷଷ୍ଠୀଦେବୀଙ୍କର ପୂଜା କରାଯାଏ । କାରଣ, ଷଷ୍ଠୀଦେବୀ ହେଉଛନ୍ତି ‘ଜ୍ୟେଷ୍ଠାଦେବୀ’। ପୋରୁହାଁ ପିଲାମାନଙ୍କୁ ଏହି ପର୍ବ ପାଇଁ ମାମୁଘରୁ ନୂଆ ପୋଷାକ ମିଳିଥାଏ । ମାମୁଘରେ ଭଣଜା/ଭାଣିଜୀ ନିଜ ପୁଅ/ଝିଅଠୁ ବି ଅଧିକ ବୋଲି ବିବେଚନା କରାଯାଉଥିବାରୁ ମାମୁଘରୁ ନୂଆ ପୋଷାକ ମିଳିବା ପ୍ରଥା ଚଳିଆସୁଛି । ଏହି ଅବସରରେ ବଡ଼ସନ୍ତାନମାନଙ୍କୁ ଷଠୀଦେବୀଙ୍କ ନିକଟରେ ବନ୍ଦାପନା ସହ ପୂଜା କରାଯାଇଥାଏ । ହଳଦୀପତ୍ର ପିଠା ଓ ଖିରି ଷଠୀଦେବୀଙ୍କୁ ଲାଗି କରାଯାଏ । ତେଣୁ ରାତିରୁ ଘରେ ଘରେ ବିରି ବଟାରୁ ଆରମ୍ଭ କରି ନଡ଼ିଆ, ମୁଗ, ବିରି, ଗୁଡ଼ ମିଶ୍ରିତ ପୁର ପ୍ରସ୍ତୁତି ଚାଲିଛି ।
ପାରମ୍ପରିକ ପ୍ରଥା ଅନୁସାରେ, ପ୍ରଥମାଷ୍ଟମୀ ଦିନ ଗୋଟିଏ ସ୍ଥାନକୁ ଲିପାପୋଛା କରି, ସେଠାରେ ଅରୁଆଚାଉଳ ବଟା ପିଠଉରେ କୋଠି କଟାଯାଏ । ସେଠାରେ ଗୋଟିଏ ପିଢ଼ା ରଖି ତା’ ଉପରେ ଚିତା ପକାଯାଏ ଏବଂ ଜ୍ୟେଷ୍ଠ ସନ୍ତାନ ତା’ ଉପରେ ବସନ୍ତି। ଏହି ଜ୍ୟେଷ୍ଠ ସନ୍ତାନର ବିଚାରରେ, ପୁତ୍ର ବା କନ୍ୟା ମଧ୍ୟରେ ପାର୍ଥକ୍ୟ ନଥାଏ । ଜ୍ୟେଷ୍ଠ ସନ୍ତାନ ପୁତ୍ର ହୋଇଥିଲେ ପିଢ଼ା ଉପରେ ପତାକା ଚିତା ଏବଂ କନ୍ୟା ହୋଇଥିଲେ ପଦ୍ମଚିତା ପକାଯାଏ । ତା’ ଉପରେ ବସି ପୁତ୍ର ଓ କନ୍ୟା ବନ୍ଦାପନା ହୁଅନ୍ତି । ଏହି ଉପଲକ୍ଷେ ଘରେ ଏଣ୍ଡୁରି ପିଠା ଓ ଖିରିସା ଆଦି ପ୍ରସ୍ତୁତ କରାଯାଇ ଷଷ୍ଠୀଦେବୀଙ୍କୁ ସମର୍ପଣ କରାଯାଏ ଏବଂ ଜ୍ୟେଷ୍ଠ ସନ୍ତାନକୁ ଖାଇବାକୁ ଦିଆଯାଏ । ଘରର ଅନ୍ୟ ସମସ୍ତେ ମଧ୍ୟ ଏହାକୁ ଖାଆନ୍ତି। ଏଣ୍ଡୁରିପିଠା ପାଇଁ ଯେଉଁ ସ୍ୱତନ୍ତ୍ର ଅଥାର ହାଣ୍ଡି ପ୍ରସ୍ତୁତ କରାଯାଇଥାଏ, ସାତଦିନ ଧରି ତାହା ରହେ ଏବଂ ତହିଁରେ ପିଠା ପ୍ରସ୍ତୁତ ହୁଏ। ସପ୍ତମ ଦିନ ଏହି ଅଥାର ହାଣ୍ଡି ଭଙ୍ଗାଯାଏ ।
ଏହି ପିଠା ତା’ର ସ୍ୱତନ୍ତ୍ର ମହକ ପାଇଁ ଓଡ଼ିଶାର ଏକ ପ୍ରସିଦ୍ଧ ବ୍ୟଞ୍ଜନ ଭାବେ ଗଣାଯାଏ । ଉତ୍ତର, ମଧ୍ୟ ଓ ଉପକୂଳ ଓଡ଼ିଶାରେ ଏ ପିଠା ପ୍ରତିଟି ଘରେ ପ୍ରସ୍ତୁତ ହୁଏ । ହଳଦୀ ପତ୍ର ଗୁଡ଼ାଯାଇ ପ୍ରସ୍ତୁତ ହେଉଥିବାରୁ ହଳଦୀ ପତ୍ରର ବାସ୍ନା ଓ ଔଷଧୀୟ ଗୁଣ ଏଣ୍ଡୁରିକୁ ଏକ ସ୍ୱତନ୍ତ୍ର ପରିଚୟ ଦିଏ । ଏଣ୍ଡୁରି ପିଠା ଏକ ଖାଣ୍ଟି ଓଡ଼ିଆ ଖାଦ୍ୟ ଯାହା ଚାଉଳ ଚୂନା ଓ ବିରିରୁ ତିଆରି ବହଳିଆ ମଣ୍ଡକୁ ବାମ୍ଫରେ ରଖି ସିଝାଇ ତିଆରି କରାଯାଏ । ପତ୍ର ଭିତରେ ସିଝୁଥିବାରୁ ଏହା ଦେଖିବାକୁ ଲମ୍ବା, ନରମ ଏବଂ ପତ୍ରର ଚିହ୍ନ ରହିଥାଏ । ହଳଦୀ ବାସ୍ନାରେ ରୋଷେଇ ଘର ଓ ଖାଇବା ଘର ମହକି ଉଠେ । ଏଣ୍ଡୁରୀ ପିଠା ଏପରି ନିଆରା ଯେ ପିଠା ତିଆରି କରୁଥିବା ଓ ଖାଉଥିବା ଲୋକଟି ହିଁ ଖାଣ୍ଟି ଓଡ଼ିଆ ବୋଲି ଜାଣିବେ । ତେବେ କିପରି ପ୍ରସ୍ତୁତ ହୁଏ ଏହି ପିଠା ଆସନ୍ତୁ ଜାଣିବା ।
ଉପାଦାନ:
ଚାଉଳ, ବିରି, ନଡ଼ିଆ କୋରା, ଛେନା, ଗୁଡ଼/ ଚିନି, ସ୍ୱାଦ ଅନୁଯାୟୀ ଲୁଣ, ଗୋଲମରିଚ ଗୁଣ୍ଡ, ଗୁଜୁରାତି, ଅଳେଇଚ, ଅନ୍ୟାନ୍ୟ ମସଲା ଏବଂ ହଳଦୀ ପତ୍ର ଆଦି ସାଇତି ରଖିବେ । ହଳଦୀ ପତ୍ରକୁ ଧୋଇ ଚାରିଖଣ୍ଡରେ କାଟି ରଖିବେ ।
ପିଠଉ / ସୋଦୁଅ ପ୍ରସ୍ତୁତି:
ପୂର୍ବରୁ ବତୁରାଯାଇଥିବା ବିରିକୁ ବାଟି ସୋଦୁଅ ପ୍ରସ୍ତୁତ କରିବେ । ସେଥିରେ ଲୁଣ ପକାଇ ବିରି ଫୁଲିବା ପର୍ଯ୍ୟନ୍ତ କିଛି ସମୟ ଛାଡିଦେବେ ।
ପୁର ପ୍ରସ୍ତୁତି:
ଅଲଗା ଗୋଟିଏ କଡ଼େଇରେ ଘିଅ ଗରମ କରିବେ । ଘିଅ ଗରମ ହୋଇ ସରିଲା ପରେ ଛେନା, ନଡ଼ିଆ କୋରା, ଗୁଡ଼/ ଚିନି, ଗୋଲମରିଚ ଏବଂ ଅନ୍ୟାନ୍ୟ ମସଲା ଗୁଣ୍ଡ ଦେଇ ଭଲକରି ଗୋଲେଇ ଚାଲିବେ । ରଙ୍ଗ ବଦଳି ମହକ ଆସିଲେ ଚୁଲିରୁ ଓହ୍ଲାଇ ଥଣ୍ଡା କରିବେ । ତେବେ ଚାହିଁଲେ ଆପଣ ବିନା ପୁରରେ ମଧ୍ୟ ଏହି ପିଠା ପ୍ରସ୍ତୁତ କରିପାରିବେ ।
ଅଥାର ହାଣ୍ଡି ପ୍ରସ୍ତୁତି:
ଆପଣ ପ୍ରଥମେ ଗୋଟିଏ ବଡ଼ ମାଟି ହାଣ୍ଡି ବାଛିବେ । ଏଥିରେ ବାମ୍ଫ ସୃଷ୍ଟି ହେବା ପାଇଁ କିଛି ପାଣି ରଖିବେ । ପାଣିର ଦୁଇ ଇଞ୍ଚ ଉପରେ ଛକ କରି କିଛି କାଠି ରଖି ଏକ ଭାଡ଼ି ତିଆରି କରିବେ । କାଠି ଭାଡ଼ି ଉପରେ କିଛି ନଡ଼ାପାଳ ବିଛେଇବେ । ପିଠା ସେଇ ଭାଡ଼ିରେ ରହିବ ତେଣୁ ଫାଙ୍କ ରଖି ପତ୍ରପିଠାକୁ ଗଳିଯିବାକୁ ଦେବେନାହିଁ । ପିଠା ରଖିସାରି ଏକ ବଡ଼ କନା ଦ୍ୱାରା ହାଣ୍ଡିର ମୁହଁକୁ ଆବଦ୍ଧ କରିବେ ଯେମିତି କନା ଦେଇ ବାମ୍ଫ ବାହାରି ପାରୁଥିବ । କନାକୁ ମଙ୍ଗ ସହ ସୂତାରେ ଗୁଡ଼େଇ ଦୃଢ଼ ଭାବେ ବାନ୍ଧି ରଖି ହାଣ୍ଡିକୁ ଚୁଲିରେ ବସାଇବେ ।
ଯଦି ଆଲମୁନିୟମ ଇଟିଲି ତିଆରି ହାଣ୍ଡି ବା ଆଧୁନିକ ଷ୍ଟିମରରେ ପିଠା କରିବାକୁ ଚାହୁଁଛନ୍ତି ତେବେ ସେଥିରେ କିଛି ପାଣି ଦେଇ ତାକୁ ଚୁଲାରେ ବସାଇବେ । କାଟି ରଖିଥିବା ହଳଦୀ ପତ୍ରରେ ବହଳ ‘ପିଠଉ’ ବା ‘ଆଣ’ ରଖନ୍ତୁ । ତା ମଝିରେ ପୁର ଦିଅନ୍ତୁ । ପତ୍ର ଫାଳ ଦୁଇଟି ମୁଦିଦେଇ ହାଣ୍ଡି ଭିତରେ ସଜାଇ ରଖନ୍ତୁ । ଏପରି ୨୦ ରୁ ୩୦ ଟି ପିଠା ଏକକାଳୀନ ହାଣ୍ଡିରେ ବସାଇପାରିବେ । ପ୍ରାୟ ୨୦/ ୩୦ ମିନିଟ ବାମ୍ଫରେ ସିଝିବାକୁ ଦେଇ ଚୁଲିରୁ ଓହ୍ଲାଇଦିଅନ୍ତୁ । ପିଠାରୁ ପତ୍ର ଛଡ଼ାଇ ଗରମ ଗରମ ପରସନ୍ତୁ ।
Comments are closed.