Latest Odisha News

BREAKING NEWS

ପ୍ରକୃତି ରଚୁଛି ତାଣ୍ଡବଲୀଳା, ବାତ୍ୟା ‘ମିଗଜୋମ୍’ ପ୍ରଭାବରେ ଉବୁଟୁବୁ ଦୁଇ ରାଜ୍ୟ

ଭୁବନେଶ୍ଵର: ପ୍ରକୃତି ରଚୁଛି ତାଣ୍ଡବ । ପ୍ରାକୃତିକ ବିର୍ଯ୍ୟୟର ସାମ୍ନା କରୁଛି ଆନ୍ଧ୍ର ସହ ତାମିଲନାଡୁ । ଗତ ୩ ଦିନ ହେଲା ଜାରି ରହିଛି ଲଗାଣ ବର୍ଷା । ବାତ୍ୟା ମିଗଜୋମ୍ ପାଇଁ ଲଗାଣ ବର୍ଷାରେ ଉବୁଟୁବୁ ହେଉଛନ୍ତି ଲୋକେ । ଘର, ଅଫିସ, ରାସ୍ତାଘାଟ ସବୁଠି କେବଳ ପାଣି ହିଁ ପାଣି । ବନ୍ଦ ରହିଛି ସ୍କୁଲ, କଲେଜ ସମେତ ସମସ୍ତ ସ୍ଥାନ । ଯାତାୟତ ହୋଇଛି ଠପ୍ । ଘରୁ ବାହାରିବା ବି ମୁସକିଲ ହୋଇପଡିଛି । ଭାରୀ ବର୍ଷା କରଣରୁ ଜଳମୟ ହୋଇପଡିଛି ସାରା ଅଞ୍ଚଳ । ସେପଟେ ବର୍ଷା ସାଙ୍ଗକୁ ଦାଉ ସାଧୁଛି ପବନ ।

ଲ୍ୟାଣ୍ଡଫଲ କରୁଛି ବାତ୍ୟା ମିଗଜୋମ୍ । ଘଣ୍ଟା ପ୍ରତି ୧୧୦ କିମି ବେଗରେ ପବନ ବହୁଛି । ଆନ୍ଧ୍ର ପ୍ରଦେଶରେ ତାଣ୍ଡବଲୀଳାର କରାଳରୂପ ଦେଖାଉଛି ବତ୍ୟା ମିଗଜୋମ୍ । ଆନ୍ଧ୍ର ପ୍ରଦେଶ ଏବଂ ଚେନ୍ନାଇ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା । ଭାଙ୍ଗିପଡୁଛି ଅନେକ କଚ୍ଚାଘର ସହ ବିଦ୍ୟୁତ ଖୁଣ୍ଟ । ଉପୁଡିପଡୁଛି ବଡ ବଡ ଗଛ ।  ଅନ୍ୟପଟେ ତାଣ୍ଡବଲୀଳା ରଚିବା ସହ ଧନ ଜୀବନ ହାନୀ ମଧ୍ୟ କରୁଛି ବାତ୍ୟା ମିଗଜୋମ୍ । ଚାରିଆଡେ କେବଳ ପାଣି ହିଁ ପାଣି । ଏଯାବତ୍ ୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି ।

ଅନ୍ୟପଟେ ବତ୍ୟା ପରବର୍ତ୍ତୀ ମୁକାବିଲା ପାଇଁ ସଜାଗ ରହିଛି ପ୍ରଶାସନ । ଦୁଇ ରାଜ୍ୟରେ ଉଦ୍ଧାରକାର୍ଯ୍ୟ ବ୍ୟାପକ କରିବା ପାଇଁ ରେସ୍କ୍ୟୁ ଟିମ୍ ମୁତୟନ କରାଯାଇଛି । NDRFର ୨୭ଟି ଟିମ୍ ମୁତୟନ କରାଯାଇଥିବା ବେଳେ ସେମାନେ ରେସ୍କ୍ୟୁ ଅପରେସନ୍‌ ଆରମ୍ଭ କରିଦେଇଛନ୍ତି । ଗତ ରବିବାରଠାରୁ ଆଜି ପର୍ଯ୍ୟନ୍ତ ଚେନ୍ନାଇରେ ୫ଶହ ମିଲିମିଟର ବର୍ଷା ହୋଇଛି । ବର୍ଷାରେ ଏପର୍ଯ୍ୟନ୍ତ ୮ଜଣଙ୍କ ମୃତ୍ୟୁ ହୋଇଛି । ୨୦୪ଟି ଟ୍ରେନ୍ ଏବଂ ୭୦ ବିମାନ ବାତିଲ କରାଯାଇଛି। ଚେନ୍ନାଇ ଏୟାରପୋର୍ଟର ରନୱେରେ ଚାଲିଛି ଅଣ୍ଠୁଏ ଉଞ୍ଚାର ପାଣି ।

ଅନ୍ୟପଟେ ରାଜ୍ୟରେ ଏହାର ପ୍ରଭାବ ରହିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଆସନ୍ତା ଦୁଇରୁ ତିନି ଦିନ ଧରି ରାଜ୍ୟରେ ଜାରି ରହିବ ବର୍ଷା । । ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ନେଇ ସତର୍କ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲିକାନଗିରି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ୫ ଜିଲ୍ଲାକୁ ଆଜି ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୫୦ କିଲୋମଟିର ରହିବ ବୋଲି କୁହାଯାଇଛି । ମୁକାବିଲା ପାଇଁ ଓଡ୍ରାଫ ଓ ଅଗ୍ନିଶମ ବାହିନୀଙ୍କୁ ପ୍ରସ୍ତୁତ ରଖାଯାଇଛି । ଚାଷୀଙ୍କୁ ଫସଲ ସୁରକ୍ଷିତ ରଖିବାକୁ କୃଷି ବିଭାଗ ପକ୍ଷରୁ ମାର୍ଗଦଶିକା ଜାରି କରାଯାଇଛି । କିନ୍ତୁ ଅମଳ ସମୟରେ ପ୍ରକୃତିର ଏହି କରାଳ ରୂପକୁ ଦେଖି ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି । ଋଣ କରି ଉପାର୍ଜନ କରିଥିବା ବର୍ଷଯାକର ସଞ୍ଚିତ ଧନକୁ ପାଣି ଭିତରେ ଦେଖି ମୁଣ୍ଡରେ ହାତ ଦେଇ ବସିଛି ଚାଷୀ ।

Comments are closed.