ଇସଲାମାବାଦ: ପୁଲୱାମାରେ ସିଆରପିଏଫ ଯବାନଙ୍କ ଉପରେ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ଔରଙ୍ଗଜେବ ଆଲମଗୀରକୁ ଇସଲାମାବାଦରୁ ଅପହରଣ କରାଯାଇଛି । କିଛି ବନ୍ଧୁକଧାରୀ ଅପହରଣକାରୀ ଆସି କାରରେ ଉଠାଇ ନେଇଛନ୍ତି । ବାଇକରେ ହଫିଜାବାଦରୁ ଡେରା ଗାଜି ଯିବାବେଳେ ଆଲମଗୀର ଓ ତା’ର ଜଣେ ସମ୍ପର୍କୀୟଙ୍କୁ ଅପହରଣ କରିନେଇଥିବା ସୂଚନା ମିଳିଛି । ବହାବଲପୁରର ଆଲମଗୀର ଗତ କିଛିଦିନ ଧରି ହଫିଜାବାଦରେ ଲୁଚି ରହିଥିଲା।
ପାକିସ୍ତାନ ପୋଲିସ, ଆଇଏସଆଇ ଓ ପାକିସ୍ତାନ ଆର୍ମି ହାଫିଜାବାଦର ବିଭିନ୍ନ ସ୍ଥାନରେ ରେଡ କରିଛନ୍ତି। ତଥାପି ଅପହରଣ ସମ୍ପର୍କରେ କୌଣସି ସୁରାକ ମିଳିନି। ପୋଲିସ ଆଲମଗୀରର ବାଇକ ଠାବ କରିଛି।
ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ଔରଙ୍ଗଜେବ ଆଲମଗୀର। ସେ ଆତଙ୍ଗୀ ସଂଗଠନ ଜୈଶ-ଏ-ମହମ୍ମଦର ସକ୍ରିୟ ସଦସ୍ୟ । ପାକିସ୍ତାନରୁ ପାଣ୍ଠି ସଂଗ୍ରହ କରି ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ କାଶ୍ମୀର ପଠାଉଥିଲା । ଜମ୍ମୁ-କାଶ୍ମୀରରେ ଆଫଗାନ ଆତଙ୍କୀଙ୍କୁ ଅନୁପ୍ରବେଶ କରାଇବା ଘଟଣାରେ ଲିପ୍ତ ଥିଲା । ୨୦୨୨ ଏପ୍ରିଲ ମାସରେ ଭାରତ ସରକାର ଆଲମଗୀରକୁ ଆତଙ୍କବାଦୀ ଘୋଷଣା କରିଥିଲେ। ଭାରତୀୟ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ହମଲା ହିଁ ତା’ର ଏକମାତ୍ର ଲକ୍ଷ୍ୟ ଥିଲା। ଆଲମଗୀର କେବଳ ପୁଲୱାମା ନୁହେଁ, କଶ୍ମୀରରେ ଘଟିଥିବା ଅନେକ ଆତଙ୍କୀ କାର୍ଯ୍ୟକଳାପରେ ସାମିଲ ଥିଲା।