Latest Odisha News

୩୫୦ କୋଟି ଜବତ ପରେ ହାଓ୍ୱାଲା ଅପରେଟର ଓ ସେଲ୍ କମ୍ପାନୀ ଉପରେ ଆଖି, ତଦନ୍ତ କରିପାରେ ଇଡି

ଭୁବନେଶ୍ୱର: କଂଗ୍ରେସ ସାଂସଦଙ୍କ ପରିବାର ମାଲିକାନାରେ ଥିବା ଏକ ଡିଷ୍ଟିଲରି ଗ୍ରୁପ୍ରୁ ଆୟକର ବିଭାଗର ଅଭୂତପୂର୍ବ ୩୫୦ କୋଟି ଟଙ୍କା ଜବତ ହେବା ପରେ ସମ୍ଭାବ୍ୟ ହାଓ୍ୱାଲା ଅପରେସନ୍ ଏବଂ ବେଆଇନ ଅର୍ଥ କାରବାର ପାଇଁ ନକଲି କମ୍ପାନୀର ବ୍ୟବହାରକୁ ସୁଚାଉଛି। ଯାହାର ତଦନ୍ତ ଇଡି କରିପାରେ ବୋଲି ସୂଚନା ରହିଛି।

ପାଖାପାଖି ସପ୍ତାହେ ହେବ କମ୍ପାନୀର ବିଭିନ୍ନ ସ୍ଥାନଗୁଡ଼ିକରେ ଚଢ଼ଉ ପରେ ଏକ ଅନ୍ତରୀଣ ରିପୋର୍ଟ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି)କୁ ପ୍ରଦାନ କରାଯାଇଛି। ଏହି ତଦନ୍ତରେ ଟିକସ ଫାଙ୍କି ଏବଂ ‘ଆଉଟ୍ ଅଫ୍ ବୁକ୍’ କାରବାର ଉପରେ ଗୁରୁତ୍ୱ ଦିଆଯାଇଛି।

ବିପୁଳ ପରିମାଣର ଟଙ୍କା ଜବତ ହେବା ଘଟଣା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ମଧ୍ୟ ଦୃଷ୍ଟି ଆକର୍ଷଣ କରିଛି। ଯାହା ଏହି ମାମଲାର ସନ୍ଦିଗ୍ଧ ମନି ଲଣ୍ଡରିଂ ଦିଗ ଉପରେ ତଦନ୍ତ କରିବାର ସମ୍ଭାବନା ରହିଛି। ମଙ୍ଗଳବାର ଇଡି ଓ ଆଇଟି ଅଧିକାରୀଙ୍କ ମଧ୍ୟରେ ହୋଇଥିବା ବୈଠକରେ ଜବତ ହୋଇଥିବା ଅର୍ଥର ଉତ୍ସ ଓ ଗତିବିଧି ଉପରେ ଅଧିକ ତଦନ୍ତ କରିବାକୁ ପରାମର୍ଶ ଦିଆଯାଇଛି।

ଏହି ଚଢ଼ାଉ ସମୟରେ ଓଡ଼ିଶା, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରେ ଥିବା ୩୦-୩୪ଟି ସ୍ଥାନରେ ଚଢ଼ଉ କରାଯାଇ ପ୍ରାୟ ୩ କେଜି ସୁନା ଅଳଙ୍କାର ଜବତ କରାଯାଇଛି। ଅପରେସନ ସମୟରେ ମିଳିଥିବା ଦସ୍ତାବିଜରୁ ଏହି ରାଜ୍ୟଗୁଡ଼ିକରେ ହାଓ୍ୱାଲା ଅପରେଟରଙ୍କ ସମ୍ପୃକ୍ତି ଏବଂ ବେଆଇନ କାରବାରକୁ ସହଜ କରିବା ପାଇଁ ନକଲି କମ୍ପାନୀର ବ୍ୟବହାର ନେଇ ସନ୍ଦେହ ସୃଷ୍ଟି ହୋଇଛି।

ସେହିପରି କଂଗ୍ରେସର ରାଜ୍ୟସଭା ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ରାଞ୍ଚିସ୍ଥିତ ବାସଭବନରେ ମଧ୍ୟ ଚଢ଼ାଉ କରାଯାଇଛି। ଏନେଇ କମ୍ପାନୀ କିମ୍ବା ଧୀରଜ ସାହୁଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ବିଜେପି ଏହି ସୁଯୋଗରେ ଉଭୟ ବିଜେଡି ଓ କଂଗ୍ରେସକୁ ଟାର୍ଗେଟ୍ କରିଛି। ତେବେ ଏ ନେଇ ବିଜେଡି ବିଜେପି କଂଗ୍ରେସ ପରସ୍ପରକୁ ପାଲଟା ଟାର୍ଗେଟ କରିଥିଲା।

Comments are closed.