Latest Odisha News

ଭାଷା ଭାଗବତ : ଅତି-ଲିଖନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ

ଧାଡ଼ି ସବୁ ହୋଇଲେ ଯୋଡ଼ା

ଆଖିକୁ ମିଳିଥାଏ ପୀଡ଼ା

ଯେତେବେଳେ ବି ହୁଏ ପଢ଼ା

ଆଖିକୁ ସୁଖ ପଡ଼େ ଲୋଡ଼ା

 

ଲେଖିଲେଶବ୍ଦସବୁଯୋଡ଼ି

ଅର୍ଥ ତ ହୁଏନାହିଁ କାଢ଼ି

ପାଠକଗଲେବାଟହୁଡ଼ି

କେବେ ବି ଆସେନି ବାହୁଡ଼ି

 

ସାନ ଚିହ୍ନକୁ ଦେଲେ ଧ୍ୟାନ

ଲିଖିତ ପାଠ ପରିଚ୍ଛନ୍ନ

ହେବାର ଅଛି ସଂଭାବନା

କେହି କରିବାନାହିଁ ମନା

 

ଆମର ଲିପି ସଂଯୋଜନ

ପଦ୍ଧତି ନିୟଂତ୍ରଣ-ହୀନ

ହେବାରୁ ସୁଖପାଠ୍ୟ ବହି

ବେଶି ସଂଖ୍ୟାରେ ଦିଶେନାହିଁ

 

ଅତି-ଲିଖନ ବିକର୍ଷକ

ସହଜେ ଘଉଡ଼େ ପାଠକ

ଲେଖକ ହୋଇଲେ ଚୁଂବକ

ଟାଣେ କେବଳ ଲୁହା ତକ

 

ଅନ୍ୟାନ୍ୟ ଧାତୁ ଦୂରେ ରହି

ଚୁଂବକ ପ୍ରଭାବ ଏଡ଼ାଇ

ହୁଅଂତି ବେଶି ମୂଲ୍ୟଯୁକ୍ତ

ଏହା ଅଟେ ସ୍ଥୂଳତଃ ସତ

 

ବେଶି ଲେଖିଲେ ବେଶି ତ୍ରୁଟି

ପୃଷ୍ଠାରେ ଉଠଂତି ଉକୁଟି

ପ୍ରତି ଅକ୍ଷର ମାପିଚୁପି

ଲେଖିଲେ ସଫା ଦିଶେ ଲିପି

 

ଅତି ଦ୍ରୁତ ଲିଖନ ପାଇଁ

ଓଡ଼ିଆ ଗଢ଼ା ହୋଇନାହିଁ

ଶାଂତ ମଂଥର ଲେଖା ଗତି

ଘଟାଏ ଭାଷାର ଉନ୍ନତି

 

ଅକ୍ଷରାତ୍ମକ ହେଲେ ଲିପି

ବର୍ଣାଦି ପାରଂତିନି ବ୍ୟାପି

ଏକ ଅକ୍ଷରେ ବହୁ ବର୍ଣ

କରଂତି ଆପେ ଅବସ୍ଥାନ

 

*ସ୍ତ୍ରୀ* ଅଟେ ଗୋଟିଏ ଅକ୍ଷର

*ସ୍‌ ତ୍‌ ର୍‌ ଈ* ର ସମାହାର

ବୁଝିଲେ ଲିପି ଚରିତ୍ର

ସଭିଏଁ ହେବା ଅଗ୍ରସର

Comments are closed.