Latest Odisha News

ସ୍ପିକରଙ୍କୁ ଭେଟିଲେ ସାଂସଦ ପ୍ରତାପ ସିହ୍ନା: ଭିଜିଟର ପାସ ଇସ୍ୟୁକୁ ନେଇ ଦେଲେ ସଫେଇ

ନୂଆଦିଲ୍ଲୀ: ସଂସଦ ଭବନରେ ଅଜଣା ବ୍ୟକ୍ତଙ୍କ ଅନୁପ୍ରବେଶ ଘଟଣା ପରେ ବିଜେପି ସାଂସଦ ପ୍ରତାପ ସିହ୍ନା ଲୋକସଭା ସ୍ପିକର ଓମ ବିରଲାଙ୍କୁ ସାକ୍ଷାତ କରିଛନ୍ତି । ସାଂସଦ ପ୍ରତାପ ସିହ୍ନାଙ୍କ ପାସ ନେଇ ଦୁଇ ଅଭିଯୁକ୍ତ ସାଗର ଶୁକ୍ଳା ଏବଂ ମନୋରଞ୍ଜନ ଡି ସଂସଦ ଭବନକୁ ପ୍ରବେଶ କରି ହଙ୍ଗାମା କରିଥିଲେ । ସାଂସଦ ପ୍ରତାପ ସିହ୍ନାଙ୍କ କହିବା ଅନୁଯାୟୀ, ମନୋରଞ୍ଜନ ଡିଙ୍କ ବାପା ତାଙ୍କ ନିର୍ବାଚନ ମଣ୍ଡଳୀ ମୈଶୁରର ବାସିନ୍ଦା । ସେ ସଂସଦ ଭବନ ଦେଖିବା ପାଇଁ ଏକ ପାସ ଦେବାକୁ ତାଙ୍କୁ ଅନୁରୋଧ କରିଥିଲେ ।

ବିଜେପି ସାଂସଦ କହିଥିଲେ, ସେ ଲଗାତାର ନିଜ ବ୍ୟକ୍ତିଗତ ସହାୟକ ଏବଂ କାର୍ଯ୍ୟାଳୟ ସହ ସମ୍ପର୍କରେ ଥିଲେ ଯଦ୍ୱାରା ମନୋରଞ୍ଜନ ଭଲ ଭାବେ ସଂସଦ ଭବନ ବୁଲି ଦେଖି ପାରିବେ । ସାଂସଦ ଲୋକସଭା ସଦସ୍ୟଙ୍କୁ କହିଥିଲେ ଯେ ଏତିକି ଛଡା ସେ ଆଉ କିଛି ଜାଣି ନାହାନ୍ତି ।

ତେବେ ଏହାକୁ ନେଇ ବିରୋଧୀ ହଙ୍ଗାମା କରିଛନ୍ତି । ଅଭିଯୁକ୍ତ ବିଜେପି ସାଂସଦ ପ୍ରତାପ ସିହ୍ନାଙ୍କ ନାମରେ ଜାରି ଭିଜିଟର ପାସ ନେଇ ଲୋକସଭାରେ ପ୍ରବେଶ କରିଥିବା ଜାଣି କଂଗ୍ରେସ କାର୍ଯ୍ୟକର୍ତ୍ତା ମୈଶୁରସ୍ଥିତ କାର୍ଯ୍ୟାଳୟ ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ ।

ଲୋକ ସଭା ସେକ୍ରେଟରିଏଟ ଏହି ଘଟଣାରେ ୮ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରଛି । ଅନ୍ୟପଟେ ଆଜିଠାରୁ ସଂସଦ ଭବନର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଭିଜିଟର୍ସଙ୍କ ଆସିବାକୁ ବାରଣ କରାଯାଇଛି । ଏହାବ୍ୟତୀତ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ପ୍ରୋଟୋକଲଗୁଡିକ ମଧ୍ୟ ପରିବର୍ତ୍ତନ କରାଯାଇଛି । ଯିବାବେଳେ ସମସ୍ତଙ୍କୁ କଡା ଚେକିଂ ପରେ ଭିତରକୁ ଯିବାକୁ ଅନୁମତି ଦିଆଯାଉଛି ।

ସେପଟେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ନେଇ ବିରୋଧୀ ଗୃହରେ ପ୍ରବଳ ହଟ୍ଟଗୋଳ ସୃଷ୍ଟି କରିଛନ୍ତି । ସୁରକ୍ଷାରେ ତ୍ରୁଟିକୁ ନେଇ ପ୍ରଥମ ଥର ପାଇଁ ସରକାର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ସାଂସଦମାନେ ପାସ ଦେବାବେଳେ ଅଧିକ ସତର୍କ ରହିବା ଦରକାର । ତେବେ ବିରୋଧୀ ଏହାକୁ ନେଇ ହୋହଲ୍ଲା କରିଛନ୍ତି । ଏପରିକି ପ୍ରଧାନମନ୍ତ୍ରୀ ବା ଗୃହମନ୍ତ୍ରୀ ବୟାନ ରଖନ୍ତୁ ବୋଲି ଦାବି କରିଛନ୍ତି । ଏଥିସହିତ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ।

Comments are closed.