Latest Odisha News

ବିକାନେରରେ ୩ ପିଲାଙ୍କ ସହ ଜୀବନ ହାରିଲେ ଦମ୍ପତି

ଜୟପୁର: ଘର ଭିତରୁ ଗୋଟିଏ ପରିବାରର ୫ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ରାଜସ୍ଥାନର ବିକାନେରରୁ ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସ୍ବାମୀ-ସ୍ତ୍ରୀ ଏବଂ ତାଙ୍କର ୩ ସନ୍ତାନଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ୪୫ ବର୍ଷୀୟ ହନୁମାନ ସୋନି ତାଙ୍କର ପତ୍ନୀ, ଦୁଇ ପୁଅ ଏବଂ ଝିଅ । ସମସ୍ତେ ଆତ୍ମହତ୍ୟା କରିଥିବା ପୋଲିସ ସୂଚନା ଦେଇଛି ।

ସପରିବାର ହନୁମାନ ବିକାନେର ଜିଲ୍ଲା ମୁକ୍ତପ୍ରସାଦ ଥାନା ଅନ୍ତୋଦୟନଗରରେ ଭଡାଘରେ ରହୁଥିଲେ । କୌଣସି କାରଣକୁ ନେଇ ଦୀର୍ଘ ଦିନ ଧରି ଚାପଗ୍ରସ୍ତ ଥିଲେ । ଏହାକୁ କେନ୍ଦ୍ରକରି ସେମାନେ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି । ତେବେ କେଉଁ କାରଣ ପାଇଁ ପୁରା ପରିବାର ଆତ୍ମହତ୍ୟା ଭଳି ଏତେ ବଡ଼ ପଦକ୍ଷେପ ଉଠାଇଲେ, ତାହା ସଠିକ୍ ଭାବେ ଜଣାପଡିନି । ଘର ଭିତରୁ ୫ ଜଣଙ୍କର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବିକାନେରର ପିବିଏମ ହସ୍ପିଟାଲକୁ ପଠାଯାଇଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି ।

ଏହି ପରିବାର ଦୁଇ ଦିନ ପୂର୍ବରୁ ଜୀବନ ହାରିଥିବା ଅନୁମାନ କରାଯାଉଛି । କାରଣ ଦିନ ଦୁଇ ଦିନ ପୂର୍ବରୁ ଘର ମାଲିକ ତାଙ୍କ ଘରକୁ ଯାଇଥିଲେ । ହେଲେ କେହି ଗେଟ୍ ନଖୋଲିବାରୁ ସେ ଫେରି ଯାଇଥିଲେ । ଏହାପରେ ସେ ହନୁମାନଙ୍କୁ ଫୋନ କରିଥିଲେ । କିନ୍ତୁ କୌଣସି ଉତ୍ତର ମିଳିନଥିଲା । ଏନେଇ ସେ ମୃତକଙ୍କ ପରିବାରକୁ ଖବର ଦେବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । କବାଟ ଭାଙ୍ଗିବା ପରେ ୫ ଜଣଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା ।

 

 

Comments are closed.