Latest Odisha News

ପ୍ରଥମେ ବାପା ଆଉ ଏବେ ୨ପିଲାଙ୍କୁ ଅନାଥ କରି ଚାଲିଗଲେ ମା’, ଆପଣଙ୍କୁ ବି କନ୍ଦାଇଦେବ ଦିଲ୍ଲୀ ମେଟ୍ରୋରେ ମହିଳାଙ୍କ ମୃତ୍ୟୁ କାହାଣୀ

ନୂଆଦିଲ୍ଲୀ: “ମା’ ତୁ କେଉଁଠି ଅଛୁ । କେତେବେଳେ ଆସିବୁ । ଜାଣିଛୁ ୩ଦିନ ହେଲାଣି ଆମେ ଭଲରେ ଖାଇନାହୁଁ । ଯେବେ ବାପା ଆମକୁ ଛାଡି ଚାଲିଯାଇଥିଲେ ସେତେବେଳେ ତୁ ଆମ ପାଇଁ ସବୁକିଛି ଥିଲୁ । ଏବେ କିନ୍ତୁ ତୁ ବି ଆମକୁ ଛାଡିଚାଲିଗଲୁ । ଏବେ ଆମେ କେମିତି ବଞ୍ଚିବୁ । କିଏ ସେ ଆମକୁ ଖୁଆଇ ଦେବ । କିଏ ସେ ନିଦ ନ ଆସିଲେ ଗୀତ ଗାଇ ଆମକୁ ଶୁଆଇ ଦେବ” । ଇଏ ହେଇଛି ସେହି ୨ ପିଲାଙ୍କ କୋହଭରା କଥା । ମନରେ ଯେ କେତେ ପ୍ରଶ୍ନ । ଯାହାର ଉତ୍ତର ଦେବାକୁ ନାଁ ପରିବାରରେ କେହି ଅଛନ୍ତି ନାଁ ଆଖପାଖ ଲୋକ କେହି ଏହି ପ୍ରଶ୍ନର ଉତ୍ତର ଦେଇପାରୁଛନ୍ତି ।

ଦିଲ୍ଲୀ ମେଟ୍ରୋର ଅବହେଳା କାରଣରୁ ଗତ ଗୁରୁବାର ଜଣେ ମହିଳା ପ୍ରାଣ ହରାଇଛନ୍ତି | ମହିଳା ଜଣଙ୍କ ହେଉଛନ୍ତି ନାଙ୍ଗଲୋଇ ନିବାସୀ ରିନା । ୯ ବର୍ଷ ପୂର୍ବେ ସ୍ଵାମୀଙ୍କ ମୃତ୍ୟୁ ପରେ ରିନା ତାଙ୍କ ଦୁଇ ପିଲାଙ୍କ ସହ ଦିଲ୍ଲୀର ନାଙ୍ଗଲୋଇ ଅଞ୍ଚଳରେ ରହୁଥିଲେ । ସେଠାରେ ଏକ ଦୋକାନ ଚଳାଇ ନିଜ ପିଲାମାନଙ୍କୁ ପାଳନ କରୁଥିଲେ । ଏବେ କିନ୍ତୁ ରିନାଙ୍କ ମୃତ୍ୟୁ ପରେ ପିଲାମାନଙ୍କ କଥା ବୁଝିବ ବା କିଏ ।

ଗତ ଗୁରୁବାର ରିନା ତାଙ୍କ ପୁଅ ସହିତ ନାଙ୍ଗଲୋଇ ମେଟ୍ରୋ ଷ୍ଟେସନରୁ ମେରଟକୁ ଯାଉଥିଲେ । ଏହି ସମୟରେ ରିନା ଇନ୍ଦ୍ରଲୋକ ମେଟ୍ରୋ ଷ୍ଟେସନରେ ଇଣ୍ଟରଚେଞ୍ଜ ପାଇଁ ଓହ୍ଲାଇଥିଲେ। ସେତେବେଳେ ରିନାଙ୍କ ଶାଢୀ ମେଟ୍ରୋରେ ଅଟକି ଯିବା କାରଣରୁ ସେ ଅନେକ ଦୁର ପର୍ଯ୍ୟନ୍ତ ଘୋଷାଡି ହୋଇଯାଇଥିଲେ । ଫଳରେ ସେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଛନ୍ତି | ସେପଟେ କିନ୍ତୁ ମହିଳାଙ୍କ ମୃତ୍ୟୁକୁ ନେଇ ଏବେ ପୁରା ପରିବାର ଉପରେ ଦୁଃଖର ପାହାଡ ଖସିପଡିଛି ।

ଅନ୍ୟପଟେ ଧିରେ ଧିରେ ପିଲାମାନଙ୍କର ଅବସ୍ଥା ମଧ୍ୟ ବିଗିଡିବାରେ ଲାଗିଲାଣି । ଏବେ ପ୍ରଶ୍ନ ଉଠୁଛି ଯେ, ଯେତେବେଳେ ଜଣେ ମହିଳା ମେଟ୍ରୋରେ ଫସି ଏତେ ବାଟ ଘଷାଡି ହୋଇ ଯାଇଥିଲା ସେତେବେଳେ ଡ୍ରାଇଭରର ଧ୍ୟାନ କେଉଁଠି ଥଲା? ଏତେ ବଡ ଦୁର୍ଘଟଣା କିପରି ହେଲା? ଦିଲ୍ଲୀ ମେଟ୍ରୋର ଏହି ଅବହେଳା ଏକ ଖୁସିର ପାରିବାରିକ ପରିବେଶକୁ ଶୋକରେ ପରିଣତ କରିଦେଇଛି | ରିନାଙ୍କ ମୃତ୍ୟୁ ପରେ ପୀଡିତାଙ୍କ ପରିବାର ବର୍ତ୍ତମାନ କ୍ଷତିପୂରଣ ଦାବି କରି ମେଟ୍ରୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି । ଏବେ ଦେଖିବାକୁ ବାକି ରହିଲା ମୃତ ରିନାଙ୍କ ପିଲାମାନେ ନ୍ୟାୟ ପାଉଛନ୍ତି କି ନାହିଁ।

 

 

Comments are closed.