ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଗିଡ଼ିପାବଲିରେ ଭୂସ୍ଖଳନ ପରେ ଚାଲିଥିବା ଉଦ୍ଧାର କାର୍ଯ୍ୟକୁ ବୁଧବାର ଦିନ ଖରାପ ପାଗ ଯୋଗୁଁ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଛି। ଏହିଏପଟେ ବିପର୍ଯ୍ୟୟରେ ନିଖୋଜ ଥିବା ବ୍ୟକ୍ତିଙ୍କ ପରିବାରବର୍ଗ ଏବେ ସେମାନଙ୍କର ଅନ୍ତିମ ସଂସ୍କାର କରିବାକୁ ଚାହୁଁଛନ୍ତି।
ଅନ୍ୟପକ୍ଷରେ ଉଦ୍ଧାର କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପୂର୍ବରୁ ନିଖୋଜ ବ୍ୟକ୍ତିମାନଙ୍କୁ ଖୋଜି ବାହାର କରିବା ପାଇଁ ପ୍ରଶାସନ ଆଉ ଏକ ଶେଷ ପ୍ରୟାସ କରିବାକୁ ନିଷ୍ପତ୍ତି ନେଇଛି।
ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ଜିଲ୍ଲାପାଳ ଏବଂ କନ୍ଧମାଳ ପୋଲିସ ଅଧୀକ୍ଷକ (ଏସ୍ପି) ମଙ୍ଗଳବାର ଦିନ କିଲାପାଙ୍ଗା ସ୍ଥିତ ଏକ ରିଲିଫ୍ କ୍ୟାମ୍ପରେ ପ୍ରଭାବିତ ନଅଟି ପରିବାରକୁ ଭେଟିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।
ଏହି ସାକ୍ଷାତ ସମୟରେ, ପରିବାର ସଦସ୍ୟମାନେ କହିଥିଲେ ଯେ ସେମାନେ ଏହି ଦୁଃଖଦ ଘଟଣାକୁ ଗ୍ରହଣ କରି ନିଜ ଜୀବନକୁ ଆଗକୁ ବଢ଼ାଇବାକୁ ଚାହୁଁଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଦିଆଯାଇଥିବା ସୂଚନା ଅନୁଯାୟୀ, ସେମାନେ ବୁଧବାର ଦିନ ନିଜର ପରମ୍ପରା ଅନୁସାରେ ନିଖୋଜ ସମ୍ପର୍କୀୟମାନଙ୍କର ଅନ୍ତିମ ସଂସ୍କାର କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।
ଅପରପକ୍ଷରେ ମାଟି ଓ ପଥର ତଳେ ଫସି ରହିଥିବା ଲୋକଙ୍କୁ ଖୋଜି ବାହାର କରିବା ପାଇଁ ଜୀବନ ଚିହ୍ନଟକାରୀ ଯନ୍ତ୍ର (life-detection machines), ସ୍ୱତନ୍ତ୍ର କୁକୁର ସ୍କ୍ୱାଡ, ଆଇଆଇଟିର ବିଶେଷଜ୍ଞ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଏବଂ ରେଳବାଇ ଦଳକୁ ନିୟୋଜିତ କରାଯାଇଥିଲା।
ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ସେହି ସ୍ଥାନରେ ଅତି କମରେ ୩୦ ଫୁଟର ମାଟି ଓ ପଥର ଜମା ହୋଇରହିଛି। ଭଗ୍ନାବଶେଷ ଜମା ହେବା ଏବଂ ସେହି ଅଞ୍ଚଳରେ ଅତି କମରେ ତିନୋଟି କ୍ରମାଗତ ଭୂସ୍ଖଳନ ହେବା ଫଳରେ ଖନନ କାର୍ଯ୍ୟ ଅଧିକ କଷ୍ଟକର ହୋଇପଡ଼ିଛି। ଅତିରିକ୍ତ ବ୍ଲାଷ୍ଟିଂ ନୂଆ ଭୂସ୍ଖଳନ ସୃଷ୍ଟି କରିପାରେ ଏବଂ ଉଦ୍ଧାରକାରୀଙ୍କ ଜୀବନକୁ ବିପଦରେ ପକାଇପାରେ।
ବର୍ତ୍ତମାନର ପାଗ ପରିସ୍ଥିତିକୁ ବିଚାରକୁ ନେଇ ପ୍ରଶାସନ ବୁଧବାର ଦିନ ଉଦ୍ଧାର କାର୍ଯ୍ୟକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ପାଗ ଭଲ ହେବା ପରେ ସନ୍ଧାନ ପୁଣି ଆରମ୍ଭ କରିବାକୁ ଯୋଜନା କରୁଛି ପ୍ରଶାସନ।
