Odisha-Andhra police face off: କୋଟିଆରେ ଉଗ୍ର ରୂପ ନେଇଛି ସୀମା ବିବାଦ;ପ୍ରଶାସନ-ପୋଲିସର ବିରୋଧ ପରେ ପଛଘୁଞ୍ଚା ଦେଲା ଆନ୍ଧ୍ର ପୋଲିସ
କୋଟିଆ:ବ୍ୟାରିକେଡ୍ ଭାଙ୍ଗି ଓଡ଼ିଶା ସୀମାକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ଆନ୍ଧ୍ର ପୋଲିସ ଓ ସମର୍ଥକଙ୍କୁ ଅଟକାଇଛି ଓଡ଼ିଶା ପ୍ରଶାସନ ଓ ରାଜ୍ୟ ପୋଲିସ । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଅଧୀନସ୍ଥ ବିବାଦୀୟ କୋଟିଆ ପଞ୍ଚାୟତର ନେରିଡିବାଲସା ଗ୍ରାମରେ ପୁଣି ଥରେ ସୀମା ବିବାଦ ଉଗ୍ର ରୂପ ନେଇଛି। ତେବେ ଓଡ଼ିଶା ପୋଲିସ, ଜିଲା ପ୍ରଶାସନ ଏବଂ ସ୍ଥାନୀୟ ରାଜନୈତିକ ଦଳଗୁଡ଼ିକର କଡ଼ା ବିରୋଧ ଓ ଦୃଢ଼ ପଦକ୍ଷେପ ଯୋଗୁଁ ଆନ୍ଧ୍ର ପୋଲିସ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଛି।
ମଙ୍ଗଳବାର ସକାଳେ ନେରେଡ଼ିୱାଲସାରେ ଗୋଟିଏ ଅଟୋ ଓ ୨ଟି ବାଇକ୍ରେ ଆନ୍ଧ୍ର ପ୍ରଚାର କରୁଥିଲା। କୋରାପୁଟ ଉପଜିଲ୍ଲାପାଳ ଫାବି ରସିଦ୍ ପ୍ରଚାର ଗାଡ଼ିକୁ ଅଟକାଇ ଓଡ଼ିଶା ସୀମା ଭିତରକୁ ନ ପଶିବାକୁ ବାରଣ କରିଥିଲେ। ଖବର ପାଇ ଆନ୍ଧ୍ର ସମର୍ଥକ ଓ ପୋଲିସ ଓଡ଼ିଶା ସୀମାରେ ପହଞ୍ଚି ବ୍ୟାରିକେଡ୍ ଭାଙ୍ଗି ଧସେଇ ପଶିବାକୁ ଚେଷ୍ଟା କରୁଥିବାବେଳେ ଏହାର ତୀବ୍ର ବିରୋଧ କରିଥିଲେ ଉପଜିଲ୍ଲାପାଳ ଓ ଉପସ୍ଥିତ ପୋଲିସ। ଓଡ଼ିଶା ଭିତରେ ପଶିବା ପାଇଁ ଆନ୍ଧ୍ରର କୌଣସି ଅଧିକାର ନଥିବା ଉପଜିଲ୍ଲାପାଳ ରୋକ୍ଠୋକ୍ ଚେତାବନୀ ଦେଇଥିଲେ। ଆନ୍ଧ୍ର ଅଧିକାରୀ ଓ ପୋଲିସକୁ ପ୍ରଶ୍ନବାଣରେ ଉପଜିଲ୍ଲାପାଳ ଘାଇଲା କରିବା ପରେ ଆନ୍ଧ୍ର ସମର୍ଥକ ଧସେଇ ପଶିବା ସହ ବ୍ୟାରିକେଡ୍ ଭାଙ୍ଗି ଦେଇଥିଲେ।
ଫଳରେ ଓଡ଼ିଶା ପୋଲିସ ଏବଂ ଆନ୍ଧ୍ର ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଉଭୟ ରାଜ୍ୟର ସମର୍ଥକଙ୍କ ମଧ୍ୟରେ ଠେଲାପେଲା ଓ ପିଟାପିଟି ହୋଇଥିଲା। ଅପରାହ୍ଣରେ କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ଼ ବିଧାୟକ ରୁପୁ ଭତ୍ରା ଏବଂ ବିଜେପି ଟିମ୍, ପୂର୍ବତନ ସାଂସଦ ଜୟରାମ ପାଙ୍ଗି ପହଞ୍ଚି ଆନ୍ଧ୍ରର ଅନୁପ୍ରବେଶକୁ ଜୋର୍ଦାର ବିରୋଧ କରିଥିଲେ। ସନ୍ଧ୍ୟା ୫ଟାରେ ଓଡ଼ିଶାର ଶହ ଶହ ସମର୍ଥକ ଆନ୍ଧ୍ର ଗୋ ବ୍ୟାକ୍ ନାରା ଦେଇ ନେରେଡ଼ିୱାଲସାରେ ପହଞ୍ଚିବା ପରେ ଆନ୍ଧ୍ର ପୋଲିସ ଓ ସମର୍ଥକ ସୀମା ଛାଡ଼ି ପଳାଇଥିଲେ।
ଓଡ଼ିଶା ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଆନ୍ଧ୍ର ସୋମବାର ଚାଉଳ ଓ ରାସନ ଭର୍ତ୍ତି ଟ୍ରକ୍ ଗଞ୍ଜେଇପଦର ପଠାଇଥିଲା। ଯାହାକୁ ଓଡ଼ିଶା ପ୍ରଶାସନ ଫେରାଇ ଦେଇଥିଲା। ଏହାକୁ ବିରୋଧ କରି ମଙ୍ଗଳବାର ସକାଳେ ତାଡିୱାଲସାରେ ରାସ୍ତାରୋକ ହୋଇଥିଲା। ଓଡ଼ିଶା ଟିମ୍ ରାସ୍ତାରୋକ ହଟାଇବା ସହ ଆନ୍ଧ୍ର ସମର୍ଥକଙ୍କୁ ସେଠାରୁ ତଡ଼ିଥିଲା।
ଆଲୋଚନା ସମୟରେ ଓଡ଼ିଶା ଉପଜିଲାପାଳ ଫାବି ରସିଦ୍ ସ୍ପଷ୍ଟ ଭାବେ କହିଥିଲେ ଯେ, “ଆମେ ପଡ଼ୋଶୀ ଭାବେ ସୁସମ୍ପର୍କ ରଖିବା ଉଚିତ୍। ଆନ୍ଧ୍ର ପୋଲିସ ଆମ ପୋଲିସ ପ୍ରତି ଖରାପ ବ୍ୟବହାର କରିବା ଆଦୌ ଗ୍ରହଣୀୟ ନୁହେଁ।” ଏଥିସହ ଆନ୍ଧ୍ରରେ ନିର୍ବାଚନ ସରିବା ଯାଏ ଓଡ଼ିଶା ସୀମାନ୍ତ ଗ୍ରାମଗୁଡ଼ିକରେ ବେଆଇନ ଭାବେ ପ୍ରବେଶ ନ କରିବାକୁ ସେ ଆନ୍ଧ୍ର ଉପଜିଲାପାଳଙ୍କୁ ସୃଷ୍ଟ ଚେତାବନୀ ଦେଇଥିଲେ।
