ଗୁଣୁପୁର: ଆରମ୍ଭ ହେଲା ଗୁଣୁପୁରର ଲୋକ ମହୋତ୍ସବ ଚଇତି ଇଡିତାଲ । ଉପଖଣ୍ଡ ସ୍ତରୀୟ ଚଇତି ଇଡିତାଲ ୨୦୨୩ର ଶୋଭାଯାତ୍ରାରେ ଦୁଲୁକିଲା ପୁରା ଗୁଣୁପୁର ସହର । ଗୁଣୁପୁର ଜଗନ୍ନାଥ ମନ୍ଦିରରୁ ଆଜ୍ଞ୍ୟା ମାଳ ଆଣିବା ପରେ ଏକ ବିରାଟ ଶୋଭାଯାତ୍ରାରେ ଶତାଧିକ ଲୋକଙ୍କ ଗହଣରେ ଆଦିବାସୀ ମନ୍ତ୍ରୀ ଜଗନ୍ନାଥ ସାରକା, ସ୍ୱତନ୍ତ୍ର ଆଦିବାସୀ ଉପଦେଷ୍ଟା ଅନୁସୟା ମାଝୀ, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ଚଇତି ଇଡିତାଲର ଅଧକ୍ଷ୍ୟ ତଥା ଉପଜିଲ୍ଲାପାଳ ଲଳିତ କହଁର, ଆବାହକ ଡ଼କ୍ଟର ଚନ୍ଦ୍ରଧ୍ଵଜ ପଣ୍ଡା, ଆଦିବାସୀ ପ୍ରକଳ୍ପ ଅଧିକାରୀ ଶାନ୍ତି ପ୍ରଭା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଚଇତି କଳସ ଜଗନ୍ନାଥ ମନ୍ଦିରରୁ ବାହାରି ନୂଆ ବସ ଷ୍ଟାଣ୍ଡର ଚଇତି ମଣ୍ଡପରେ ପହଞ୍ଚି ଥିଲା । ସେଠାରେ ଏହି କଳସ ରଖାଯାଇଛି । ସେପଟେ ଆଜି ସଂଧ୍ୟା ରୁ ଦୁଇ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରଥମ ଦିନ ଜିଲ୍ଲାପାଳ ସ୍ଵଧା ଦେବ ସିଂ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ପ୍ରମୁଖ ଯୋଗ ଦେବେ ।
ଆସନ୍ତାକାଲି ଅର୍ଥାତ୍ ମହୋତ୍ସବର ଦ୍ୱିତୀୟ ଦିନ ଆଦିବାସୀ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟ ବିଜୁ ସ୍ୱାସ୍ଥ୍ୟ ଯୋଜନା ଉପଦେଷ୍ଟା ସୁଧୀର ଦାସ, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଚଇତି ଇଡିତାଲର ଆବାହକ ଡ଼କ୍ଟର ଚନ୍ଦ୍ର ପଣ୍ଡା ଜଣାଇଛନ୍ତି ।