Latest Odisha News

BREAKING NEWS

 ବିଜେଡିର କାଉଣ୍ଟର: ସଂକୀର୍ଣ୍ଣ ସ୍ୱାର୍ଥ ପାଇଁ ମିଥ୍ୟା ପ୍ରଚାର ଚଳାଇଛି ରାଜ୍ୟ ବିଜେପି

ଭୁବନେଶ୍ୱର: ଓଡିଶାର ଶିଳ୍ପ ବିକାଶରେ ଅସହିଷ୍ଣୁ ହୋଇପଡିଛି ବିଜେପି ।  ସଂକୀର୍ଣ୍ଣ ସ୍ୱାର୍ଥ ପାଇଁ ମିଥ୍ୟା ପ୍ରଚାର ଚଳାଇଛି ରାଜ୍ୟ ବିଜେପି । ଓଡିଶାକୁ ଦେଶ ବିଦେଶରେ ବଦନାମ ପାଇଁ ଷଡଯନ୍ତ୍ର କରୁଛି ଏହି ଦଳ । ଏମିତି କହି ବିଜେପି ଉପରେ ଜୋରଦାର ବର୍ଷିଛି ବିଜେଡି । ଏଥିସହିତ ଦଳ ତାର ଶାସନ କାଳ ଭିତରେ କ’ଣ ବିକାଶମୂଳକ କାମ କରିଛି ତାହାର ଗୋଟି ଗୋଟି କରି ବିକାଶର ହିସାବ ରଖିଛି ।

ନିଜର ସଂକୀର୍ଣ୍ଣ ସ୍ୱାର୍ଥ ପାଇଁ ଓଡ଼ିଶାକୁ ବଦନାମ କରିବାର ଅଭ୍ୟାସ ଓଡ଼ିଶା ବିଜେପିର ରହିଛି । ତେଣୁ ଏହା ଜାଣିଶୁଣି ଓଡ଼ିଶାର ଶିଳ୍ପ ବିକାଶକୁ ନେଇ ମିଥ୍ୟା ଓ ମନଗଢ଼ା ପ୍ରଚାର ଚଳାଇଛି । ତେଣୁ ଓଡିଶା ବିଜେପି ଓଡ଼ିଶାବାସୀଙ୍କୁ ଯେଭଳି ବିଭ୍ରାନ୍ତ କରୁଛି ତାହାକୁ ରୋକିବା ପାଇଁ ଓଡ଼ିଶାବାସୀଙ୍କୁ ସତ ଜାଣିବା ନିହାତି ଜରୁରୀ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ଲେନିନ ମହାନ୍ତି ଓ ସୋଫିଆ ଆଲାମ ।

ଶଙ୍ଖଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ମୁଖପାତ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ  ଓଡ଼ିଶା ଗତ ୨୩ ବର୍ଷ ମଧ୍ୟରେ ଶିଳ୍ପାୟନ ଓ ରୋଜଗାର ଯୋଗାଇବା ପଥରେ ଦ୍ରୁତ ଗତିରେ ଅଗ୍ରସର ହୋଇଛି । ୨୦୨୧-୨୨ ବର୍ଷ ପାଇଁ ସର୍ବାଧିକ ରାଜସ୍ୱ ବଳକା ରାଜ୍ୟ ଭାବେ ଓଡିଶା ଭାରତର ଏକ ନମ୍ବର ରାଜ୍ୟ ଭାବେ ପରିଗଣିତ ହୋଇଛି । ଓଡ଼ିଶା ଭାରତର ଦ୍ରୁତ ଅଭିବୃଦ୍ଧି ରାଜ୍ୟ ତାଲିକାର ଶୀର୍ଷରେ ରହିଛି ଏବଂ କ୍ରମାଗତ ଭାବେ ୧୧.୫% ଅଭିବୃଦ୍ଧି ହାର ସହ ଜାତୀୟ ହାର ଠାରୁ ଅଧିକ ଅଛି ।

ସିଏମ୍‌ଆଇଇ କ୍ୟାପେକ୍ସ ଡାଟାବେସ୍ ଏବଂ ସିଆଇଆଇ ଗବେଷଣା ଅନୁଯାୟୀ, ୨୦୨୩-୨୪ ବର୍ଷରେ ଅଧିକ ପୁଞ୍ଜିନିବେଶ ଆକୃଷ୍ଟ କରିବାରେ ଓଡ଼ିଶା ଭାରତର ଦ୍ୱିତୀୟ ସ୍ଥାନରେ ରହିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ, ୨୦୨୩ ଆର୍ଥିକ ବର୍ଷରେ ବ୍ୟାଙ୍କ ସହାୟତାରେ ପୁଞ୍ଜିନିବେଶ ପ୍ରସ୍ତାବ ହାସଲ କରିବା କ୍ଷେତ୍ରରେ ଓଡ଼ିଶା ଭାରତର ତୃତୀୟ ଶୀର୍ଷ ରାଜ୍ୟ ଭାବେ ଉଭା ହୋଇଛି । ଇସ୍ପାତ ଉତ୍ପାଦନ ୧୫ ଗୁଣ ବୃଦ୍ଧି ପାଇଛି ଏବଂ ଆଲୁମିନା ଓ ଆଲୁମିନିୟମ ଉତ୍ପାଦନ ୭.୮ ଗୁଣ ବୃଦ୍ଧି ପାଇଛି ।

ଭାରତରେ ଇସ୍ପାତ ଉତ୍ପାଦନରେ ଓଡ଼ିଶା ଝାଡ଼ଖଣ୍ଡକୁ ୧.୩୬ ଗୁଣ ପଛରେ ପକାଇ ଆଗରେ ରହିଛି ।  ବିଜେଡି ସରକାର ୨୦୨୧-୨୨ ସୁଦ୍ଧା ପ୍ରାୟ ୧୧ ହଜାର ଏକର ପରିମିତ ଅଞ୍ଚଳ ଓ ୧୫୦୦ରୁ ଅଧିକ ନିର୍ମିତ ସେଡ୍ ସହ ରେକର୍ଡ ୧୨୦ଟି ଶିଳ୍ପାଞ୍ଚଳ(ଆଇଇ)/ଏରିଆ/ପାର୍କ, ଥିମ୍ ପାର୍କ ଇତ୍ୟାଦି ପ୍ରତିଷ୍ଠା କରିଛନ୍ତି ।

ଶିଳ୍ପାୟନ କ୍ଷେତ୍ରରେ ଓଡ଼ିଶା ଯେଉଁ ବ୍ୟାପକ ପରିବର୍ତନ ଦେଖିଛି ଏବଂ ବିଶ୍ୱସ୍ତରୀୟ ସୁବିଧାର ବିକାଶ ଓ ପ୍ରଗତି ଚାଲିଛି, ଶିଳ୍ପାୟନ ଓ ଏହା ଦ୍ୱାରା ରାଜ୍ୟ ପାଇଁ ଅଧିକ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବାରେ ଲାଗିଛି ଏହା ହେଉଛି ତାହାର ଏକ କ୍ଷୁଦ୍ର ଝଲକ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର ଯେଉଁ ଭଲ କାମ କରିଆସୁଛି ସେଥିପାଇଁ ଓଡ଼ିଶାବାସୀ ଅତ୍ୟନ୍ତ ଗର୍ବିତ । କିନ୍ତୁ ଦୁର୍ଭାଗ୍ୟବଶତଃ ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ପାଇଁ ଓଡ଼ିଶାକୁ ଭାରତ ତଥା ବିଶ୍ୱସ୍ତରରେ ବଦନାମ କରିବା ପାଇଁ ଓଡ଼ିଶା ବିଜେପି ଅଭ୍ୟାସଗତ ଭାବେ ମିଥ୍ୟା ପ୍ରଚାର କରିବାରେ ଲାଗିଛି ବୋଲି ବିଜେଡି ମୁଖପାତ୍ର ଡକ୍ଟର ମହାନ୍ତିଙ୍କ ସହ ଆଲାମ କହିଛନ୍ତି ।

Comments are closed.