ଝାରସୁଗୁଡା: ଲଖନପୁର ବ୍ଲକ ବେଲପାହାଡ ଫରେଷ୍ଟ ରେଞ୍ଜ ଅଧୀନ ପିକୋଲ ଜଙ୍ଗଲରେ ଦେଖାଦେଇଛି କଲରାପତରିଆ ବାଘ । ଜଙ୍ଗଲରେ ଲାଗିଥିବା ଟ୍ରାପ କ୍ୟାମେରାରେ ଏହି କଲରାପତରିଆ ବାଘର ଫୋଟୋ କଏଦ ହୋଇଛି । ଗତ ୧୪ ତାରିଖ ଜଙ୍ଗଲରେ ଲାଗିଥିବା ଟ୍ରାପ କ୍ୟାମେରାର ଫୁଟେଜରୁ ବାଘ ଥିବା ସ୍ପଷ୍ଟ ହୋଇଛି ।
ବର୍ତ୍ତମାନ କଲରାପତରିଆ ବାଘଟି ପିକୋଲ ଜଙ୍ଗଲ ବୁଲୁଛି । ଏନେଇ ଝାରସୁଗୁଡା ବନବିଭାଗ ତରଫରୁ ସୂଚନା ମିଳିଛି । ଦୀର୍ଘ ୨ବର୍ଷ ପରେ ଝାରସୁଗୁଡା ଜିଲ୍ଲାରେ ପୁଣି କଲରାପତରିଆ ଦେଖିବାକୁ ମିଳିଛି । ସୁନ୍ଦରଗଡ଼ ଜିଲ୍ଲା ହିମଗିରି ଜଙ୍ଗଲରୁ ବାଘଟି ଆସିଥାଇ ପାରେ ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ପିକୋଲ ଜଙ୍ଗଲରେ ବାଘ ଥିବା ଜାଣି ଗ୍ରାମବାସୀ ଭୟଭୀତ ଅଛନ୍ତି । ତେବେ ବାଘ ଉପରେ ତୀକ୍ଷ୍ଣ ନଜର ରଖିଛି ବନବିଭାଗ ।
କିଛି ଦିନ ପୂର୍ବରୁ ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟର ଗଡ଼ଗଡା ଘାଟିରେ ମଧ୍ୟ ଏକ କଲରାପତରିଆ ବାଘ ବୁଲୁଥିଲା । କିଛି ଯୁବକ ମୋବାଇଲ କ୍ୟାମେରାରେ ବାଘ ବୁଲୁଥିବାର ଦୃଶ୍ୟକୁ କଏଦ କରିଥିଲେ । ସେହିପରି ଗଜପତି ଜିଲ୍ଲାରେ ମଧ୍ୟ ବାଘ ବୁଲୁଥିବା ଦେଖାଯାଇଥିଲା । ମୋହନା ବ୍ଲକ ମଳାସପଦର ପଞ୍ଚାୟତରେ ବାଘକୁ ନେଇ ଲୋକେ ଭୟଭୀତ ଥିଲେ ।
Comments are closed.