ସୁନ୍ଦରଗଡ଼: ଏଣିକି ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବ ସୋଲାର ମୋବାଇଲ ଟାୱାର । ସେଥିପାଇଁ ମାଓବାଦୀ ପ୍ରଭାବିତ ଅଞ୍ଚଳରେ ନିର୍ମାଣ ଚାଳିଛି ୨ଟି ସୋଲାର୍ ମୋବାଇଲ୍ ଟାୱାର । ଫଳରେ ସୁରକ୍ଷାବାହିନୀ ସହ ଯୋଗଯୋଗ ସହଜ ଓ ସୁଗମ ହୋଇପାରିବ । ଏହାଦ୍ୱାରା ଏହି ଅଞ୍ଚଳରେ ମାଓବାଦୀ ଗତିବିଧି ନିୟନ୍ତ୍ରଣ ହେବ ବୋଲି ଆଶା କରାଯାଉଛି । ତେଣୁ ଉକ୍ତ ଟାୱାର ସ୍ଥାପନ ଯୋଗୁ ସ୍ଥାନୀୟ ଗ୍ରାମବାସୀ ବହୁତ ଉତ୍ସାହିତ ଥିବା ଜଣାପଡ଼ିଛି ।
ଗତ କିଛିଦିନ ମଧ୍ୟରେ ଓଡ଼ିଶା ଓ ଝାଡ଼ଖଣ୍ଡ ସୀମାନ୍ତରେ ଥିବା ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ଗତ ଏକମାସ ଧରି ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ବିରୋଧରେ ସିଆରପିଏଫ୍ ଯବାନମାନେ ଅଭିଯାନ ଚଳାଇଛନ୍ତି । ଏଭଳି ପରିସ୍ଥିତିରେ ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ବ୍ଲକ୍ ଅନ୍ତର୍ଗତ ମାଓବାଦୀ ପ୍ରଭାବିତ ରାମଲୋଇ, ଚିରୁବେଡ଼ା ଓ ହରିହରପୁର ଗାଁରେ ସରକାରଙ୍କ ପକ୍ଷରୁ ମୋବାଇଲ୍ ଟାୱାର ନିର୍ମାଣ କରାଯାଉଛି । ଏହି ଅଞ୍ଚଳରେ ସମୁଦାୟ ଦୁଇଟି ସୋଲାର ମୋବାଇଲ୍ ଟାୱାର ନିର୍ମାଣ କରାଯାଉଛି । ଖୁବ୍ଶୀଘ୍ର ଏହି ମୋବାଇଲ୍ ଟାୱାରଗୁଡିକ କାର୍ଯ୍ୟକ୍ଷମ ହେବ । ଏହି ଟାୱାରଗୁଡ଼ିକ ସ୍ଥାପନହେବା ପରେ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖାଯାଇପାରିବ ।
ଯେଉଁ ଅଞ୍ଚଳ ଗୁଡ଼ିକରେ ମୋବାଇଲ୍ ଟାୱାର ସ୍ଥାପନ ହେଉଛି ସେହି ଅଞ୍ଚଳରେ ମାଓବାଦୀମାନେ ବେଶ୍ ସକ୍ରିୟ । ସୁରକ୍ଷାବାହିନୀ ସହ ଯୋଗାଯୋଗ ଅଭାବରୁ ସ୍ଥାନୀୟ ଅଞ୍ଚଳର ଗୁଇନ୍ଦା କିମ୍ବା ଗୁପ୍ତଚରମାନେ ଉପଯୁକ୍ତ ସମୟରେ ମାଓବାଦୀଙ୍କ କାର୍ଯ୍ୟକଳାପ ବିଷୟରେ ସୁରକ୍ଷାବାହିନୀକୁ ଜଣାଇ ପାରି ନ ଥାନ୍ତି । ଯେଉଁ କାରଣରୁ ସୁରକ୍ଷାବାହିନୀର ଅଭିଯାନକୁ ଆଶାନୁରୂପ ସଫଳତା ମିଳି ପାରି ନ ଥାଏ । ଅପରପକ୍ଷରେ ଯବାନଙ୍କ ବିରୋଧରେ ମାଓବାଦୀଙ୍କ ଯୋଜନା ଅଧିକ ଫଳପ୍ରଦ ହୋଇଥାଏ । ଏହି କାରଣରୁ ମାଓବାଦୀମାନେ ଆଶ୍ରୟ ନେଉଥିବା ସ୍ଥାନରେ ରହିଥିବା ମୋବାଇଲ୍ ଟାୱାରଗୁଡ଼ିକୁ ସଦାବେଳେ ନଷ୍ଟ କରିଦିଅନ୍ତି । ମାତ୍ର ବିଶ୍ରା ବ୍ଲକ୍ ଅନ୍ତର୍ଗତ ନକ୍ସଲ ପ୍ରଭାବିତ ଗାଁଗୁଡ଼ିକରେ ମୋବାଇଲ୍ ଟାୱାର ନିର୍ମାଣ ହେବା ଯୋଗୁ ଆଗାମୀଦିନରେ ଏହି ଅଞ୍ଚଳରେ ମାଓ କାର୍ଯ୍ୟକଳାପ ନିୟନ୍ତ୍ରଣକୁ ଆସିବ ବୋଲି ଆଶା କରାଯାଉଛି ।
Comments are closed.