Latest Odisha News

BREAKING NEWS

ସ୍ଥାୟୀ ନିଯୁକ୍ତି ଦାବୀରେ ଆର.ବି.ଏସ.କେ ଆୟୁଷ ଡାକ୍ତରଙ୍କ ଚେତାବନୀ, ଦାବୀ ପୁରଣ ନହେଲେ ସମୂହ ଛୁଟିରେ ଯିବାକୁ ସଂଘର ନିଷ୍ପତି

ଭୁବନେଶ୍ବର: ବାରମ୍ବାର ପ୍ରତିଶୃତି, ଆଲୋଚନା ପାଇଁ ସମୟ ଧାର୍ଯ୍ୟ, ତା ପରେ ପୁଣି ବାତିଲ । ସାମୂହ ଛୁଟିରେ ଯିବାକୁ ଆର.ବି.ଏସ.କେ ଆୟୁଷ ଡାକ୍ତରଙ୍କ ଚେତାବନୀ । ଜାତୀୟ ସ୍ବାସ୍ଥ୍ୟ ମିଶନ ଭଳି କେନ୍ଦ୍ରୀୟ ଯୋଜନା ଭିତ୍ତିକ ନିଯୁକ୍ତି ଯୋଗୁଁ ବର୍ଷ ବର୍ଷ ଧରି ଜଟିଳ ଓ ସମ୍ବେଦନଶୀଳ ସେବା ବିଶେଷ କରି ଶିଶୁ ସୁରକ୍ଷା କ୍ଷେତ୍ରରେ ଦିନ ରାତି ଏକକାର କରି ସେବା ଯୋଗାଇ ଆସୁଥିବା ଓଡିଶା ମାଟିର ଉଚ୍ଚଶିକ୍ଷିତ ଆୟୁଷ ଡିଗ୍ରୀ ଧାରୀ ଡାକ୍ତର ମାନଙ୍କୁ ସ୍ଥାୟୀ ଡାକ୍ତରର ମାନ୍ୟତା ନଦେବା ପ୍ରତିବାଦରେ ଆର.ବି.ଏସ.କେ. ଆୟୁଷ ଡାକ୍ତର ସଂଘ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ବାରମ୍ବାର ଦାବୀ ପରେ ମଧ୍ୟ କୌଣସି ପଦକ୍ଷେପ ନ ନିଆଯାଉଥିବାରୁ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଆୟୁଷ ଡାକ୍ତର । ସହିବାର ସମସ୍ତ ଧର୍ଯ୍ୟ ପାର ହୋଇଗଲା ପରେ ନିଜର ଅନିଶ୍ଚିତ ଭବିଷ୍ୟତ ଓ ପରିବାରର ଆର୍ଥିକ ଦୁର୍ଗତିରେ ଅତିଷ୍ଠ ଆର.ବି.ଏସ.କେ. ଆୟୁଷ ଡାକ୍ତର ମାନଙ୍କ ତରଫରୁ ବାଧ୍ୟ ହୋଇ ଚରମ ପଦକ୍ଷେପ ନେବେ ଓ ଯେକୌଣସି କ୍ଷତି ପାଇଁ ସରକାର ଦାୟୀ ରହିବେ ବୋଲି ସଂଘର ରାଜ୍ୟ ସଭାପତି ଶ୍ରୀ ପ୍ରଭାତ ମହାନ୍ତି ଓ ସାଧାରଣ ସମ୍ପାଦକ ଡ଼ା ରବୀନ୍ଦ୍ର ସେଠି ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

ଦୀର୍ଘ ବର୍ଷ ଧରି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଅତି ଗୁରୁତ୍ବପୂର୍ଣ ତଥା ସମ୍ବେଦନଶୀଳ ସେବା ଯୋଗାଇଆସୁଥିବା ଆର.ବି.ଏସ.କେ. ଆୟୁଷ ଡାକ୍ତରଙ୍କ ନିରନ୍ତର ଓ ପ୍ରତିବଦ୍ଧ ସେବା ପାଇଁ ଶିଶୁ ମୃତ୍ୟୁ ହାର ରେ ନିନ୍ଦିତ ରାଜ୍ୟସରକାର ଶିଶୁ ସୁରକ୍ଷା କ୍ଷେତ୍ରରେ ଜାତୀୟସ୍ତରରେ ସୁନାମ ଅର୍ଜନ କରିଛନ୍ତି । ଏପରିକି ଦେଶ ଓ ରାଜ୍ୟରେ ମହାମାରୀ ସମୟରେ ଅନ୍ୟ ଡାକ୍ତରଙ୍କ ପରି ନିଜ ଜୀବନକୁ ବାଜି ଲଗାଇ ସ୍ବାସ୍ଥ୍ୟସେବା ସଫଳତାର ସହ ଯୋଗାଇ ଆସିଛନ୍ତି । କିନ୍ତୁ ସରକାର ତାଙ୍କ ପ୍ରତି ଅଣଦେଖା କରୁଛନ୍ତି ବୋଲି ସାମ୍ବାଦିକ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଆର.ବି.ଏସ.କେ ସଭାପତି ଶ୍ରୀ ମହାନ୍ତି ।

Comments are closed.