Latest Odisha News

କାଲିଫର୍ଣ୍ଣିଆରେ ହିନ୍ଦୁ ମନ୍ଦିର ଭଙ୍ଗା ଘଟଣା: ଉଗ୍ରବାଦକୁ କେଉଁଠି ସ୍ଥାନ ମିଳିବା ଉଚିତ ନୁହେଁ- ଜୟଶଙ୍କର

ନୂଆଦିଲ୍ଲୀ: ଆମେରିକାର କାର୍ଲିଫର୍ଣ୍ଣିଆରେ ଥିବା ଶ୍ରୀ ସ୍ବାମୀନାରାୟଣ ମନ୍ଦିରକୁ ସନ୍ଦିଗ୍ଧ ଖଲିସ୍ତାନୀ ସମର୍ଥକମାନେ ଭାଙ୍ଗିବା ସହ ମନ୍ଦିର କାନ୍ଥରେ ଭାରତ ବିରୋଧୀ ସ୍ଲୋଗାନ ଲେଖିଛନ୍ତି। ଏହି ଘଟଣାରେ ଭାରତୀୟ ଦୂତାବାସ ଆମେରିକା ସରକାରଙ୍କ ନିକଟରେ କଡା ଆପତ୍ତି ଉଠାଇଛି। ବୈଦେଶିକ ମନ୍ତ୍ରୀ ଜୟଶଙ୍କର ମଧ୍ୟ ଏହି ଘଟଣାକୁ ନିନ୍ଦା କରିବା ସହ ଉଗ୍ରବାଦକୁ ପ୍ରଶ୍ରୟ ଦିଆଯିବା ପ୍ରସଙ୍ଗରେ ବର୍ଷିଛନ୍ତି । ଉଗ୍ରବାଦକୁ କେଉଁଠାରେ ମଧ୍ୟ ସ୍ଥାନ ମିଳିବା ଉଚିତ ନୁହେଁ ବୋଲି ଜୟଶଙ୍କର କହିଛନ୍ତି । ଆମେରିକା ସରକାର ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି ।

ଗୁଜରାଟ ଗାନ୍ଧୀଗନରରେ ଏକ କାର୍ଯ୍ୟକ୍ରମ ବେଳେ ଜୟଶଙ୍କର ଏହି ଘଟଣା ନେଇ ବର୍ଷିଛନ୍ତି। ସେ କହିଛନ୍ତି, ‘‘ ଉଗ୍ରବାଦୀ, ବିଚ୍ଛିନ୍ନତାବାଦୀ ଓ ଭାରତ ବିରୋଧୀ କୌଣସି ଶକ୍ତି ବିଦେଶ ମାଟିରେ ସ୍ଥାନ ପାଇବା ଉଚିତ ନୁହେଁ । ଏହି ଘଟଣାରେ ଭାରତୀୟ ଦୂତାବାସ ସ୍ଥାନୀୟ ସରକାରଙ୍କୁ ଅଭିଯୋଗ କରିଛି । ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେବା ପରେ ଆମେରିକା ପୋଲିସ ଏବେ ତଦନ୍ତ ଆରମ୍ଭ କରିଛି ।’’

ସୂଚନା ଅନୁସାରେ, କାର୍ଲିଫର୍ଣ୍ଣିଆରେ ଥିବା ଶ୍ରୀ ସ୍ବାମୀନାରାୟଣ ମନ୍ଦିର କାନ୍ଥରେ ଭାରତ ବିରୋଧି ଏବଂ ଖଲିସ୍ତାନୀ ସମର୍ଥିତ ସ୍ଲୋଗାନ ଲେଖାଯାଇଥିବା ଦେଖିବାକୁ ମିଳିଛି । ଗୁରୁବାର ରାତିରେ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ହିନ୍ଦୁ ଆମେରିକୀୟ ଫାଉଣ୍ଡସେନ ସୋସିଆଲ ମିଡିଆ ‘ଏକ୍ସ’ରେ ଏହାର ଫଟୋ ସେୟାର କରିବା ପରେ ସେଠାରେ ଥିବା ଭାରତୀୟ ଓ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଘଟଣାକୁ ସାନ ଫ୍ରାନ୍ସିସ୍କୋ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଦୃଢ ନିନ୍ଦା କରାଯାଇଥିବା ବେଳେ ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଛି ।

ନିକଟରେ କାନାଡାରେ ଖଲିସ୍ତାନୀଙ୍କୁ ଆଶ୍ରୟ ମିଳିବା ପ୍ରସଙ୍ଗରେ ମଧ୍ୟ ଭାରତ କଡା ଆଭିମୁଖ୍ୟ ଗ୍ରହଣ କରିଥିଲା । ଏପରିକି ବିଦେଶ ମନ୍ତ୍ରୀ ଜୟଶଙ୍କର ଜାତିସଂଘରେ ମଧ୍ୟ କାନାଡା ନାମ ନନେଇ ଉଗ୍ରବାଦ ଓ ଭାରତ ବିରୋଧୀ ଶକ୍ତିକୁ ପୃଷ୍ଠପୋଷକତା ପ୍ରଦାନ କରୁଥିବା କହି ବର୍ଷିଥିଲେ ।

 

Comments are closed.