ନୂଆଦିଲ୍ଲୀ: ଦେଶରେ ବଢିବାରେ ଲାଗିଛି କରୋନା ସଂକ୍ରମଣ । ଦିନକୁ ଦିନ ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି । ଏଯାଏ କରୋନାର ନୂଆ ଭ୍ୟାରିଆଣ୍ଟ JN.1ର ମୋଟ ୧୪୫ଟି କେସ ଚିହ୍ନଟ ହୋଇଛି । ଗତ ନଭେମ୍ୱର ୨୧ତାରିଖରୁ ଡିସେମ୍ୱର ୧୮ତାରିଖ ମଧ୍ୟରେ ନିଆଯାଇଥିବା ସାମ୍ପୂଲରେ ଏହି ନୂଆ ଭ୍ୟାରିଆଣ୍ଟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଲୋକଙ୍କୁ ଆଲର୍ଟ କରାଯାଉଛି । ବେଶୀ ଭିଡ ସ୍ଥାନକୁ ନଯିବା ସହ ଲକ୍ଷଣ ଦେଖାଦେଲେ ଟେଷ୍ଟ କରିବାକୁ ପରାମର୍ଶ ଦିଆଯାଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଗତ ୨୪ଘଣ୍ଟାରେ ୭୯୭ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ଗତ ୨୨୫ଦିନର ରେକର୍ଡ ଭାଙ୍ଗିଛି । ଏହା ପୂର୍ବରୁ ୧୯ମେ’ରେ ମୋଟ ୮୬୫ ସଂକ୍ରମିତ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ଦେଶରେ ଆକ୍ଟିଭ କରୋନା ରୋଗୀଙ୍କ ସଂଖ୍ୟା ୪୦୯୧ ରହିଛି । ସେହିପରି ଗତ ୨୪ଘଣ୍ଟାରେ ମୋଟ ୫ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ଜଣ କେରଳର ଥିବାବେଳେ ମହାରାଷ୍ଟ୍ର, ପୁଡୁଚେରୀ ଓ ତାମିଲନାଡୁର ଜଣେ ଲେଖାଏଁ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି ।
ସିଡିସି ଅନୁସାରେ, JN.1 ଭ୍ୟାରିଆଣ୍ଟରେ ସଂକ୍ରମିତ ସେତେଟା ଗୁରୁତର ହେଉନାହାନ୍ତି । ଥଣ୍ଡା, ଜ୍ୱର, କାଶ ସହ ସ୍ୱାଦ ବାରି ନପାରିବା ଭଳି ଲକ୍ଷଣ ଦେଖାଯାଉଛି । ଠିକ ହେବା ପରେ ମଧ୍ୟ କେତେକଙ୍କ ନିକଟରେ ଲକ୍ଷଣ ପ୍ରକାଶ ପାଉଛି । ଏଥିରୁ ସୁସ୍ଥ ହେବା ପାଇଁ ପ୍ରାୟ ୪ରୁ ୬ସପ୍ତାହ ଲାଗୁଥିବା ଡାକ୍ତର କହିଛନ୍ତି ।
Comments are closed.